ଯାଜପୁର : ଯାଜପୁର ଜିଲ୍ଲାରେ ବେଆଇନ ଗୋରୁ ଚାଲାଣ ଅନିୟନ୍ତ୍ରିତ ହୋଇପଡ଼ିଛି। ଯାହାକୁ ନେଇ ବିଭିନ୍ନ ସମୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି। ବିଶେଷ କରି ଜାତୀୟ ରାଜପଥ ୧୬ ଓ ୫୩ ପାର୍ଶ୍ବରେ ଥିବା ଥାନାଗୁଡ଼ିକ ସହିତ ଗୋରୁ ବେପାରୀଙ୍କ ଅସାଧୁମେଣ୍ଟ ଯୋଗୁଁ ଯାଜପୁର ଜିଲ୍ଲା ଏବେ ବେଆଇନ୍ ଗୋରୁ ଚାଲାଣ କରିଡର ପାଲଟିଛି। ସୁକିନ୍ଦା ବ୍ଲକ୍ ହରିପୁର ଗୋରୁହାଟ ସହିତ ପାଣିକୋଇଲି ଥାନା ଅଧୀନ ଗୋଳେଇପୁର ପଞ୍ଚାୟତର ସାହାପୁର ଗୋରୁହାଟରୁ ନିୟମିତ କୋଲକାତାକୁ ବେଆଇନ୍ ଗୋଚାଲାଣ ହେଉଛି। ରାଜ୍ୟରେ ଗୋ ସମ୍ପଦର ସଦବିନିଯୋଗ ହେଉନଥିବା ବେଳେ ନିକଟରେ ଗୋରୁ ଚମଡ଼ା ଓ ହାଡ଼ ଚାଲାଣକୁ ନେଇ ଦୁଇଟି ଘଟଣା ପଦାକୁ ଆସିଛି। ବେଆଇନ୍ ଗୋରୁ ଚାଲାଣ ରୋକିବା ପାଇଁ ଜନମତ ଦିନକୁ ଦିନ ବ୍ୟାପକ ହେବାରେ ଲାଗିଛି।
ପ୍ରକାଶ ଥାଉକି ସୁକିନ୍ଦାର ହରିପୁର ଗୋରୁହାଟକୁ ବିଭିନ୍ନ ଅଞ୍ଚଳରୁ ଗୋରୁ ବିକ୍ରି ପାଇଁ ଅଣାଯାଉଛି। ଏଠାରୁ ବାହାର ରାଜ୍ୟକୁ ଚାଲାଣ ହେଉଛି। ସେହିପରି ପାଣିକୋଇଲି ଥାନା ଅଧୀନ ଜାତୀୟ ରାଜପଥ-୧୬ ପାର୍ଶ୍ବରେ ଥିବା ସାହାପୁର ଗୋରୁହାଟରୁ ନିୟମିତ ବେଆଇନ ଚାଲାଣ ଚାଲିଛି। ଗତ ମାସ ୨୦ତାରିଖରେ ୭୭ଗୋରୁ ବେଆଇନ ଚାଲାଣ ବେଳେ ପାଣିକୋଇଲ ଥାନା ପୁଲିସ ଭୋଳା ଯେନାକୁ ଗିରଫ କରିଥିଲା। ସେହିପରି ଗତ ୧୬ତାରିଖ ରେ ଯାଜପୁରରୋଡ଼ରୁ ଏକ ଗୋରୁ ଚମଡା ବୋଝେଇ ଗାଡ଼ିକୁ ଲୋକମାନେ ଧରିଥିଲେ। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇବା ପରେ ପୁଲିସ ପହଞ୍ଚି ଗାଡ଼ି ଜବତ କରିବା ସହିତ ଚାଳକ ଓ ଖଲାସୀଙ୍କୁ ଗିରଫ କରିଥିଲା। ଏହାର ଗୋଟିଏ ଦିନ ପରେ ୧୭ତାରିଖରେ କୋରେଇ- ପାଣିକୋଇଲି ରାସ୍ତାରେ ଗୋରୁ ଚମଡ଼ା ଓ ହାଡ଼ ବୋଝେଇ ଗାଡ଼ିକୁ କିଛି ଲୋକ ଅଟକାଇ ନିଆଁ ଲଗାଇ ଦେଇଥିଲେ। ଏହି ଘଟଣାରେ ୫ଜଣ ବେପାରୀ ଓ ଗାଡ଼ି ପୋଡ଼ିବା ଘଟଣାରେ ୭ଜଣଙ୍କୁ ପାଣିକୋଇଲି ଥାନା ପୁଲିସ ଗିରଫ କରିଛି। ଏହି ବେଆଇନ ଗୋରୁ ଚାଲାଣକୁ ବନ୍ଦ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/07/cow-ddd.jpg)