ନାଇଟ କର୍ଫ୍ୟୁର ଫାଇଦା ନେଉଛନ୍ତି ମାଫିଆ; ବେଧଡ଼କ ଚାଲିଛି ଗୋରୁ ଚୋରାଚାଲାଣ, ପ୍ରଶାସନ ନିରବଦ୍ରଷ୍ଟା

ରଣପୁର : କରୋନାର ଭୟାବହତା ଦୃଷ୍ଟିରୁ ନାଇଟ୍ କର୍ଫ୍ୟୁ ଜାରୀ ରହିଥିବା ବେଳେ ଏହାର ସିଧାସଳଖ ଫାଇଦା ଉଠାଉଛନ୍ତି ଗୋରୁ ଚୋରା ଚାଲାଣକାରୀ ମାଫିଆ। ଫଳରେ ରଣପୁର ଓ ଆଖପାଖ ଅଞ୍ଚଳରେ ବେଧଡ଼କ ଗୋରୁ ଚୋରା ଚାଲାଣ ଚାଲିଥିବା ବେଳେ ପ୍ରଶାସନ ସବୁ ଦେଖି ନିରବଦ୍ରଷ୍ଟା ସାଜୁଥିବା ଅଭିଯୋଗ ହେଉଛି।

ସୂଚନା ଥାଉକି, ଦୀର୍ଘ ଦିନ ଧରି ରଣପୁର ଓ ଆଖପାଖ ଅଞ୍ଚଳରେ ଗୋରୁ ଚୋରା ଚାଲାଣ ଏକ ନିତିଦିନିଆ ଘଟଣା ପାଲଟିଥିବା ବେଳେ ଏ ନେଇ ଅଞ୍ଚଳବାସୀ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କରିଆସୁଥିଲେ ମଧ୍ୟ କିଛି ଫଳପ୍ରଦ ହେଉନାହିଁ। ବରଂ ପ୍ରଶାସନ ଆଖି ବୁଜି ଦେଇଥିବା ଅଭିଯୋଗ ହେଉଛି। ତେବେ ମହାମାରୀ କରୋନା ସଂକ୍ରମଣ ରୋକିବା ଉଦ୍ଦେଶ୍ୟରେ କେନ୍ଦ୍ର ତଥା ରାଜ୍ୟ ସରକାର ରାତି ୯ଟାଠାରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଜାରି କରିଛନ୍ତି। ରାତିରେ ଗୋରୁ ଚୋରା ଚାଲାଣ ରାକେଟ୍‌ ସକ୍ରିୟ ହୋଇଉଠିଛନ୍ତି। ତେବେ ବେଗୁନିଆ-ପାରିଖେତା ଅଞ୍ଚଳର ଏକ ସ୍ବତନ୍ତ୍ର ସଂପ୍ରଦାୟର ଗୋଷ୍ଠୀ ଅଞ୍ଚଳରୁ ଗୋରୁ ଚୋରା ଚାଲାଣ କରିଆସୁଛନ୍ତି।

ତେବେ ଏକ ସପ୍ତାହ ଧରି ରଣପୁର ସମେତ ସୁନାଖଳା, ଗଡ଼ବାଣିକିଲୋ, ଲୋଧାଚୁଆ, ସାରଙ୍ଗଧରପୁର, କୋଇଲମା, ତାଳକଣି, କୁଳାସର, ଗୋପାଳପୁର, ଚାନ୍ଦପୁର ଆଦି ବିଭିନ୍ନ ଅଞ୍ଚଳରୁ ବହୁ ଗୋରୁ ଚାଲାଣ ହୋଇଆସୁଛି। ତେବେ ସଂଗୃହୀତ ଗୋରୁଙ୍କୁ ବାହାର ରାଜ୍ୟ, ଯଥା: ଆନ୍ଧ୍ରପ୍ରଦେଶ, କଲିକତା, ମାଡ୍ରାସ ଓ ଗୁଜୁରାଟ ଆଦି ରାଜ୍ୟକୁ ଚୋରା ଚାଲାଣ କରୁଛନ୍ତି। ଅପରପକ୍ଷେ, ଅନେକ ମାଲିକ ଚାରଣ ଭୂମି ଅଭାବରୁ ଗାଈଗୋରୁଙ୍କୁ ଉଦା ବା ବାହାରେ ଖୋଲାମେଲାରେ ଛାଡ଼ିଦେଉଥିବାରୁ ଏହି ଚୋରା ରାକେଟ୍‌ ବିଭିନ୍ନ ଉପାୟ ଅବଲମ୍ବନ କରି ବିଶେଷତଃ ସ୍କର୍ପିଓ, ବଲେରୋ ଆଦି ଗାଡ଼ିରେ ଗୋରୁଙ୍କୁ ଉଠାଇ ନେଉଥିବାର ନଜିର୍‌ ରହିଛି। ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ୭ ନମ୍ବର ୱାର୍ଡର ମହେଶ୍ବର ସାହୁଙ୍କ ଗୋଟିଏ ଗାଈ, ୪ ନମ୍ବର ୱାର୍ଡର ନରେଶ ପଟ୍ଟନାୟକଙ୍କ ଗୋଟିଏ ଗାଈ ଓ ଜଗନ୍ନାଥ ସାହୁଙ୍କ ଗୋଟିଏ ଗାଈ ଏହିପରି ଭାବେ ଶତାଧିକ ଗାଈ ବିଭିନ୍ନ ଅଞ୍ଚଳରୁ କର୍ଫ୍ୟୁ ସମୟରେ ଚୋରି ହୋଇଥିବା ଅଭିଯୋଗ ହୋଇଛି।

ତେବେ ଏହି ଚୋରା ରାକେଟ୍‌ ବିଭିନ୍ନ ଥାନା ଅଞ୍ଚଳରେ ପୁଲିସ କର୍ମଚାରୀଙ୍କୁ ମାସିକିଆ ବଟି ଦେଇ ଉକ୍ତ ଚୋରା ବେପାର ଆପଣେଇଥିବା ନେଇ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି। ତୁରନ୍ତ ଏହା ଉପରେ କଡ଼ା ଆଭିମୁଖ୍ୟ ଆପଣେଇବାକୁ ପ୍ରଶାସନ ନିକଟରେ ବିଭିନ୍ନ ସାମାଜିକ ସଂଗଠନ ତରଫରୁ ଦାବି ହେଉଛି। ତେବେ ଏଭଳି ଅଭିଯୋଗ ଆସିଲେ ଆମେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ ବୋଲି ସ୍ଥାନୀୟ ଆଇଆଇସି ଜ୍ୟୋତିପ୍ରକାଶ ପଣ୍ତା କହିଛନ୍ତି।

ସମ୍ବନ୍ଧିତ ଖବର