ବେଆଇନ ଗୋଚାଲାଣ: ଟ୍ରକ ଜବତ, ୨୭ ଗୋରୁ ଉଦ୍ଧାର

‌କେନ୍ଦୁଝର/ବାଂଶପାଳ : ପ୍ରାୟ ପ୍ରତିଦିନ ଶହ ଶହ ଗୋରୁ ବେଆଇନ୍ ଭାବେ ଚାଲାଣ ହେଉଥିବା ଲୋକେ ଉଦ୍ଧାର କରୁଛନ୍ତି। କିଛିଦିନ ପୂର୍ବେ କେନ୍ଦୁଝର ସହର ଗାନ୍ଧୀଛକ ନିକଟରୁ ଦୁଇଟି କଣ୍ଟେନରରେ ଶତାଧିକ ଗୋରୁ ଚାଲାଣ ହେଉଥିବା ‌ବେଳେ ଲୋକମାନେ ଧରି ପୁଲିସକୁ ଜିମା ଦେଇଥିଲେ । ସେହିପରି ଆଜି ମଧ୍ୟ ୨୭ଟି ଗୋରୁ ଚାଲାଣ ହେଉଥିବା ବେଳେ ଉଦ୍ଧାର କରାଯାଇଛି।

୪୯ ନମ୍ବର ଜାତୀୟ ରାଜପଥରେ ଡବ୍ଲୁବି-୩୩ଡି-୫୮୬୯ ନମ୍ବର ବିଶିଷ୍ଟ ଏକ ୧୪ ଚକିଆ ଟ୍ରକ କୋଲକାତା ଅଭିମୁଖେ ୨୭ଟି ଗୋରୁ ନେଇ ଯାଉଥିଲା । ସଂପୃକ୍ତ ଟ୍ରକର ପତି କାଞ୍ଜିପାଣି ନିକଟରେ ଭାଙ୍ଗି ଯାଇଥିଲା । ଫଳରେ ଟ୍ରକ ଡ୍ରାଇଭର ଜଣେ ମିସ୍ତ୍ରିକୁ ନେଇ କାମ କରାଉଥିଲା । ଟ୍ରକରେ ଗୋରୁ ଥିବାରୁ ମିସ୍ତ୍ରି ସ୍ଥାନୀୟ ଲୋକଙ୍କୁ ସୂଚନା ଦେଇଥିଲେ । ଫଳରେ ବହୁ ସଂଖ୍ୟାରେ ଲୋକମାନେ ଆସି ଗାଡିକୁ ଅଟକ ରଖିଥିଲେ । ପରେ କେନ୍ଦୁଝର ବିଜେପିର କର୍ମକର୍ତ୍ତାମାନେ ପହଞ୍ଚି ଗାଡ଼ି ଡାଲାରେ ୨୭ଟି ଗୋରୁ ବନ୍ଧା ହୋଇଥିବା ଦେଖିଥିଲେ। ସେଥିରୁ ଗୋଟିଏ ଗୋରୁ ମୃତ୍ୟୁ ବରଣ କରିଥିଲା। ବିଜେପି କର୍ମକର୍ତ୍ତା ପହଞ୍ଚିବା ପୂର୍ବରୁ ଟ୍ରକର ଡ୍ରାଇଭର ଓ ହେଲପର ସେଠାରୁ ଚମ୍ପଟ ମାରିଥିଲେ। ଅଭିଯୋଗକୁ ଭିତ୍ତି କରି କାଞ୍ଜିପାଣି ଥାନାରେ କେସ ନମ୍ବର ୧୨/ ୨୦୨୧ ଏକ ମାମଲା ରୁଜୁ ହୋଇଛି। ପରେ ୨ଟି ଟ୍ରକରେ ସମସ୍ତ ଗୋରୁଙ୍କୁ କରଞ୍ଜିଆ ଗୋଶାଳାକୁ ପଠାଇ ଦିଆଯାଇଛି। ଗୋରୁ ଉଦ୍ଧାର ବେଳେ କେନ୍ଦୁଝର ବଜରଙ୍ଗ ଦଳ ପୂର୍ବତନ ସଭାପତି ସରୋଜ କୁମାର ନାୟକ, ବିଜେପି ରାଜ୍ୟ ଯୁବ ମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ପ୍ରକାଶ ମଲ୍ଲିକ, ପୂର୍ବତନ ସଦର ବ୍ଲକ ‌ଅଧ୍ୟକ୍ଷା କିରଣବାଳା ନାଏକ, ବିଜେପି ଜିଲ୍ଲା ଯୁବ ମୋର୍ଚ୍ଚା ସଂପାଦକ ସଂଜୟ କୁମାର ମହାନ୍ତି, ଦୀପକ ତରେଇ, ଆଶିଷ ପରିଡା, ରଂଜିତ ବାରିକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର