ଚୁପ୍‌ ବସିଛନ୍ତି ଡିସିପିଓ, ସିଡବ୍ଲ୍ୟୁସି; ସୁନ୍ଦରଗଡ଼ ଜିଲ୍ଲାରେ ବଢ଼ୁଛି ବେଆଇନ ଶିଶୁ ବିକ୍ରି!

ରାଉରକେଲା : କରୋନା ସଙ୍କଟର ଫାଇଦା ଉଠାଉଛନ୍ତି ଦଲାଲ। ନିରୀହ ଆଦିବାସୀଙ୍କୁ ଅର୍ଥ ଲୋଭ ଦେଖାଇ ସେମାନଙ୍କ ନବଜାତ ଶିଶୁଙ୍କୁ ଅନ୍ୟ ହାତକୁ ଟେକି ଦେଉଛନ୍ତି। ଟେର୍‌ ପାଉ ନାହାନ୍ତି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଓ ଶିଶୁ ମଙ୍ଗଳ ସମିତି। ନବଜାତ ଶିଶୁମାନଙ୍କ ତଥ୍ୟ ରଖୁଥିବା ଆଶା ଓ ଅଙ୍ଗନବାଡିକର୍ମୀ ମଧ୍ୟ ଏ ସଂକ୍ରାନ୍ତରେ ବିଭାଗୀୟ ଅଧିକାରୀଙ୍କୁ କୌଣସି ସୂଚନା ଦେଉ ନାହାନ୍ତି। ଫଳରେ ଏହାର ଭରପୁର ସୁଯୋଗ ଉଠାଉଛନ୍ତି ଜିଲ୍ଲାରେ ମାତିଥିବା କିଛି ତଥାକଥିତ ଦଲାଲ। ଛୁଆ ନେଉଥିବା ଲୋକ ଓ ନବଜାତ ଶିଶୁର ମା’, ପରିବାର ସହ ମଧ୍ୟରେ ମଧ୍ୟସ୍ଥି ସାଜୁଛନ୍ତି। ଗତ ତିନି ମାସ ମଧ୍ୟରେ ତିନି ତିନିଟି ନବଜାତ ଶିଶୁଙ୍କୁ‌ ବେଆଇନ ଭାବେ ଅନ୍ୟକୁ ଟେକି ଦିଆଯିବା ଏହାର ଜ୍ବଳନ୍ତ ଉଦାହରଣ।

ନିକଟରେ ନୂଆଗାଁ କଣ୍ଟାଝର ଅଞ୍ଚଳର ଜଣେ ଆସିଡିଏସ୍‌ କର୍ମୀ ନବଜାତ ଶିଶୁଙ୍କୁ ନିଜ କୋଳକୁ ନେଇ ଯାଇଛନ୍ତି। ଗତ ମାର୍ଚ୍ଚ ୩ରେ ଜଗଦା ଅଞ୍ଚଳର ଜଣେ ଶିକ୍ଷୟିତ୍ରୀ ସେହି ସମାନ ଆଇନ ବିରୋଧୀ କାମ କରିଛନ୍ତି। ହାତୀବାରି ଅଞ୍ଚଳର ଜଣେ ନିରୀହ ଆଦିବାସୀଙ୍କ ତାଙ୍କ ନବଜାତ ପୁତ୍ରସନ୍ତାନକୁ ଜଗଦାର ଜଣେ ଶିକ୍ଷୟତ୍ରୀଙ୍କୁ ଟେକି ଦେଇଥିଲେ। ସେମିତି ନିକଟରେ ନୂଆଗାଁ ପିତଲ ଗାଁରେ ସମାନ ଘଟଣା ଘଟିଥିଲା। ମା’ଙ୍କ ମୃତ୍ୟୁ ପରେ ନବଜାତ ଶିଶୁକନ୍ୟାକୁ ଜଣେ ଅଙ୍ଗନବାଡି କର୍ମୀ ନେଇଯାଇଥିଲେ। ଚାଇଲ୍‌ଡ ଲାଇନ ନିକଟରେ କଥା ପହଞ୍ଚିଲା। ଟିମ୍‌ର ସଦସ୍ୟ, ସ୍ଥାନୀୟ ପୁଲିସ ସହାୟତାରେ ଅଙ୍ଗନବାଡିଙ୍କୁ ଠାବ କରିବା ସହ ଜିଲ୍ଲା ଶିଶୁ ମଙ୍ଗଳ ସମିତିକୁ ଜଣାଇଥିଲେ। ଅଙ୍ଗନବାଡିକର୍ମୀ ଜଣକ ସିଡବ୍ଲ୍ୟୁସି କୋର୍ଟରେ ନବଜାତ ଶିଶୁକନ୍ୟା ସହ ହାଜର ହୋଇଥିଲେ। ଦ୍ବିତୀୟ ଦିନରେ ସିଡବ୍ଲ୍ୟୁସି ଅଧ୍ୟକ୍ଷ ଓ ଅନ୍ୟ ସଦସ୍ୟସଦସ୍ୟାଙ୍କ ଉପସ୍ଥିତିରେ ନବଜାତ ଶିଶୁକନ୍ୟାକୁ ତାଙ୍କ ବାପାକୁ ଫେରାଇଥିଲେ।

ନୂଆଗାଁ ଅଞ୍ଚଳର ଜଣେ ଯୁବତୀ ଗଞ୍ଜୁଟୋଲାର ଜଣେ ଯୁବକକୁ ବିବାହ କରିଥିଲେ। ଯୁବତୀ ଜଣକ ଗର୍ଭବତୀ ଅବସ୍ଥାରେ କରୋନା ଆକ୍ରାନ୍ତ ହୋଇଥିଲେ। ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଚିକିତ୍ସା ପାଇଁ ସ୍ବାମୀ ଓ ପରିବାର ଲୋକ ଉଦିତନଗରସ୍ଥିତ ଶାନ୍ତି ମେମୋରିଆଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଗତ ମେ ୨ ତାରିଖରେ କନ୍ୟାସନ୍ତାନକୁ ଜନ୍ମ ଦେଇଥିଲେ। କିନ୍ତୁ ନବଜାତ ଶିଶୁକନ୍ୟା କରୋନା ମୁକ୍ତ ଥିଲେ। ଦିନକ ପରେ ଅର୍ଥାତ୍‌ ୩ ତାରିଖରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କର ମୃତ୍ୟୁ ହୋଇଯାଇଥିଲା। ମହିଳାଙ୍କ ସ୍ବାମୀ ନବଜାତ ଶିଶୁକନ୍ୟାକୁ ଘରକୁ ନେଇଥିଲେ। ଏହି ଖବର ପାଇ ସେଠାରେ ଏକ ଅଙ୍ଗନବାଡିରେ କାମ କରୁଥିବା ଉଦିତନଗର ଓରାମପଡାର ମହିଳା ମୃତ ମହିଳାଙ୍କ ଘରେ ପହଞ୍ଚିଥିଲେ। ତାଙ୍କ ସ୍ବାମୀଙ୍କୁ ବୁଝାବୁଝି କରି ନବଜାତ ଶିଶୁକନ୍ୟାଟିକୁ ନିଜ ଘରକୁ ନେଇଆସିଥିଲେ। କେବଳ ଜିଲ୍ଲାରେ ଏହି ତିନିଟି ଘଟଣା ନୁହେଁ ଜିଲ୍ଲାର ଏମିତି ଅନେକ ଘଟଣା ଘଟୁଥିଲେ ହେଁ ଉଭୟ ବିଭାଗୀୟ ଅଧିକାରୀ ସୂଚନା ପାଉ ନାହାନ୍ତି।

Arab News

ନିୟମ ଅନୁଯାୟୀ ଜଣେ ପୋଷ୍ୟସନ୍ତାନ ଗ୍ରହଣ କରିବାକୁ ହେଲେ ଅନ୍‌ ଲାଇନରେ ଆବେଦନ ନିଜ ନାମ ପଞ୍ଜିକରଣ କରିବାକୁ ପଡିବ। ତାଙ୍କୁ ସ୍ପେଲିଆଲ୍‌ ଆଡପ୍‌ସନ୍‌ ଏଜେନ୍ସି (ସାଆ)ରେ ଥିବା ତିନିଟି ଶିଶୁର ଫଟୋ ଦେଖାଯିବ। ଆବେଦନକାରୀ ତିନିଟି ଶିଶୁ ମଧ୍ୟରେ ଜଣକୁ ଚୟନ କରିବେ। ପରେ ତାଙ୍କୁ ସରକାରୀ ନୀତି ନିୟମ ଅନୁଯାୟୀ ଶିଶୁଙ୍କୁ ହସ୍ତାନ୍ତର କରାଯିବ। ସୁନ୍ଦରଗଡ ଜିଲ୍ଲାରେ କିନ୍ତୁ ଏହାର ବହୁ ବ୍ୟତିକ୍ରମ ପରିଲକ୍ଷିତ ହେଉଛି। କିଛି ଦଲାଲ ଗ୍ରାମସଭା, କୋର୍ଟରେ ପୋଷ୍ୟ ସନ୍ତାନ ସମ୍ପର୍କିତ ରାଜିନାମା କରି ନବଜାତ ଶିଶୁ ନେଇଯାଉଛନ୍ତି। ଯାହା ସମ୍ପୂର୍ଣ୍ଣ ବେଆଇନ ବୋଲି ସିଡବ୍ଲ୍ୟୁସି ଅଧ୍ୟକ୍ଷ ରାମଚନ୍ଦ୍ର ବେହୋର କହିଛନ୍ତି। ସେ କହିଛନ୍ତି, ଜିଲ୍ଲାରେ ଏମିତି ଅନେକ ଘଟଣା ଘଟୁଛି। କିନ୍ତୁ ଲୋକଲୋଚନକୁ ଆସୁ ନାହିଁ। ଦାୟିତ୍ବରେ ଥିବା ଆଶା ଓ ଅଙ୍ଗନବାଡି କର୍ମୀମାନେ ଏ ସଂମ୍ପର୍କରେ କିଛି ସୂଚନା ଦେଉ ନାହାନ୍ତି। ଫଳରେ ଏମିତି ଘଟଣାର ବାରମ୍ବାର ପୁନରାବୃତ୍ତି ଘଟୁଛି। ଅଭିଯୋଗ ଆସିବା ମାତ୍ରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯାଉଛି।

ସେପଟେ ନବଜାତ ଶିଶୁ କିଣାବିକା ରୋକିବାକୁ ଦୁଇ ବିଭାଗ ପକ୍ଷରୁ କୌଣସି ଠୋସ୍‌ ପଦକ୍ଷେପ ନିଆଯାଉ ନାହିଁ କିମ୍ବା ଲୋକଙ୍କ ମଧ୍ୟରେ ସଚେତତନତା କାର୍ଯ୍ୟକ୍ରମ ସୃଷ୍ଟି କରାଯାଉ ନଥିବାରୁ ସୁନ୍ଦରଗଡ୍ ଜିଲ୍ଲାରେ ନବଜାତ ଶିଶୁ ବିକ୍ରି ବଢ଼ିବାରେ ଲାଗିଛି। ଏଥିପ୍ରତି ଦୁଇ ବିଭାଗ ପ୍ରାଥମିକତା ଦେବାର ଆବଶ୍ୟକତା ରହିଛି।

ସମ୍ବନ୍ଧିତ ଖବର