ପୁରୀ: ପୁରୀ ବେଳାଭୂମିରେ ବେଆଇନ୍‌ ନିର୍ମାଣ ଓ ପ୍ଲଟିଂକୁ ନେଇ ତମ୍ବିତୋଫାନ ପରେ ଶେଷରେ ଓଡ଼ିଶା ତଟକୂଳ ପରିଚାଳନା କର୍ତ୍ତୃପକ୍ଷ(ଓସିଜେଡ୍‌ଏମ୍‌ଏ) ସିଆରଜେଡ୍‌ ଅନୁମତିକୁ ପ୍ରତ୍ୟାହାର କରିନେଇଛନ୍ତି। ବେଳାଭୂମି ଉପରେ ନିର୍ମାଣ ସଂପୂର୍ଣ୍ଣ ବେଆଇନ୍‌ ବୋଲି ଦର୍ଶାଇଛନ୍ତି। ପରେ ଆଜି ପିକେଡିଏ, ରାଜସ୍ବ ବିଭାଗର ଅଧିକାରୀ ଓ ପୁଲିସକୁ ନେଇ ଗଠିତ ଯୁଗ୍ମ ଦଳ ଘଟଣାସ୍ଥଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି।

Advertisment

ଅପରପକ୍ଷେ ଯେହେତୁ ଏହା ପରିବେଶ ସୁରକ୍ଷା ଆଇନ(ଇପି ଆକ୍ଟ) ଅଧୀନରେ ଆସୁଛି, ସେ ଦୃଷ୍ଟିରୁ ପିକେଡିଏ ଏହି ବେଆଇନ୍‌ ଘର ଭାଙ୍ଗିବାକୁ ମନା କରିଦେଇଛି। ଉପଜିଲ୍ଲାପାଳ ପରବେଶ ସୁରକ୍ଷା ଆଇନର ଅଧିକୃତ ଅଧିକାରୀ ଥିବା ବେଳେ ସେ ହିଁ କେବଳ ଏହି ବେଆଇନ୍‌ ଘରକୁ ଭାଙ୍ଗିବାକୁ ନିର୍ଦ୍ଦେଶ ଦେଇପାରିବେ। କିନ୍ତୁ ଏହି ବେଆଇନ୍‌ ନିର୍ମାଣ ଓ ପ୍ଲଟିଂ ଘଟଣା ସପ୍ତାହେ ତଳୁ ନଜରକୁ ଆସିଥିଲେ ବି ଉପଜିଲ୍ଲାପାଳ ଏଯାଏ କାହିଁକି ନିରବ ରହିଛନ୍ତି, ତାହା ବୁଝାପଡ଼ୁନାହିଁ। ହରଚଣ୍ଡୀସାହି ନାଗାମଠ ଲେନ୍‌ର ଜଣେ ମହିଳାଙ୍କ ନାଁରେ ବେଳାଭୂମି ଉପରେ ଏହି ବେଆଇନ୍‌ ନିର୍ମାଣ ପାଇଁ ସିଆରଜେଡ୍‌ ଅନୁମତି ମିଳିଥିଲା। ଯାହା ବଳରେ ସଂପୃକ୍ତ ମହିଳା ତାଙ୍କର ସ୍ଥିତିବାନ ପ୍ଲଟଥିବା ଦର୍ଶାଇ ଷ୍ଟର୍ଲିଙ୍ଗ ଛକ ନିକଟରେ ବେଳାଭୂମି ଉପରେ ଘର ନିର୍ମାଣ ଆରମ୍ଭ କରିଦେଇଥିଲେ। ପ୍ଲଟିଂ ପାଇଁ ଜାଗାରେ ହଳଦିଆ ଖୁଣ୍ଟି ବି ପୋତି ସାରିଥିଲେ। ଏସମ୍ପର୍କିତ ଖବର ପ୍ରକାଶ ପରେ ପିକେଡିଏ ଓସିଜେଡ୍‌ଏମ୍‌ଏକୁ ଚିଠି ଲେଖିଥିଲା। ବେଳାଭୂମି ଉପରେ ଏହି ନିର୍ମାଣ ହେଉଥିବା ଓ ଏହା ସମୁଦ୍ରର ଉଚ୍ଚ ଜୁଆରଠାରୁ ମାତ୍ର ୫୦ ମିଟର ଭିତରେ ନିର୍ମାଣ ହେଉଥିବା ଏଥିରେ ଦର୍ଶାଯାଇଥିଲା। ସିଆରଜେଡ୍‌ ଅନୁମତିର ପୁନଃବିଚାର କରିବାକୁ ପିକେଡିଏ ଜଣାଇଥିଲା। ସେପଟେ ସଂପୃକ୍ତ ମହିଳା ଦଖଲ ଜାଗାରେ ପିକେଡିଏଠାରୁ ଗୃହ ନିର୍ମାଣର ପ୍ଲାନିଂ ଅନୁମତି ମାଗିଥିଲେ ବି ଏହାକୁ ଖାରଜ କରି ଦେଇଥିଲା ପିକେଡିଏ। ଏବେ ଓସିଜେଡ୍‌ଏମ୍‌ଏ ସଂପୃକ୍ତ ମହିଳାଙ୍କୁ ବ୍ୟକ୍ତିଗତ ଗୃହ ନିର୍ମାଣ ପାଇଁ ଯେଉଁ ଅନୁମତି ଦେଇଥିଲା, ତାକୁ ପ୍ରତ୍ୟାହାର କରି ନେଇଛି।

ଓସିଜେଡ୍‌ଏମ୍‌ଏ ସଦସ୍ୟ ତଥା ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ନିର୍ଦ୍ଦେଶକ ଏସମ୍ପର୍କରେ ସଂପୃକ୍ତ ମହିଳାଙ୍କୁ ଚିଠି କରିଛନ୍ତି। ଏଥିରେ କୁହାଯାଇଛି, ସିଆର୍‌ଜେଡ୍‌ ଅନୁମତି ଦେବା ପୂର୍ବରୁ କିଛି ସର୍ତ୍ତାବଳୀ ଥିଲା। ଯେଉଁଥିରେ ପିକେଡିଏ ଅନୁମତି ଆଧାରରେ ଗୃହ ନିର୍ମାଣ ହୋଇପାରିବ। କିନ୍ତୁ ଏହି ସର୍ତ୍ତାବଳୀକୁ ଉଲ୍ଲଂଘନ କରି ନିର୍ମାଣ କରାଯିବା ସଂପୂର୍ଣ୍ଣ ବେଆଇନ। ଏଣୁ ସିଆରଜେଡ୍‌ ଅନୁମତି ପ୍ରତ୍ୟାହାର କରାଯାଉଛି ବୋଲି ଚିଠିରେ ଦର୍ଶାଯାଇଛି। ପିକେଡିଏ ସଚିବ ମାୟାଧର ବେହେରା କହିଛନ୍ତି, ଓଡି ଆକ୍ଟ ଆଧାରରେ ଆମେ ଯାହା କିଛି କାର୍ଯ୍ୟାନୁଷ୍ଠାନ ନେଇପାରିବୁ। କିନ୍ତୁ ଏହି ନିର୍ମାଣ ଇପି ଆକ୍ଟରେ ଆସୁଛି। ଏହି ଆଇନ କାର୍ଯ୍ୟକାରୀ କରିବାର ଅଧିକୃତ ଅଧିକାରୀ ହେଉଛନ୍ତି ଉପଜିଲ୍ଲାପାଳ। ସେ ଯାହା ପଦକ୍ଷେପ ନେଇପାରିବେ।