ଜବରଦଖଲକାରୀଙ୍କୁ ସରକାରୀ ଅନୁକମ୍ପା!

ରାଜସ୍ୱ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ପ୍ରାରମ୍ଭିକ ଆଲୋଚନା, ଜବରଦଖଲକାରୀଙ୍କ ଥଇଥାନ ପାଇଁ ନୂଆ ବିଲ୍‌ ଆସିବ

ଭୁବନେଶ୍ୱର : ସହରାଞ୍ଚଳରେ ଜବରଦଖଲ କରି ରହୁଥିବା ଗରିବଙ୍କ ପାଇଁ ଜାଗା, ଜମି ଅଧିକାରକୁ ଆଇନଗତ ସ୍ୱୀକୃତି ଦେବା ଦିଗରେ ରାଜ୍ୟ ସରକାର ଆଉ ପାଦେ ଆଗେଇଛନ୍ତି। ଯେଉଁ ଜବରଦଖଲକାରୀମାନେ ଅସ୍ଥାୟୀ ଭାବେ ଦୀର୍ଘବର୍ଷ ଧରି ଘର କରି ରହିଛନ୍ତି, ସେମାନଙ୍କୁ ଥଇଥାନ କରାଯିବ। ସ୍ଥାୟୀ ଭାବେ ଜାଗାର ମାଲିକାନା ମିଳିବ ସେମାନଙ୍କୁ। ଏ ନେଇ ବିଲ୍‌ ପ୍ରଣୟନ କରିବାକୁ ମଧ୍ୟ ସରକାରୀ ତତ୍ପରତା ପ୍ରକାଶ ପାଇଛି।

ଆଜି ସଚିବାଳୟରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ମହେଶ୍ୱର ମହାନ୍ତିିଙ୍କ ଅଧ୍ୟକ୍ଷତାରେ ଏ ନେଇ ପ୍ରାରମ୍ଭିକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରୁ ମିଳିଥିବା ସୂଚନା ମୁତାବକ ରାଜ୍ୟର ବିଭିନ୍ନ ସହରାଞ୍ଚଳର ଜନବସତିିଗୁଡ଼ିକରେ ଦୀର୍ଘବର୍ଷ ଧରି ବସବାସ କରୁଥିବା ଲୋକମାନଙ୍କର ଜମି ପଟ୍ଟା ନାହିଁ। ସରକାରୀ ତାଲିକାରେ ସେମାନଙ୍କୁ ଜବରଦଖଲକାରୀ ଭାବେ ବିବେଚନା କରାଯାଉଛି। ସରକାର ଗୋଟିଏ ପଟେ ବିଭିନ୍ନ କଲ୍ୟାଣକର ଯୋଜନାରେ ସେମାନଙ୍କୁ ବିଜୁଳି, ପାଣି ଯୋଗାଇ ଦେଉଛନ୍ତି ଓ ବିଭିନ୍ନ ଯୋଜନାରେ ହିତାଧିକାରୀ ଭାବେ ସେମାନଙ୍କୁ ତାଲିକାଭୁକ୍ତ କରାଯାଉଛି। ଅନ୍ୟପଟରେ କିନ୍ତୁ ଜବରଦଖଲକାରୀ ହୋଇଥିବାରୁ ସେମାନେ ବ୍ୟାଙ୍କ ଋଣ ଭଳି କିଛି ବିଶେଷ ସୁବିଧା ହାସଲରୁ ବଞ୍ଚିତ ହେଉଛନ୍ତି।

ଏହି ସମସ୍ୟାର ସମାଧାନ ଲାଗି ସରକାର ତତ୍ପରତା ଦେଖାଇଛନ୍ତି। ଯେଉଁମାନେ ବଳକା ସରକାରୀ ତଥା ଆପତ୍ତିବିହୀନ ଜମି ଜବରଦଖଲ କରି ବସବାସ କରୁଛନ୍ତି, ସେମାନଙ୍କ ପାଇଁ ସେହି ବେଆଇନ ଜାଗା, ଜମି ଜବରଦଖଲକୁ ନିୟମିତ କରିବା ପାଇଁ ଓଡ଼ିଶା ଜବରଦଖଲ ନିୟନ୍ତ୍ରଣ ୨୦୧୮ ସଂପର୍କିତ ନୂଆ ବିଲ୍‌କୁ ବିଧାନସଭାର ଆସନ୍ତା ଅଧିବେଶନରେ ଉପସ୍ଥାପନ କରାଯିବ। ଏହି ଚିଠା ବିଲ୍‌ ପ୍ରସ୍ତୁତ ହୋଇସାରିଥିଲେ ହେଁ ଏ ନେଇ ସରକାରୀ ସ୍ତରରେ ଆପତ୍ତି ଅଭିଯୋଗ ହୋଇଛି। ରାଜସ୍ୱ ବିଭାଗ ଏହି ଚିଠା ବିଲ୍‌କୁ ପରିମାର୍ଜିତ କରିବା ପାଇଁ ପରାମର୍ଶ ଦେଇଛି। ଆଜି ଅନୁଷ୍ଠିତ ବୈଠକରେ ସେହି ଚିଠା ନେଇ ମିଳିଥିବା ବିଭିନ୍ନ ପରାମର୍ଶ, ପ୍ରସ୍ତାବ ଉପରେ ବିଶଦ ଭାବେ ଆଲୋଚନା ହୋଇଥିଲା। ସେହି ପ୍ରସ୍ତାବ, ପରାମର୍ଶକୁ ବିଚାରକୁ ନେଇ ଚିଠା ପ୍ରସ୍ତୁତି ଚୂଡ଼ାନ୍ତ କରିବାକୁ ରାଜସ୍ୱ ମନ୍ତ୍ରୀ ଶ୍ରୀ ମହାନ୍ତି ଉଭୟ ରାଜସ୍ୱ ଏବଂ ନଗର ଉନ୍ନୟନ ବିଭାଗକୁ ନିର୍ଦେଶ ଦେଇଥିଲେ। ଚିଠା ପ୍ରସ୍ତୁତ କଲା ବେଳେ ଅନ୍ୟ ରାଜ୍ୟମାନଙ୍କରେ କିଭଳି ବ୍ୟବସ୍ଥାମାନ ଅବଲମ୍ବନ କରାଯାଇଛି ସେଗୁଡ଼ିକୁ ଅନୁଧ୍ୟାନ କରିବାକୁ ମଧ୍ୟ କୁହାଯାଇଛି। ତେବେ ମନ୍ତ୍ରୀଙ୍କ ନିର୍ଦେଶ ଅନୁଯାୟୀ ଆସନ୍ତା ସପ୍ତାହରେ ପୁନର୍ବାର ବୈଠକ ଅନୁଷ୍ଠିତ ହେବ।

ଆଜିର ବୈଠକରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ସଚିବ ଜି. ମାଥିଭାଥ୍‌ନନ୍‌ ଅନୁପସ୍ଥିତ ଥିଲେ। ବିଧାୟକ ପ୍ରଭାତ ତ୍ରିପାଠୀ, ଦେବାଶିଷ ମହାପାତ୍ର, ଆକାଶ ଦାସନାୟକଙ୍କ ସମେତ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, ରାଜସ୍ୱ ବିଭାଗ ପ୍ରମୁଖ ସଚିବ ସି.ଏସ୍‌.ଚନ୍ଦ୍ରଶେଖର, ଅତିରିକ୍ତ ସଚିବ ଅଭୟ ନାୟକ, ନଗର ଉନ୍ନୟନ ବିଭାଗ ସ୍ୱତନ୍ତ୍ର ସଚିବ ପ୍ରେମ୍‌ କୁମାର ଝାଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

ଉଲ୍ଲେଖଯୋଗ୍ୟ, ପୂର୍ବରୁ ରାଜ୍ୟ ସରକାର ବସ୍ତି ବାସିନ୍ଦାଙ୍କ ପାଇଁ ଜମି ଅଧିକାର ଆଇନ, ୨୦୧୮ ଆଇନ ବଳରେ ରାଜ୍ୟର ବସ୍ତିବାସନ୍ଦାମାନଙ୍କୁ ଜାଗା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। ବସ୍ତିବାସିନ୍ଦାଙ୍କ ମଧ୍ୟରୁ ଆର୍ଥିକ ଅନଗ୍ରସରମାନଙ୍କୁ ମାଗଣାରେ ଜାଗା ଦିଆଯିବ। ସରକାରୀ ଘୋଷଣା ମୁତାବକ ବିଜ୍ଞାପିତ ଅଞ୍ଚଳରେ ସର୍ବାଧିକ ୬୪୬ ବର୍ଗଫୁଟ୍‌, ପୌରାଞ୍ଚଳରେ ୪୮୪ ବର୍ଗଫୁଟ୍‌ ଜାଗା ଦିଆଯାଉଛି। ଯେଉଁ ବସ୍ତିରେ ବାସୋପଯୋଗୀ ଜାଗା ନଥିବ, ସେ କ୍ଷେତ୍ରରେ ହିତାଧିକାରୀମାନଙ୍କୁ ସ୍ଥାନାନ୍ତର କରି ପ୍ରତ୍ୟେକଙ୍କୁ ୩୨୩ ବର୍ଗଫୁଟ୍‌ ଜାଗା ଦିଆଯିବାର ବି ବ୍ୟବସ୍ଥା ରହିଛି।

ସମ୍ବନ୍ଧିତ ଖବର