ଭଙ୍ଗାହେଲା ଇସ୍କନ ଜବରଦଖଲ

ଭୁବନେଶ୍ୱର : ଦୀର୍ଘ ବର୍ଷ ହେଲା ଇସ୍କନ୍‌ ମନ୍ଦିର କର୍ତ୍ତୃପକ୍ଷ ଜାତୀୟ ରାଜପଥକୁ ମାଡ଼ି ବେଆଇନ ଭାବେ ନିର୍ମାଣ କରିଥିବା ପ୍ରଭୁପାଦ ସ୍ୱାମୀଙ୍କ କୋଠରୀ, ଗୌର ଗୋବିନ୍ଦ ସ୍ୱାମୀଙ୍କ ସମାଧି, ଦୋକାନ, ଜୋତା ଷ୍ଟାଣ୍ଡ ଏବଂ ଅନ୍ୟାନ୍ୟ ବେଆଇନ ନିର୍ମାଣକୁ ଆଜି ବିଡିଏ ଓ ବିଏମ୍‌ସି ପକ୍ଷରୁ ଉଚ୍ଛେଦ କରାଯାଇଛି। ଜାତୀୟ ରାଜପଥ-୫ର ପ୍ରାୟ ୨୪୦୦ବର୍ଗଫୁଟ ଜମି (୬୦ଫୁଟ ଲମ୍ବ ଏବଂ ୪୦ଫୁଟ ଓସାର) ଆଜି ଜବରଦଖଲ ମୁକ୍ତ ହୋଇଛି। ଇସ୍କନ୍‌ ଭକ୍ତଙ୍କ ବହୁ ବିରୋଧ, ଢେଲା ମାଡ଼, ପୁଲିସର ମୃଦୁ ଲାଠି ଚାଳନା ମଧ୍ୟରେ ସକାଳ ୧୦ଟାରୁ ଅପରାହ୍ନ ସାଢେ ଦୁଇଟା ମଧ୍ୟରେ ଏହି ବହୁ ପ୍ରତୀକ୍ଷିତ ଜବରଦଖଲ ଉଚ୍ଛେଦ ହୋଇଛି।

ଇସ୍କନ୍‌ ମନ୍ଦିର ସମ୍ମୁଖ ଜାତୀୟ ରାଜପଥରୁ ଜଳ ନିଷ୍କାସନରେ ବାଧକ ସାଜୁଥିବା ଏହି ଜବରଦଖଲ ନେଇ ବିଏମ୍‌ସି ପକ୍ଷରୁ ଗତ ୨୫ତାରିଖରେ ଇସ୍କନ୍‌ କର୍ତ୍ତୃପକ୍ଷଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଥିଲା। ତୁରନ୍ତ ଏହାର ଉତ୍ତର ଦେବାକୁ କୁହାଯାଇଥିଲା। କିନ୍ତୁ ଇସ୍କନ୍‌ କର୍ତ୍ତୃପକ୍ଷ କିଛି ପଦକ୍ଷେପ ନନେବାରୁ ଆଜି ବିଏମ୍‌ସି ଓ ବିଡିଏ କର୍ତ୍ତୃପକ୍ଷ ଏକ୍ସକାଭେଟର ଲଗାଇ ବେଆଇନ ନିର୍ମାଣକୁ ମାଟିରେ ମିଶାଇ ଦେଇଛନ୍ତି।

ଆଜି ସକାଳ ୧୦ଟା ବେଳକୁ ବିଡିଏର ଅତିରିକ୍ତ କମିସନର ଭବାନି ଶଙ୍କର ଚଇନିଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ବିଡିଏ ଓ ବିଏମ୍‌ସିର ଚାରିଟି ସ୍କ୍ଵାଡ୍‌ ସହ ଦୁଇ ପ୍ଲାଟୁନ୍‌ ଏପିଆର୍‌ ପୁଲିସ ଫୋର୍ସ, କମିସନରେଟ୍‌ ପୁଲିସର ଏକ ସେକ୍ସନ୍‌ ମହିଳା ପୁଲିସ, ଫାୟାର ବ୍ରିଗେଡ୍‌ ସହ ଅଗ୍ନିଶମ ବିଭାଗର ଏକ ଦଳ ଏବଂ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡର ଏକ ସ୍କ୍ଵାଡ୍‌ ସଜବାଜ ହୋଇ ଇସ୍କନ୍‌ ସମ୍ମୁଖରେ ପହଞ୍ଚି ଯାଇଥିଲେ। ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲେ ହେଁ କେହି କିଛି ବୁଝିବା ପୂର୍ବରୁ ପୁଲିସ ଉଚ୍ଛେଦ ହେବାକୁ ଥିବା ଅଞ୍ଚଳକୁ ଘେରି ନେଇଥିଲା। ଏହାପରେ ଏକ୍ସାଭେଟର ଲଗାଇ ଦୋକାନ ଘର, ପାଚେରି, ଜୋତା ଷ୍ଟାଣ୍ଡ୍‌ ଭାଙ୍ଗିବା ଆରମ୍ଭ କରିଥିଲା। ଏହି ସମୟରେ ପୁଲିସ ଭକ୍ତି ବେଦାନ୍ତ ସ୍ୱାମୀଙ୍କ ପ୍ରଭୁପାଦ କୋଠରୀ ଓ ଗୌର ଗୋବିନ୍ଦ ସ୍ୱାମୀ ମହାରାଜ ଗୁରୁଦେବ ସମାଧିକୁ ସ୍ଥାନାନ୍ତର କରିବାକୁ ଇସ୍କନ୍‌ କର୍ତ୍ତୃପକ୍ଷଙ୍କକୁ କହିଥିଲେ। କିଛି ଭକ୍ତ ପ୍ରତିବାଦ କରିଥିଲେ। ପୁଲିସ ଭକ୍ତଙ୍କୁ ବୁଝାସୁଝା କରି ଉଚ୍ଛେଦ ଆରମ୍ଭ କରିଥିଲା। କିନ୍ତୁ ମଧ୍ୟାହ୍ନ ୧୨ଟା ବେଳକୁ କେତେକ ଭକ୍ତ ହରେ ରାମ ହରେ କୃଷ୍ଣ ସଂକୀର୍ତ୍ତନ କରି ଉଚ୍ଛେଦ ସ୍ଥଳକୁ ପଶି ଆସିଥିଲେ। ଏପରିକି ସେଠାରେ ଉପସ୍ଥିତି ଥିବା କେତେକ ଦେଖଣାହାରୀ ଏବଂ ପୁଲିସକୁ ପ୍ରତିବାଦ କରୁଥିବା ଭକ୍ତଙ୍କ ମଧ୍ୟରୁ ଅଚାନକ ଢେଲା ମାଡ଼ କରିଥିଲେ। ଏଥିରେ ଜଣେ ଅଟୋ ଚାଳକ ନଳିନୀକାନ୍ତ ତ୍ରିପାଠୀ ଆହତ ହେବା ସହ କେତେକ ପୁଲିସ ଯବାନ ଆହତ ହୋଇଥିଲେ। ଏହାପରେ ପୁଲିସ ମୃଦୁ ଲାଠି ଚାଳନା କରିଥିଲା। ଲାଠି ମାଡ଼ରେ କେତେକ ଶ୍ରଦ୍ଧାଳୁ ମଧ୍ୟ ଆହତ ହୋଇଥିଲେ। ଲାଠି ମାଡ଼ ହେବା ପରେ ଆଉ କେହି ବିରୋଧ କରିନଥିଲେ। ଢେଲା ମାଡ଼ ନେଇ ବିଡିଏ ଏନଫୋର୍ସମେଣ୍ଟ ଅଧିକାରୀଙ୍କ ପକ୍ଷରୁ ନୂଆପଲ୍ଲୀ ଥାନାରେ ଏକ ଏତଲା ଦିଆଯାଇଛି।

ଏହାପରେ କ୍ରିଷ୍ଣାପ୍ଲାଜ ସମ୍ମୁଖରେ ଥିବା ପାଖାପାଖି ୪୫ଶହ ବର୍ଗଫୁଟ୍‌ ଫୁଟ୍‌ ପାଥକୁ ମଧ୍ୟ ଜବରଦଖଲରୁ ମୁକ୍ତ କରାଯାଇଥିଲା। ବିଗ୍‌ ବଜାର ସମ୍ମୁଖରେ ରାସ୍ତାକୁ ମାଡ଼ି ନିର୍ମାଣ ହୋଇଥିବା ଅଞ୍ଚଳକୁ ଆଜି ଖୋଳା ଯାଇଛି। ଆଜି ଉଚ୍ଛେଦ ଟିମ୍‌ ଆଇଡି ମାର୍କେଟ୍‌ ଛକରୁ ଭଗବତ ଗୀତା ବିଦ୍ୟାମନ୍ଦିର ପର୍ଯ୍ୟନ୍ତ ଅଞ୍ଚଳ ରାସ୍ତାରୁ ଜବରଦଖଲ ଉଚ୍ଛେଦ କରିଛି। ପାଖାପାଖି ୪ଘଣ୍ଟା ଅପରେସନ ପରେ ଅଞ୍ଚଳକୁ ଜବରଦଖଲ ମୁକ୍ତ କରାଯାଇଛି। ତେବେ ହୋଟେଲ ପ୍ରେସିଡେନ୍‌ସି ସମ୍ମୁଖ ଅଞ୍ଚଳକୁ ଜବର ଦଖଲ ଉଚ୍ଛେଦ ପାଇଁ କର୍ତ୍ତୃପକ୍ଷ ଯାଇଥିବା ବେଳେ ହୋଟେଲ୍‌ କର୍ତ୍ତୃପକ୍ଷ ୨୦୦୭ ମସିହାରୁ ପାଇଥିବା ସ୍ଥଗିତାଦେଶ ଦେଖାଇଥିଲେ। ଫଳରେ ବିଏମ୍‌ସି ଓ ବିଡିଏ କର୍ତ୍ତୃପକ୍ଷ ଫେରିଯାଇଥିଲେ।

ଅପରପକ୍ଷେ ସୋମବାର ନୂଆପଲ୍ଲୀ ହଜରେ ହୋଇଥିବା ଜବରଦଖଲୁ ଉଚ୍ଛେଦ କରାଯିବ ବୋଲି ଜଣାପଡ଼ିଛି। ଏହାପରେ ମୁଖ୍ୟ ଡ୍ରେନ୍‌ ୧୦କୁ ପ୍ରଶସ୍ତ କରିବା ପାଇଁ ମାଷ୍ଟରପ୍ଲାନ୍‌ ପ୍ରସ୍ତୁତ ହେବ।

ସମ୍ବନ୍ଧିତ ଖବର