ଲକ୍‌ଡାଉନ୍‌ର ଫାଇଦା ଉଠାଉଛନ୍ତି ଜବରଦଖଲକାରୀ: ସରକାରୀ ଜାଗାରେ ଚାଲିଛି ଘର, ଦୋକାନ ନିର୍ମାଣ

୭ ବର୍ଷରେ ୧୧୭ ମାମଲା, କାର୍ଯ୍ୟାନୁଷ୍ଠାନ ଶୂନ, ଆଗେଇ ପାରୁନି ବିକାଶମୂଳକ କାର୍ଯ୍ୟ

ରାଉରକେଲା: ମହାମାରୀ କରୋନା କଟକଣାର ଫାଇଦା ଉଠାଉଛନ୍ତି ଜବରଦଖଲକାରୀ। ବିଭିନ୍ନ ସ୍ଥାନରେ ବହୁ ମୂଲ୍ୟବାନ ସରକାରୀ ଜମିକୁ ମାଡି ବସୁଛନ୍ତି। ଏଥି ମଧ୍ୟରେ ରହିଛି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମୂଲ୍ୟବାନ ଜମି। ରାତାରାତି ସେହି ଜାଗାରେ ଛିଡା ହୋଇ ଯାଉଛି ଘର, ଦୋକାନ। ଗତ ମାର୍ଚ୍ଚ ମାସରୁ ଆଜି ପର୍ଯ୍ୟନ୍ତ ସ୍ମାର୍ଟ ସିଟି ଓ ଏହାର ଆଖ ପାଖରେ ପ୍ରାୟ ଶହ ଶହ ଏକର ସରକାରୀ ଜମି ଜବରଦଖଲକାରୀଙ୍କ କବ୍‌ଜାକୁ ଚାଲି ଗଲାଣି।

ଜିଲ୍ଲା ପ୍ରଶାସନର ବିଭାଗୀୟ ଅଧିକାରୀ ‌କରୋନା ମୁକାବିଲାରେ ବ୍ୟସ୍ତ ଥିବାରୁ ଏହାର ଫାଇଦା ନେଉଛନ୍ତି କିଛି ତଥାକଥିତ ନେତା, ଜମି ମାଫିଆ। ସହରର କୋଏଲନଗର, ଛେଣ୍ଡ କଲୋନି, ବାସନ୍ତୀ କଲୋନି, ମାଲଗୋଦାମ, କଳିଙ୍ଗ ବିହାର, ଫର୍ଟିଲାଇଜରରେ ଖୁଲାଖୋଲି ଜବରଦଖଲ ଚାଲିଛି। ବନ୍ଧମୁଣ୍ଡାର ତିଲକାନଗର, କୋଇଲାଗେଟ, ଉତ୍ତମବସ୍ତି, ଡିଜେଲ କଲୋନି, ବି ସେକ୍ଟର, ସି ସେକ୍ଟର ଆଦିରେ ଘର ନିର୍ମାଣ ହେଉଛି। କେବଳ ସହର ଭିତରୁ ନୁହେଁ ସହର ଆଖପାଖରେ ମଧ୍ୟ ସେହି ସମାନ ସ୍ଥିତି। ବେଦବ୍ୟାସ ମାରିଆ ପାହାଡର ଏକର ଏକର ସରକାରୀ ଜମିକୁ କିଛି ଜମି ମାଫିଆ ମାଡି ବସିଲେଣି। ଏସବୁ ସ୍ଥାନରେ ଚାଲିଛି ବେଆଇନ ଘର, ଦୋକାନ ନିର୍ମାଣ। କେହି କେହି ଗୋଦାମ ଘର ନିର୍ମାଣ କରି ଅନ୍ୟମାନଙ୍କୁ ମାସିକ ମୋଟା ଅଙ୍କର ଭଡାରେ ଲଗାଇଛନ୍ତି। ସହରର ବିଶେଷ କରି ସିଭିଲଟାଉନସିପ୍‌, ଛେଣ୍ଡ କଲୋନୀର ଧାମରା ବସ୍ତି, ମଧୂସୂଦନପାଲୀ, ଗୋପବନ୍ଧପାଲୀ, ଦୁର୍ଗାପୁର ପାହାଡ ପାର୍ଶ୍ବ, ଲେବର ଟେନାମେଣ୍ଟ ପାହାଡ ପାର୍ଶ୍ବରେ ଶହ ଶହ ଏକର ଜମି ଜବରଦଖଲକାରୀଙ୍କ କବ୍‌ଜାକୁ ଚାଲିଯାଇଛି। ଅବଶିଷ୍ଟ ଯେତିକି ସରକାରୀ ଜାଗା ପଡିଛି, କରୋନାରେ ପ୍ରାୟ ୨୦ରୁ ୩୦% ମାଡି ବସିଲେଣି। କିଛି ମାଫିଆ ଅକ୍ତିଆର କରି ଅନ୍ୟମାନଙ୍କୁ ବିକ୍ରି କରି ଦେଇ ସାରିଲେଣି। କିନ୍ତୁ ଜିଲ୍ଲା ପ୍ରଶାସନ ପାଖରେ ଖବର ନାହିଁ।

ସେପଟେ ପ୍ରଶାସନର ବିଭାଗୀୟ ଅଧିକାରୀ ନିକଟରେ ବାରମ୍ବାର ଅଭିଯୋଗ ହେଉଛି। ବିଭାଗୀୟ ଅଧିକାରୀ ଘଟଣାସ୍ଥଳ ଅନୁଧ୍ୟାନ କରିବା ପରିବର୍ତ୍ତେ ତଳିଆ କର୍ମଚାରୀଙ୍କୁ ପଠାଇ ନିଜର କାମ ସାରି ଦେଉଛନ୍ତି। ଯାହାର ସମ୍ପୂର୍ଣ୍ଣ ଫାଇଦା ଉଠାଉଛନ୍ତି ଜବଦରଖଲକାରୀ। ଗତ ୨୦୧୨ରୁ ଆଜି ପର୍ଯ୍ୟନ୍ତ ରାଉରକେଲା ତହସିଲରେ ମାତ୍ର ୧୧୭ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଛି। ଉଚ୍ଛେଦ ପାଇଁ ଅନେକଙ୍କୁ ନୋଟିସ୍‌ ମଧ୍ୟ କରାଯାଇଛି। ବିଡମ୍ବନା, ଜଣଙ୍କ ନାଁରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ। ତେବେ କେଉଁଠି ନା କେଉଁଠି କେଁ ରହିଛି। ‌ରାଜନୈତିକ ଦଳର ଚାପରେ ବିଭାଗୀୟ ଅଧିକାରୀ କାର୍ଯ୍ୟାନୁଷ୍ଠାନ ନେବାକୁ ପଛଘୁଞ୍ଚା ଦେଉଛନ୍ତି କି ? ଜମି ମାଫିଆ, ଜବରଦଖଲକାରୀଙ୍କ ସହ ଭିତିରି ସଲାସୁତୁରା କରି ଜାଣିଶୁଣି ଏମାନଙ୍କୁ ପ୍ରୋତ୍ସାହନ ଦେଉ ନାହାନ୍ତି ତ ? ଏମିତି ଅନେକ ପ୍ରଶ୍ନ ସାଧାରଣ ଲୋକଙ୍କ ମନରେ ଉଠିବା ସ୍ବାଭାବିକ। ଅନ୍ୟପଟେ ହଜାର ହଜାର ସରକାରୀ ଜମି ଉଚ୍ଛେଦମୁକ୍ତ ହୋଇ ପାରୁ ନଥିବାରୁ ସହରର ବିକାଶମୂଳକ କାର୍ଯ୍ୟ ଆଗେଇ ପାରୁ ନାହିଁ। ଯାହାର ଜ୍ବଳନ୍ତ ଉଦାହରଣ ଛେଣ୍ଡ ଧାମରା ବସ୍ତି।

ଆର୍‌ଏଡିଏ ଏଠାରେ ପ୍ରଧାନମନ୍ତ୍ରୀ ଆବାସ ସହ ପିପି ମୋଡ୍‌ରେ ଆପାର୍ଟମେଣ୍ଟ ନିର୍ମାଣ ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରି ସାରିଛି। ବିପିୟୁଟି ପଛପାର୍ଶ୍ବର କିଛି ଜାଗାକୁ ନିଜ ଅଧିନକୁ ଅଣାଯାଇଛି। ଯେତିକି ଜମି ଆର୍‌ଡିଏ ଅଧୀନରେ ରହିଛି, ତାହାର ୧୦ ଗୁଣ ଅଧିକ ଜମିରେ ଜବରଦଖଲକାରୀଙ୍କ କବ୍‌ଜାରେ ରହିଛି। ପ୍ରତିବର୍ଷ ଜିଲ୍ଲା ପ୍ରଶାସନ ପର୍ଯ୍ୟାୟକ୍ରମେ ଜବରଦଖଲ ମୁକ୍ତ କରିବାକୁ ତତ୍ପର ହେଉଛି। ପ୍ରାରମ୍ଭିକ ପ୍ରକ୍ରିୟା ଆରମ୍ଭ ପରେ ନୀରବ ରହି ଯାଉଛି। ସେମିତି ଆଉ ଏକ ଉଦାହରଣ ହେଉଛି ପାନପୋଷ କୋଏଲବ୍ୟାଙ୍କ ବସ୍ତିରୁ ଆରମ୍ଭ କରି ମାଲଗୋଦାମ ବସ୍ତି। ବାରମ୍ବାର ନୋଟିସ୍‌ ଦିଆଉଥିଲେ ହେଁ ଫଳ ଶୂନ୍ୟ। ଫଳରେ ବହୁ ପ୍ରତୀକ୍ଷିତ ତୃତୀୟ ରେଳ ଲାଇନ କାମ୍‌ ଅଧପନ୍ତରିଆ ହୋଇ ସେମିତି ପଡିଛି। କେବଳ ଦୁଇଟି ଉଦାହରଣ ନୁହେଁ ଏମିତି ଅନେକ ସରକାରୀ ମୂଲ୍ୟବାନ ଜାଗା ଜବରଦଖଲକାରୀଙ୍କ କବ୍‌ଜାକୁ ଯିବା ପୂର୍ବରୁ ସ୍ଥାନୀୟ ଜିଲ୍ଲା ପ୍ରଶାସନ ଥରୁଟିଏ ଅଙ୍କୁଶ ଲଗାଇ ନାହିଁ। କରୋନା ସମୟରେ ଜମି ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ବିକାଶମୂଳକ କାର୍ଯ୍ୟ ପାଇଁ ଯେଉଁ କେତେକ ଜମି ରହିଛି, ତାହା ମଧ୍ୟ ସେମାନଙ୍କ କବ୍‌ଜାକୁ ଚାଲିଯିବାର ସମ୍ଭାବନା ରହିଛି।

ସମ୍ବନ୍ଧିତ ଖବର