ଦାନଗଦୀ: କଳିଙ୍ଗନଗର ଶିଳ୍ପାଞ୍ଚଳ ତଥା ଦାନଗଦୀ ତହସିଲ ଅଧୀନରେ ସରକାରୀ ତଥା ଜଙ୍ଗଲ ଜମିରେ ବେଆଇନ ଘର ନିର୍ମାଣ ବଢ଼ି ଚାଲିଛି। ଧୂଳିଗଡ଼ ପଞ୍ଚାୟତ ବାଲିପଶି ମଠସାହିରେ ଜଙ୍ଗଲ ଜମିରେ ବେଆଇନ କୋଠା ନିର୍ମାଣ ଚାଲିଛି। ଜବରଦଖଲକାରୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ି ଚାଲିଥିଲେ ହେଁ ତହସିଲ ପ୍ରଶାସନର ଅସ୍ପଷ୍ଟ ଆଭିମୁଖ୍ୟ ସେମାନଙ୍କୁ ପ୍ରୋତ୍ସାହନ ଯୋଗାଉଛନ୍ତି। ଜବରଦଖଲକାରୀ ଖୋଲାଖୋଲି ବେଆଇନ ନିର୍ମାଣ କାର୍ଯ୍ୟ କରୁଥିଲେ ମଧ୍ୟ କାହାର ଏଥିପ୍ରତି ନଜର ନାହିଁ। ଏ ସମ୍ପର୍କରେ ସ୍ଥାନୀୟ ଲୋକେ ବାରମ୍ବାର ତହସିଲ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନି। ଏହାର ସୁଯୋଗ ନେଇ ବାହାର ଅଞ୍ଚଳର ଲୋକମାନେ ସରକାରୀ ଜମିକୁ ଦଖଲ କରିନେଉଛନ୍ତି। ତହସିଲ କାର୍ଯ୍ୟାଳୟଠାରୁ ମାତ୍ର ୨୦୦ ମିଟର ଦୂରରେ ଏଭଳି ନିର୍ମାଣ ଚାଲିଥିବା ବେଳେ କାର୍ଯ୍ୟାନୁଷ୍ଠାନ ହେଉନଥିବାରୁ ବିସ୍ମୟ ପ୍ରକାଶ ପାଇଛି।
ତ୍ରିଜଙ୍ଗା ଓ ଧୂଳିଗଡ଼ ପଞ୍ଚାୟତରେ ସର୍ବାଧିକ ଏଭଳି ବେଆଇନ ନିର୍ମାଣ ଚାଲିଛି। ଧୂଳିଗଡ଼ ପଞ୍ଚାୟତର ବାଲିପଶି ବାବାମଠ ସାହି ନିକଟରେ ଏବେ ଅନାବାଦୀ ଶାଳ ଜଙ୍ଗଲ କିସମ ଜମିରେ ବଡ଼ବଡ଼ ଘର ତିଆରି କରାଯାଉଛି। ୧୦ ବଖରାରୁ ଅଧିକ କୋଠା ନିର୍ମାଣ ଚଲାଇଛି। କେତେକ ସ୍ଥାନରେ ଜବରଦଖଲକାରୀମାନେ ପ୍ଲଟିଙ୍ଗ କରି ସରକାରୀ ଜମିକୁ ବାହାର ଲୋକଙ୍କୁ ମଧ୍ୟ ବିକ୍ରି କାରି ଚାଲିଛନ୍ତି। ସଂପୃକ୍ତ ଲୋକମାନେ ସେଥିରେ ଘରଦ୍ବାର କରି ଭଡ଼ା ଲଗାଉଛନ୍ତି। ଏହି କାରଣରୁ ଜମି ମାଫିଆଙ୍କ ସଂଖ୍ୟା ବୃଦ୍ଧି ପାଉଛି ଏବଂ ଗାଁ ଗାଁରେ ଅଶାନ୍ତିର ବାତାବରଣ ସୃଷ୍ଟି ହେଉଛି। ତହସିଲ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ସରକାରୀ ଜମିର ସୁରକ୍ଷା ପାଇଁ ପଦକ୍ଷେପ ନେବାକୁ ଦାବି ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/4-1.jpg)