ଦାନଗଦୀ: ଦାନଗଦୀ ବଜାରରେ ଉଚ୍ଛେଦ ଜାଗାରେ ପୁଣି ଥରେ ବେଆଇନ ନିର୍ମାଣ ହୋଇଛି। ମିଲିଟାରି ଛକ-ଡୁବୁରି ରାସ୍ତା ସଂପ୍ରସାରଣ ପାଇଁ ଦାନଗଦି ବଜାର ରାସ୍ତାକଡ଼ରୁ ବେଆଇନ ନିର୍ମାଣ ଉଚ୍ଛେଦ​ ହୋଇଥିଲା। ଏବେ ପୁଣି ସେହି ଜାଗା ଉପରେ ଜବରଦଖଲ ନିର୍ମାଣ ଆରମ୍ଭ ହୋଇଗଲାଣି। ଦାନଗଦି ହାଟ ନିକଟରେ ପାଖାପାଖି ୨୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ମାର୍କେଟ କମ୍ପ୍ଲେକ୍ସକୁ ଭଡ଼ା ଲାଗିବା ପୂର୍ବରୁ ରାସ୍ତା ସମ୍ପ୍ରସାରଣ ଆଳରେ ପ୍ରଶାସନ ଭାଙ୍ଗି ଦେଇଥିଲା। ଘରେ ଲାଗିଥିବା ନୂଆ ସଟରଗୁଡ଼ିକ ପରେ ଚୋରି ​ହୋଇଗଲା। ଏବେ ପଛ ପଟରେ ଘରଭଡ଼ା ନେଇଥିବା ଲୋକେ ରାସ୍ତା ପାଇଁ ଭାଙ୍ଗି ଯାଇଥିବା ଘର ପଟରେ ନୂଆଘର ତିଆରି କରୁଛନ୍ତି। ଏହା ସମ୍ପୂର୍ଣ୍ଣ ବେଆଇନ ହୋଇଥିଲେ ମଧ୍ୟ ପ୍ରଶାସନ ନିରବଦ୍ରଷ୍ଟା ସାଜିଛି।
ସୂଚନାଯୋଗ୍ୟ ଯେ ବ୍ଲକ ପ୍ରଶାସନ ପକ୍ଷରୁ ଏଠାରେ ଆଗପଛ କରି ୬-୬ ଟି ଦୋକାନ ଘର ନିର୍ମାଣ ହୋଇଥିଲା। ସମ୍ପ୍ରସାରଣ ପାଇଁ ରାସ୍ତା ପଟକୁ ମୁହଁଥିବା ୬ ଟି ଦୋକାନ ଘରକୁ ବ୍ଲକ ପ୍ରଶାସନ ତରବରିଆ ଭାଙ୍ଗି ଦେଇଥିଲା। ଘର ଭଙ୍ଗା ଯାଇଥିବା ସ୍ଥାନରେ ନୂଆ ଘର ନିର୍ମାଣ କରାଯାଉଛି। ରାସ୍ତା ସମ୍ପ୍ରସାରଣ କାମରେ ବିଳମ୍ବ ହେଉଥିବାର ସୁଯୋଗ ନେଇ ଭଙ୍ଗା ଜାଗାରେ ନୂଆଘର ନିର୍ମାଣ କରୁଛନ୍ତି। ଏଥିରେ ଅଙ୍କୁଶ ଲଗାଇବାକୁ ପଞ୍ଚାୟତ, ବ୍ଲକ ପ୍ରଶାସନ କିମ୍ବା ପୂର୍ତ୍ତ ବିଭାଗର ବଳ ପାଉନାହିଁ। ତ୍ରିଜଙ୍ଗା ପଞ୍ଚାୟତ କାର୍ଯ୍ୟାଳୟ ଆଗରେ ବେଆଇନ ନିର୍ମାଣ ଚାଲିଥିଲେ ମଧ୍ୟ ଦେଖିବାକୁ କେହି ନାହାନ୍ତି। ଯଦି ଏଭଳି ବେଆଇନ ନିର୍ମାଣକୁ ପ୍ରଶ୍ରୟ ଦିଆଯାଉଛି, ତେବେ ପୂର୍ବରୁ ଆଇନତଃ ନିର୍ମିତ ଘରକୁ ଭଙ୍ଗାଯିବାର ଔଚିତ୍ୟ ନେଇ ପ୍ରଶ୍ନ ଉଠିଛି।
କେତେକ ଯୁବକ ଏହି ବେଆଇନ୍ ନିର୍ମାଣକୁ ବିରୋଧ କରି ସରପଞ୍ଚ ଓ ଦାନଗଦୀ ବିଡିଓଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଅଦ୍ୟାବଧି କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ପୂର୍ତ୍ତ ବିଭାଗ ମଧ୍ୟ ନିରବଦ୍ରଷ୍ଟା ସାଜିବା ସନ୍ଦେହ ସୃଷ୍ଟି କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/12-21.jpg)