ଜଙ୍ଗଲ ଜମିରେ ବେଆଇନ କ୍ରସର ଓ ପଥର ଖାଦାନ: ୪ ଟ୍ରାକ୍ଟର୍, ‌ଗୋଟିଏ ଏସ୍କାଭେଟର, ୨ ଜେସିବି ଜବତ

ରାୟଗଡ଼ା: ଜଙ୍ଗଲ ଜମିରେ ଚାଲିଛି କ୍ରସର ଓ ପଥର ଖାଦାନା। ବେଆଇନ ଭାବେ ଚାଲିଥିବା ଦୁଇ ୟୁନିଟ୍ ମଧ୍ୟରୁ କେଉଁ ଗୋଟିଏ ୟୁନିଟର ବି ଲିଜ୍ ହୋଇନଥିବାରୁ ମାସିକ ଲକ୍ଷାଧିକ ଟଙ୍କାର ରାଜସ୍ବ ଲୁଟୁଛନ୍ତି ମାଫିଆ। ଆଉ ସବୁ ଜାଣି ହାତଗୁଞ୍ଜା ନେଇ ଚୁପ୍ ବସିଛନ୍ତି ଚନ୍ଦ୍ରପୁର ତହସିଲ ଡାଙ୍ଗସୋରଡ଼ା ମୌଜାର ରାଜସ୍ବ ବିଭାଗ ଅଧିକାରୀ। ପଥର ଫଟାଇବା ପାଇଁ ବିସ୍ଫୋରକ ସାମଗ୍ରୀ ବ୍ୟବହାର ପରେ ପୁଲିସ୍ ଚଢ଼ଉ କରି କାଗଜପତ୍ର ଯାଞ୍ଚ କରିବା ସମୟରେ ବେଆଇନ କ୍ରସର ଓ ଖାଦାନ ସଂପର୍କରେ ରୋଚକ ତଥ୍ୟ ପଦାକୁ ଆସିଛି।

ଚନ୍ଦ୍ରପୁର ତହସିଲ ଡାଙ୍ଗସୋରଡ଼ା ମୌଜାର ଦୋଡାଗଣ୍ଡାରେ ଦୀର୍ଘ ବର୍ଷ ହେଲା ଚାଲିଛି ପଥର ଖାଦାନ। ସେହିପରି ଡାଙ୍ଗସୋରଡା ପଞ୍ଚାୟତ ସଦର ମହକୁମାରେ ତିଆରି ହୋଇଛି କ୍ରସର। ମାଓ ପ୍ରବଣ ଡାଙ୍ଗସୋରଡାରେ ପଥର ଖାଦାନ ଓ କ୍ରସର ପାଇଁ କୌଣସି ବ୍ୟକ୍ତିଙ୍କୁ ପ୍ରଶାସନ ତରଫରୁ ଲିଜ୍ ଦିଆଯାଇନି। କିନ୍ତୁ ବିଭାଗୀୟ ଅସାଧୁ କର୍ମଚାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଡାଙ୍ଗସୋରଡ଼ାର କିଶୋର ଚନ୍ଦ୍ର ହରିଚନ୍ଦନ ନାମକ ଜଣେ ବ୍ୟକ୍ତି ବେଆଇନ ଭାବେ ଦୁଇ ୟୁନିଟକୁ ଚଲାଇ ଲକ୍ଷାଧିକ ଟଙ୍କାର ରାଜସ୍ବ ଲୁଟିବାରେ ଲାଗିଛନ୍ତି।

ବେଆଇନ ପଥର ଖାଦାନ ଓ କ୍ରସର ସଂପର୍କରେ ସୂଚନା ପାଇ ମୁନିଗୁଡ଼ା ପୁଲିସ୍ ଚଢ଼ଉ କରିବା ପରେ ମାଲିକ କିଶୋର ହରିଚନ୍ଦନ ଫେରାର ହୋଇ ଯାଇଛନ୍ତି। ପୁଲିସ୍ ପଥର ବୋଝେଇ ହୋଇଥିବା ୪ଟି ଟ୍ରାକ୍ଟର ଏବଂ ଖାଦାନରେ ପଥର ଖୋଲୁଥିବା ଏବଂ ଲୋଡିଂ କରୁଥିବା ଗୋଟିଏ ଏକଜାଭେଟର୍, ୨ଟି ଜେସିବିକୁ ଜବତ କରିଛି। ମୁନିଗୁଡ଼ା ଥାନା ଅଧିକାରୀ ସୁଜ୍ଞାନୀ ସାହୁ ଘଟଣାର ତଦନ୍ତଭାର ନେବା ସହ କିଶୋର ହରିଚନ୍ଦନଙ୍କ ନାଁରେ ମାମଲା ରୁଜୁ କରିଛନ୍ତି। ମାମଲା ରୁଜୁ ପରେ ହରିଚନ୍ଦନ ଫେରାର୍ ଥିବାରୁ ପୁଲିସ୍ ଗିରଫ କରିପାରିନି। ଚଢ଼ଉ ପରଠାରୁ ପଥର ଖାଦାନ ଓ କ୍ରସର ବନ୍ଦ ରହିଥିବା ପୁଲିସ୍ କହିଛି। ତେବେ ଆଶ୍ଚର୍ଯ୍ୟର କଥା ବିନା ଲିଜରେ ଦୀର୍ଘ ବର୍ଷ ହେଲା ପଥର ଖାଦାନ ଓ କ୍ରସର ଚାଲିଥିଲେ ମଧ୍ୟ ରାଜସ୍ବ ବିଭାଗ ଅଧିକାରୀ କିପରି ଏ ସଂପର୍କରେ ଜାଣିପାରିଲେ ନାହିଁ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସୂଚନା ଅଧିକାର ନିୟମ ବଳରେ ଚନ୍ଦ୍ରପୁର ତହସିଲରୁ ମିଳିଥିବା ସୂଚନାନୁଯାୟୀ, ଡାଙ୍ଗସୋରଡ଼ାରେ ରାଜସ୍ବ ବିଭାଗ ପକ୍ଷରୁ କାହାକୁ ପଥର ଖାଦାନ କିମ୍ବା କ୍ରସର ୟୁନିଟ୍ ପ୍ରତିଷ୍ଠା କରିବା ପାଇଁ ଲିଜ୍ ପ୍ରଦାନ କରାଯାଇନି। ଏପରିକି ବେଆଇନ ଭାବେ ଚାଲିଥିବା ଖାଦାନରେ ଚଢ଼ଉ କରି ରାଜସ୍ବ ବିଭାଗ ଆଜି ସୁଦ୍ଧା ଟଙ୍କାଟିଏ ଜରିମାନା ମଧ୍ୟ ଆଦାୟ କରିନି। ଦୈନିକ ଟନ୍ ଟନ୍ ପଥର ଖାଦାନରୁ ଖୋଳି କ୍ରସର ଆଣି ଭାଙ୍ଗିବା ପରେ ୧୦ରୁ ୨୦ ଟ୍ରକ୍ ବାହାରେ ବିକ୍ରି ହେଉଛି। ଯାହା ବାବଦକୁ ଲକ୍ଷାଧିକ ଟଙ୍କାର ମୁନାଫା ପାଉଥିଲେ ଫେରାର ଥିବା କ୍ରସର ମାଲିକ ହରିଚନ୍ଦନ। ପୁଲିସ୍ ମାମଲା ରୁଜୁ କରିବା ପରେ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଚନ୍ଦ୍ରପୁର ତହସିଲଦାରଙ୍କୁ ନୋଟିସ୍ ମାଧ୍ୟମରେ ବେଆଇନ ପଥର ଖନନ ଓ କ୍ରସର ୟୁନିଟ୍ ସଂପର୍କରେ ଅବଗତ କରିଛି। କିନ୍ତୁ ପୁଲିସ୍ ନୋଟିସ ପରେ ପ୍ରଶାସନ ଆଜି ସୁଦ୍ଧା କୌଣସି ପଦକ୍ଷେପ ନେଇନଥିବା ଜଣା ପଡିଛି। ନୋଟିସକୁ ଚପାଇ ଦେବାକୁ ପ୍ରଶାସନ ସ୍ତରରେ ଉଦ୍ୟମ ହେଉଥିବା ବେଳେ ପୁଲିସ୍ ଗିରଫଦାରୀରୁ ବର୍ତ୍ତିବା ପାଇଁ ଫେରାର କ୍ରସର ମାଲିକ୍ ଜାମିନ୍ ପାଇଁ ହାଇକୋର୍ଟର ଦ୍ବାରସ୍ଥ ହୋଇଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡିଛି।

ସମ୍ବନ୍ଧିତ ଖବର