ରାଉରକେଲା : ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତରେ ପୁଣି ମାତିଲେଣି ଆନ୍ତଃରାଜ୍ୟ କାଠ ମାଫିଆ। ସହଯୋଗ କରୁଛନ୍ତି ସ୍ଥାନୀୟ ଅଞ୍ଚଳର କିଛି ଚୋରା କାଠ ବେପାରୀ। ଏମାନଙ୍କ ଟାର୍ଗେଟରେ ରହିଛି ସୀମାନ୍ତ ସରଣ୍ଡା ଓ ଏହାର ଆଖପାଖ ସଂରକ୍ଷିତ ଜଙ୍ଗଲ। ଯେଉଁଠୁ ଚୋରା ଚାଲାଣ ହେଉଛି ଲକ୍ଷ ଲକ୍ଷ ଟଙ୍କାର କାଠ। ତା’ପୁଣି ଟ୍ରକ, ଡମ୍ପରରେ ବୋଝେଇ ହୋଇ ପଡୋଶୀ ଝାଡ଼ଖଣ୍ଡ ଓ ବିହାର ରାଜ୍ୟକୁ ଚାଲାଣ ହେଉଛି। ଅତି ସହଜରେ କାଠ ମାଫିଆମାନେ ସୀମାନ୍ତ ରାସ୍ତା ଦେଇ ଦୁଇ ରାଜ୍ୟର ବଡ ବଡ କାଠ ଗୋଦାମ ଓ ଫର୍ଣ୍ଣିଚର ପ୍ରସ୍ତୁତିକାରୀ ସଂସ୍ଥାକୁ ଯୋଗାଣ କରୁଛନ୍ତି। ଏମାନଙ୍କୁ ସହାୟତା କରୁଛନ୍ତି ସ୍ଥାନୀୟ ଅଞ୍ଚଳର କିଛି କରିତକର୍ମା ଚୋରା କାଠ ବେପାରୀ। ଏହି ବେପାରୀମାନେ ଆନ୍ତଃରାଜ୍ୟ କାଠ ମାଫିଆମାନଙ୍କ ଠାରୁ ମୋଟା ଅଙ୍କର ଅର୍ଥ ପାଉଥିବାରୁ ଚଢ଼ଉକୁ ଆଦୌ ଖାତିର କରୁ ନାହାନ୍ତି। ଦିନରେ ଜଙ୍ଗଲର ମୂଲ୍ୟବାନ ଗଛଥିବା ଅଞ୍ଚଳକୁ ଚିହ୍ନଟ କରୁଛନ୍ତି। ରାତିରେ ସେଗୁଡ଼ିକୁ କଟର ସାହାଯ୍ୟରେ କାଟି ରାଜ୍ୟ ବାହାରକୁ ଚାଲାଣ କରୁଛନ୍ତି। ଫଳରେ ଦିନକୁ ଦିନ ସୀମାନ୍ତ ସଂରକ୍ଷିତ ସରଣ୍ଡା ଜଙ୍ଗଲ ଲଣ୍ଡା ହେଉଛି।
ଜଙ୍ଗଲର ଗୋଟିଏ ଗୋଟିଏ ସ୍ଥାନରେ ମୂଲ୍ୟବାନ ଗଛଗୁଡ଼ିକୁ ଏମିତି କାଟି ପଦା କରି ଦିଆଯାଇଛି, ଯେଉଁଠି କେବଳ ଗଛର ଗଣ୍ଡିଗୁଡ଼ିକ କେବଳ ଦୃଶ୍ୟମାନ ହେଉଛି। କାର୍ଯ୍ୟାନୁଷ୍ଠାନ ସ୍ବରୂପ ନିକଟରେ ରାଉରକେଲା ବନ ବିଭାଗ ବେଶ୍ ତତ୍ପର ହୋଥିଲେ। ବନଖଣ୍ଡ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ସ୍ବତନ୍ତ୍ର ଟିମ୍ ନିୟମିତ ବ୍ୟବଧାନରେ ଚଢ଼ଉ କରି ସ୍ଥାନୀୟ ଅଞ୍ଚଳର କିଛି ଚୋରା କାଠ ବେପାରୀଙ୍କୁ ବାନ୍ଧି ଜେଲ ପଠାଇଥିଲା। ସରଣ୍ଡା ଜଙ୍ଗଲକୁ ଲାଗିଥିବା ଗାଁ, ବାଡି ଓ କ୍ଷେତରୁ ଟ୍ରକ ଟ୍ରକ୍ ଚୋରା ମୂଲ୍ୟବାନ କାଠ ମଧ୍ୟ ଜବତ କରିଥିଲା। ଗତ ୧୫ ଜୁଲାଇରେ ବନ ବିଭାଗ ସ୍ବତନ୍ତ୍ର ଟିମ୍ ବିଶ୍ରା ବ୍ଲକ ଅନ୍ତର୍ଗତ ତୁଳସୀକାନି ପଞ୍ଚାୟତ ଝାରବେଡା ଗାଁ ନିକଟ ଚାଷ ଜମିରୁ ବହୁ ମୂଲ୍ୟବାନ ଚୋରା କାଠ ଜବତ ହୋଇଥଲା। ଏହା ପୂର୍ବରୁ ରାଉରକେଲା ବନ ବିଭାଗ କାଠ ମାଫିଆ ଗ୍ୟାଙ୍ଗର କିଛି ବେପାରୀଙ୍କୁ ମଧ୍ୟ ଗିରଫ କରିଥିଲା।
ସେପଟେ ଜବତ କାଠଗୁଡ଼ିକ ଝାଡ଼ଖଣ୍ଡ ଓ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ଫର୍ଣ୍ଣିଚର ଦୋକାନକୁ ଚାଲାଣ କରିବାକୁ ରଖାଯାଇଥିବା ବନବିଭାଗ ତଦନ୍ତରୁ ଜାଣିବାକୁ ପାଇଥିଲା। ବନ ବିଭାଗର ଚଢ଼ଉ ପରେ କିଛି ଦିନ ଜଙ୍ଗଲ କଟା ଓ ଚୋରା କାଠ କାରବାର ଏକ ପ୍ରକାର ବନ୍ଦ ହୋଇଯାଇଥିଲା। ଏବେ ସେହି ସବୁ ଅଞ୍ଚଳରେ ପୂର୍ବଭଳି ରାତିରେ ଜଙ୍ଗଲର ମୂଲ୍ୟବାନ କାଠଗୁଡ଼ିକୁ କାଟି ଦିଆଯାଉଛି। ସେଠାରୁ କାଠଗୁଡ଼ିକୁ ସିଧାସଳଖ ଗାଁ ନିଚ୍ଛାଟିଆ ସ୍ଥାନରେ ଲୁଚାଇ ରଖାଯାଉଛି। ସେଠାରେ ପଠା କରାଯାଇ ଝାଡ଼ଖଣ୍ଡ ଓ ବିହାର ଆଦି ରାଜ୍ୟକୁ ଚାଲାଣ କରି ଦିଆଯାଉଛି। ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ବିଶ୍ରା ବ୍ଲକର ରାମଲୋଇ, ଝାରବେଡା, ତୁଳସୀକାନି , ଭାଲୁଲତା, ପଡୋଶୀ ରାଜ୍ୟ ଝାଡ଼ଖଣ୍ଡର ରେଢ଼ା, ସମଠା, ସାଗଯୋଡି ଆଦି ଅଞ୍ଚଳ ପର୍ଯ୍ୟନ୍ତ ସରଣ୍ଡା ଜଙ୍ଗଲ ଲମ୍ବିଛି।
ନକ୍ସଲ ପ୍ରଭାବିତ ଅଞ୍ଚଳ ହୋଇଥିବାରୁ ପୁଲିସ କିମ୍ବା ବନ ବିଭାଗ କର୍ମଚାରୀ ଏସବୁ ସ୍ଥାନକୁ ଯିବାକୁ ଭୟ କରୁଥିବାରୁ ଆନ୍ତଃରାଜ୍ୟ କାଠମାଫିଆମାନେ ଏହାର ଭରଫୁର ଫାଇଦା ଉଠାଉଛନ୍ତି। ସବୁଠୁ ଆଶ୍ଚର୍ଯ୍ୟ କଥା, ଧରା ନ ପଡ଼ିବାକୁ ସୁନ୍ଦରଗଡ଼ ଜିଲ୍ଲାର କିଛି ଫର୍ଣ୍ଣିଚର ଦୋକାନୀ ଆସବାବପତ୍ର ତିଆରି କରିଦେଉଛନ୍ତି। ସେସବୁ ଆସବାବପତ୍ରକୁ ବଜାରରେ ଚଢ଼ା ଦରରେ ବିକ୍ରି କରୁଛନ୍ତି। ତେବେ ସୀମାନ୍ତରେ ମାତିଥିବା ଆନ୍ତଃରାଜ୍ୟ କାଠ ମାଫିଆକୁ ଗିରଫ କରା ନଯିବା ପର୍ଯ୍ୟନ୍ତ ସରଣ୍ଡା ଓ ଏହାର ଆଖପାଖ ସଂରକ୍ଷିତ ଜଙ୍ଗଲ ଏମିତି ଲଣ୍ଡା ହୋଇ ଚାଲିଥିବ।