ଖୋର୍ଦ୍ଧା: ୧୬ ନମ୍ବର ଜାତୀୟ ରାଜପଥ ସଂପ୍ରସାରଣ କାର୍ଯ୍ୟରେ ଜମି ପାଇଁ କ୍ଷତିପୂରଣ ପାଇଥିଲେ । ସଂପ୍ରସାରଣ କାର୍ଯ୍ୟ ବିଳମ୍ବ ହେବାରୁ ଜାଗା ଛାଡ଼ିନଥିଲେ, ଆଖପାଖର ସରକାରୀ ଜାଗା ମାଡ଼ି ବସି ନୂଆ ଦୋକାନ ନିର୍ମାଣ କଲେ । ଭଡ଼ାଲଗାଇ ମୋଟା ଅଙ୍କରେ ରୋଜଗାର କରୁଥିଲେ । ଜାଗାରୁ ହଟିବାକୁ ପ୍ରଶାସନର ନିଦେ୍ର୍ଦଶକୁ ଖାତିର କଲେନାହିଁ, ଏପରିକି ମହିଳାଙ୍କୁ ଆଗରେ ରଖି ପୁଲିସକୁ ଧମକ ମଧ୍ୟ ଦେଇଥିଲେ । ଆଜି ପୁଲିସ ପ୍ରଶାସନର ଉପସ୍ଥିତିରେ ୧୬ ନମ୍ବର ଜାତୀୟ ରାଜପଥର ଗୋଡ଼ିପଡ଼ା ନିକଟ ଗୟାବନ୍ଧ ଛକ ଠାରେ ଥିବା ମାଫିଆଙ୍କ ଏହି ବେଆାଇନ ବ୍ୟବସାୟିକ ସାମ୍ରାଜ୍ୟକୁ ଧ୍ୱଂସ କରାଯାଇଛି ।
ଆଜି ସକାଳେ ଉପଜିଲ୍ଲାପାଳ ଆଇ ଶିବାଜୀ ଗୌରବ, ଏସ୍ଡିପିଓ ସୁଶୀଲ ମିଶ୍ର, ତହସିଲଦାର ଇପସିତ ସାହୁ, ନିରାକାରପୁର, ଜଙ୍କିଆ ଓ ସଦର ଥାନା ଅଧିକାରୀଙ୍କ ସହ ଦେଢ଼ ପ୍ଲାଟୁନ୍ ପୁଲିସ ଫୋର୍ସ ଓ ଜେସିବି ନେଇ ୧୬ ନମ୍ବର ଜାତୀୟ ରାଜପଥର ଲହଙ୍ଗା-ମଳିପଡ଼ା ନିକଟ ଗୟାବନ୍ଧ ଛକ ଠାରେ ପହଂଚିଥିଲେ । ତେବେ ସ୍ଥାନୀୟ ଗଂଜେଇ ମାଫିଆ ବୁଲୁ ଖାଁଙ୍କ ନେତୃତ୍ୱରେ ମହିଳାମାନେ ଧାରଣାରେ ବସିବା ସହ ଜବରଦଖଲ ହଟାଇବାକୁ ଦେଇନଥିଲେ । ପୁଲିସ ପ୍ରଶାସନ ପ୍ରଥମେ ସେମାନଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସେମାନେ ନିଜ ଜିଦରେ ଅଟଳ ଥିଲେ । ପରେ ଧାରା ୧୨୯ ସିଆର୍ପିସିରେ ଲୋକଙ୍କ ଭିଡ଼କୁ ଅସିଦ୍ଧ କରିବା ସହ ଆଇପିସି ୧୪୧ରେ ସେମାନଙ୍କୁ ହଟାଇବାକୁ ଉପଜିଲ୍ଲାପାଳ ତଥା ଉପଖଣ୍ଡ ମାଜିଷ୍ଟ୍ରେଟ୍ ନିଦେ୍ର୍ଦଶ ଦେଇଥିଲେ । ଏହାପରେ ପୁଲିସ ଧାରଣା କରୁଥିବା ଲୋକଙ୍କୁ ହଟାଇବା ସହ ୧୪ରୁ ଉଦ୍ଧ୍ୱର୍ ବ୍ୟକ୍ତିଙ୍କୁ ନେଇ ଥାନାରେ ଅଟକ ରଖିଥିଲା ।
ଏନେଇ ଉପଜିଲ୍ଲାପାଳ ଶ୍ରୀ ଶିବାଜୀ କହିଛନ୍ତି ଯେ ଯେଉଁ ଜମିରେ ସେମାନେ ଜବରଦଖଲ କରି ଦୋକାନ ଘର ନିର୍ମାଣ କରିଛନ୍ତି ସେନେଇ ସେମାନେ କ୍ଷତିପୂରଣ ପାଇଛନ୍ତି । ତେବେ ଏନେଇ ସେମାନେ ତହସିଲଦାରଙ୍କ ନିକଟରେ ଓପିଏଲ୍ଇରେ ମାମଲା ଦାୟର କରିଥିଲେ । ତହସିଲଦାର କୋର୍ଟରେ ବିଚାର ହେବା ପରେ ଉପଜିଲ୍ଲାପାଳଙ୍କ କୋର୍ଟରେ ଏହାର ଫୈସଲା ହେଲା । ଗତକାଲି ସେମାନଙ୍କୁ ହଟିବା ପାଇଁ ପୂର୍ବରୁ ନୋଟିସ ଦିଆଯାଇଥିଲା, ଗତକାଲି ମାଇକ୍ରେ ସୂଚନା ମଧ୍ୟ ଦିଆଯାଇଥିଲା । ଆଜି ଜବରଦଖଲ ହଟାଇବା ପାଇଁ ଆସିବାରୁ ସେମାନେ ବିରୋଧ କରିଥିଲେ । ତେବେ ପରେ ଆଇନାନୁସାରେ ସେମାନଙ୍କୁ ହଟାଇ ଦୋକାନ ଘର ଭାଙ୍ଗିଛୁ । ଏସ୍ଡିପିଓ ସୁଶୀଲ ମିଶ୍ର କହିଛନ୍ତି ଯେ ପ୍ରଥମେ ଅନୁରୋଧ ପରେ ମଧ୍ୟ ଲୋକମାନେ ଶୁଣିନଥିଲେ ଫଳରେ ଆଇନାନୁସାରେ କେତେକ ଲୋକଙ୍କୁ ଅଟକ ରଖାଯିବା ସହ ଲୋକଙ୍କୁ ହଟାଇଦିଆଯାଇ ଦୋକାନଗୁଡ଼ିକ ଭଙ୍ଗାଯାଇଛି ।