ଲକଡାଉନ ପାଇଁ ଦେଶି ମଦ ଭାଟି ବନ୍ଦ, ଦୁର୍ଗମ ଅଞ୍ଚଳରେ ହାତରନ୍ଧା ମଦ କୁଟୀର ଶିଳ୍ପ ପାଲଟିଛି

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାରେ ଲକଡାଉନ ପାଇଁ ଦେଶି ମଦ ଭାଟି ଗୁଡ଼ିକ ବନ୍ଦ ଥିବାବେଳେ ଏହାର ସୁଯୋଗ ନେଇ ଦୁର୍ଗମ ଅଞ୍ଚଳରେ ହାତରନ୍ଧା ମଦ ଏବେ କୁଟୀର ଶିଳ୍ପ ପାଲଟିଛି । କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁର,ମଦନପୁର ରାମପୁର, ଲାଞ୍ଜିଗଡ଼, ଜୁନାଗଡ଼, ଜୟପାଟଣା, କୋକସରା ସମେତ ବହୁ ବ୍ଲକର ଦୁର୍ଗମ ପାହାଡିଆ ଅଞ୍ଚଳ ଓ ଝରଣା କୂଳରେ ବେଆଇନ ଭାବରେ ହାତରନ୍ଧା ମଦ କୁଟୀର ଶିଳ୍ପରେ ପରିଣତ ହୋଇଛି । ଦୁର୍ଗମ ଅଞ୍ଚଳରେ ମଦ ରାନ୍ଧୁଥିବା ଯୋଗୁଁ ପୁଲିସ ଓ ଅବକାରୀ ବିଭାଗ ଚଢ଼ାଉ କରିବା ପୂର୍ବରୁ ସେମାନଙ୍କୁ ଖବର ମିଳିଯାଏ । ମଦ ମାଫିଆଙ୍କ କଳାକାରନାମା ଯୋଗୁଁ ଆନାୟାସରେ ସେମାନଙ୍କ ପସରା ମେଲି ଚାଲିଛନ୍ତି । ପୁଲିସ ଓ ଅବକାରୀ ପକ୍ଷରୁ କାଁ ଭାଁ ଚଢ଼ାଉ ହେଉଥିବାବେଳେ ବିଭାଗୀୟ ଛତ୍ରଛାୟା ତଳେ ସେମାନଙ୍କ ସାମ୍ରାଜ୍ୟ ବିସ୍ତାର କରିବାରେ ଲାଗିଛନ୍ତି।

ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ କଳାହାଣ୍ଡି ଜିଲ୍ଲାରେ ଲକଡାଉନ ଯୋଗୁଁ ଦେଶି ମଦ ଭାଟି ଗୁଡିକ ବନ୍ଦ ଥିବା ବେଳେ ଏହାର ଫାଇଦା ଉଠାଇ ବେଆଇନ ଭାବରେ ହାତରନ୍ଧା ମଦର ବେପାର ଖୁଲମଖୁଲ୍ଲା ଚାଲିଛି । ସହରରେ ପହରା କଡ଼ାକଡ଼ି କରୁଥିବା ବେଳେ ଏହି ଦୁର୍ଗମ ଅଞ୍ଚଳରେ ଲକଡାଉନ ପ୍ରଭାବହୀନ ହୋଇପଡ଼ିଛି । କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼ ବ୍ଲକର ଡାଙ୍ଗିଝୋଲା, ଚଣାଲିମା, କେନ୍ଦୁଗୁଡା, ବୋରିଂଝୁଲି, ଚନ୍ଦନପୁର, କେନ୍ଦୁବର୍ଡ଼ି, ବଳଭଦ୍ରପୁର, ମୁଡ୍ରିଭଟା, ଖାଲଗୁଡା, ଟାଙ୍ଗନକନା ଡ୍ୟାମ, ବାରହାତୀ ନାଲା, ଖଜୁରପଦର ଓ ବଂଶଧାରା ନଦୀ ଏବଂ ବହୁ ଝରଣା ଅଞ୍ଚଳରେ ହାତରନ୍ଧା ମଦ ଖୋଲାଖୋଲି ଭାବେ ରନ୍ଧାଯାଇ ବେପାର ଚାଲିଛି। ଜୁନାଗଡ଼ ବ୍ଲକର ରଣପୁର, ଏକନାଗୁଡା, ଆମଖୋଲା, ପୋଡ଼ଚୁଆଁ, କଦଳିଝରଣ, କୁସୁମଖୋଲା, ସୁନାରିପାନି, ଭାଲୁପାନି, ଦୁମେରପାନି ସମେତ ଘନ ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ବେଧଡକ ଡେ଼ଇ ମଦ ରନ୍ଧାଯାଇ ଜୁନାଗଡ଼ ସହର ସମେତ ବିଭିନ୍ନ ଅଞ୍ଚଳକୁ ଚୋରାଚାଲାଣ ଚାଲିଛି।

ଥୁଆମୂଳ ରାମପୁର ବ୍ଲକର ତଲଝାପି, ଉପରଝାପି, ସେମେଲପଦର, ମୁତାଚୁଆଁ, ଅଡ୍ରି, ଗୁଣପୁର, ଖମାରପଦର, କର୍ଲପାଟ ଏବଂ ବ୍ଲକର ଅଧିକାଂଶ ଗାଁରେ ଲୋକେ ବେଧଡକ ଦେଶି ମଦ ରାନ୍ଧି ବେଆଇନ ଭାବେ ମଦର ପସରା ମେଳାଇଛନ୍ତି । ମଦନପୁର ରାମପୁର ବ୍ଲକର ଡମ କର୍ଲାଖୁଣ୍ଟା, ମୋହନଗିରି, ଉର୍ଲାଦାନି, ମାନିକେରା, ବାରବନ୍ଧା, ଗୋଛା ଡେଙ୍ଗନ ସମେତ ବିଭିନ୍ନ ପାହାଡିଆ ଅଂଚଳରେ ଦେଶୀ ରନ୍ଧାମଦର କାରବାର ଅବାଧରେ ଚାଲିଛି । ଜୟପାଟଣା ବ୍ଲକର ତୁମରିଖୋଲ, ସିଲେଇଜୋର, ଭିତରପଣ୍ଡି, ପଲସ, କୋଇଲାମୁଣ୍ଡା ସମେତ ବିଭିନ୍ନ ଅଞ୍ଚଳରେ ଦେଶି ହାତରନ୍ଧା ମଦର ସୁଅ ଛୁଟୁଛି । କୋକସରା ବ୍ଲକର କୁତ୍ରୁ, ଆନ୍ଧିଝରଣ ସମେତ ଅନେକ ଦୁର୍ଗମ ଅଞ୍ଚଳରେ ଲୋକେ ବେଆଇନ ଭାବରେ ହାତରନ୍ଧା ମଦର ବେପାର ଚଳେଇଛନ୍ତି ।

କଳାହାଣ୍ଡି ଜିଲ୍ଲାର ସେହିପରି ଅନେକ ଦୁର୍ଗମ ଅଞ୍ଚଳରେ ମଦ ବେପାରୀଙ୍କ ହାତରନ୍ଧା ଦେଶି ମଦର କାରବାର ଲକଡାଉନ ବେଳେ ବ୍ୟାପକ ବୃଦ୍ଧି ପାଇଛି । ଜିଲ୍ଲାରେ ପୁଲିସ ପକ୍ଷରୁ ଏ ପର୍ଯ୍ୟନ୍ତ ଲକଡାଉନ ରେ ୬୭ ଟି ଅବକାରୀ ମାମଲା ରୁଜ୍ଜୁ କରାଯାଇଥିବା ବେଳେ ୭୩ ଜଣ ଗିରଫ ହୋଇଛନ୍ତି ଏବଂ ୧୨ ଟି ଗାଡି ଜବତ ହୋଇଛି । ସେହିଭଳି ୨୮୯.୪ ଲିଟର ହାତରନ୍ଧା ମଦ,୪୯୦.୫ ଲିଟର ଦେଶି ମଦ ପୁଲିସ ପକ୍ଷରୁ ଜବତ କରାଯାଇଛି । ଅବକାରୀ ବିଭାଗ ପକ୍ଷରୁ କାଁ ଭାଁ ବିଭିନ୍ନ ଅଞ୍ଚଳରେ ଚଢ଼ାଉ କରି ମଦ ଜବତ କରାଯାଇଛି। ବିଭାଗୀୟ କର୍ମଚାରୀମାନଙ୍କୁ ହାତବାରିସୀ କରି ଦୁର୍ଗମ ଅଞ୍ଚଳରେ ମଦ ବେପାରୀ ମାନେ ଝରଣା ଓ ପାହାଡ ଅଞ୍ଚଳରେ ଦେଶି ମଦ ରାନ୍ଧି ଖୁଲମଖୁଲ୍ଲା ବେପାର କରୁଛନ୍ତି । କର୍ମଚାରୀମାନଙ୍କ ସହିତ ଯୋଗସୂତ୍ର ଥିବା ଯୋଗୁଁ ଚଢ଼ାଉ ହେବା ପୂର୍ବରୁ ସେମାନଙ୍କ ପାଖକୁ ସୂଚନା ପହଞ୍ଚି ଯାଇଥାଏ । ଚଢ଼ାଉ ହେବା ପୂର୍ବରୁ ସୂଚନା ପାଇ ରନ୍ଧା ସାମଗ୍ରୀ ବିଭିନ୍ନ ପାହାଡ଼ ଗୁମ୍ଫାଓ ଝରଣା କୂଳରେ ଲୁଚାଇବାରେ ସକ୍ଷମ ହୋଇଥାନ୍ତି । ଲକଡାଉନ ସମୟରେ ଏଇ ହାତରନ୍ଧା ମଦ ଜିଲ୍ଲାରେ ନିଜର କାୟା ବିସ୍ତାର କରିବାରେ ଲାଗିଛି। ଏ ନେଇଁ ତୁରନ୍ତ ଜିଲ୍ଲା ପ୍ରଶାସନ ପକ୍ଷରୁ ହସ୍ତକ୍ଷେପ କରି କାର୍ଯ୍ୟାନୁଷ୍ଠାନ ନିଆ ଗଲେ ବହୁ ଗୁମର ଫିଟନ୍ତା ବୋଲି ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧିତ ଖବର