ନୂଆଗାଁ : ଖୋର୍ଦ୍ଧା-ବଲାଙ୍ଗିର ୫୭ ନଂ ଜାତୀୟ ରାଜପଥ ଚୋରା ବ୍ୟବସାୟୀଙ୍କ ଚରାଭୂଇଁ ପାଲଟିଛି। ପ୍ରତିଦିନ ଏହି ରାସ୍ତା ଦେଇ ବ୍ୟବସାୟୀମାନେ ବେଆଇନ୍ ଭାବେ ଲକ୍ଷାଧିକ ଟଙ୍କାର ମାଦକଦ୍ରବ୍ୟ ଚୋରା ଚାଲାଣ କରୁଥିଲେ ମଧ୍ୟ ପୁଲିସ ଏହାର ଟିକେ ବି ସୁରାକ ପାଇ ପାରିନାହିଁ। ନୟାଗଡ଼ ଜିଲ୍ଲା ପୁଲିସ ଆଖିରେ ଧୂଳି ଦେଇ ମାଫିଆମାନେ ସଫଳ ହେବାରେ ଲାଗିଛନ୍ତି। ନିକଟରେ କେନ୍ଦ୍ରୀୟ ରାଜସ୍ବ ଗୁଇନ୍ଦା ନିର୍ଦ୍ଦେଶାଳୟର କର୍ମଚାରୀମାନେ ଖବର ପାଇ ଗୋଟିଏ ବହ୍ଲା ବୋଝେଇ ଟ୍ରକ୍ରୁ ବିପୁଳ ପରିମାଣର ଗଂଜେଇ ଜବତ କରିଥିଲେ। ଯାହାର ଆନୁମାନିକ ମୂଲ୍ୟ ୨ କୋଟି ଟଙ୍କା ହେବ ବୋଲି ସୂଚନା ମିଳିଥିଲା। କିନ୍ତୁ ନୟାଗଡ଼ ଜିଲ୍ଲା ପୁଲିସ ଏହି ଘଟଣାରେ ଦର୍ଶକ ସାଜିଥିବା ନେଇ ସବୁଆଡ଼େ ଚର୍ଚ୍ଚା ହୋଇଥିଲା। ଖବରରୁ ପ୍ରକାଶ, ଖୋର୍ଦ୍ଧା-ବଲାଙ୍ଗିର ଜାତୀୟ ରାଜପଥ କଡ଼ରେ ନୟାଗଡ଼ ଜିଲ୍ଲାର ବାଣିଗୋଛା ଥାନା, ଦଶପଲ୍ଲା, ନୂଆଗାଁ, ନୟାଗଡ ସଦର, ଟାଉନଥାନା ଏବଂ ଇଟାମାଟି ଥାନା ରହିଛି। କୋରାପୁଟ, ମାଲକାନାଗିରି ଏବଂ ଫୁଲବାଣୀରୁ ଗଂଜେଇ, ଅଫିମ ଆଦି ମାଦକଦ୍ରବ୍ୟ ପ୍ରତିଦିନ ନୟାଗଡ଼ ଜିଲ୍ଲା ଦେଇ ଭୁବନେଶ୍ବର, କଟକ ଏବଂ ପୁରୀକୁ ଚୋରା ଚାଲାଣ ହେଉଛି। ଚୋରା ବ୍ୟବସାୟୀମାନେ ବିଭିନ୍ନ ଉପାୟରେ ଗାଡ଼ି ଭିତରେ ମାଦକଦ୍ରବ୍ୟ ବୋହି ନେଉଥିଲେ ମଧ୍ୟ ପୁଲିସ ଏହାର ଗନ୍ଧ ପାଉନାହିଁ। ରାତିରେ ପାଟ୍ରୋଲିଂ ଏବଂ ଚେକିଂ ନଥିବା ଯୋଗୁ ନିର୍ଦ୍ବନ୍ଦ୍ବରେ ଚୋରା ବ୍ୟବସାୟୀମାନେ ଖସି ଯାଉଛନ୍ତି। କେବଳ ଗଂଜେଇ, ଅଫିମ ନୁହେଁ ଅପରାଧୀମାନେ ବିଭିନ୍ନ ସ୍ଥାନରେ ଅପରାଧ ଘଟାଇ ଏହି ରାସ୍ତା ଦେଇ ଖସିଯାଉଛନ୍ତି।
ନୟାଗଡ ଜିଲ୍ଲାକୁ ପ୍ରବେଶ କରିବାକୁ ହେଲେ ପ୍ରଥମେ ବାଣିଗୋଛା ଥାନା ଦେଇ ଭିତରକୁ ଆସିବାକୁ ପଡ଼ିବ। ବାଣିଗୋଛା ପୁଲିସ ଗାଡ଼ିଗୁଡ଼ିକର ଖାନତଲାସୀ କରୁନଥିବା ବେଳେ ରଫାଦଫା କରି ଗାଡ଼ି ସବୁକୁ ଛାଡ଼ି ଦେଉଥିବା ଅଭିଯୋଗ ହେଉଛି। ଏହି ରାସ୍ତା ଦେଇ ପ୍ରତିଦିନ ଗଂଜେଇ କାରବାର ବଢ଼ି ଚାଲିଥିଲା ବେଳେ ପୋଲିସର ପାରିବାପଣିଆ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସେହିପରି ଦଶପଲ୍ଲା ଏବଂ ନୂଆଗାଁ ଥାନା ପକ୍ଷରୁ କେବେ ହେଲେ ଗାଡ଼ିର ଯାଞ୍ଚ୍ କରାଯାଉନାହିଁ। ନିକଟରେ ନୂଆଗାଁ ଥାନା ଛାଡ଼ି କର୍ମଚାରୀମାନେ ଆତ୍ମଗୋପନ କରିଥିବା ଖବର ପ୍ରକାଶ ପାଇବା ପରେ ଏବେ କର୍ମଚାରୀମାନେ ଥାନାକୁ ଜଗି ବସୁଛନ୍ତି। ଏହି ରାସ୍ତା ଦେଇ ଚୋରା ବ୍ୟବସାୟୀମାନେ ନିର୍ଜନ ରାତିରେ ଖୁଲମଖୁଲା ଭାବେ ପୁଲିସ ଆଖିରେ ଧୂଳି ଦେଇ ଖସିଯିବାରେ ସଫଳ ହେଉଛନ୍ତି। ଆଉ କେତେକ ବ୍ୟବସାୟୀଙ୍କ ସହିତ ପୁଲିସ କର୍ମଚାରୀମାନେ ସଂପର୍କ ଗଢ଼ି ତାଙ୍କଠାରୁ ମୋଟା ଅଙ୍କର ମୁନାଫା ପାଇ ଚୁପ୍ ବସୁଛନ୍ତି।
ସେହିପରି ନୟାଗଡ଼ ସଦରଥାନା ଏବଂ ଟାଉନ ଥାନାରେ ଦକ୍ଷ ଥାନା ଅଧିକାରୀଙ୍କୁ ନିଯୁକ୍ତି କରାଯାଇଛି। ପ୍ରତିଦିନ ଜିଲ୍ଲାରେ ଅଘଟଣକୁ ଏଡ଼ାଇବା ସହିତ ଚୋରା ଚାଲାଣ ଉପରେ ରୋକ୍ ଲଗାଯାଇପାରିବ। କିନ୍ତୁ ଥାନା ଅଧିକାରୀମାନେ ଥାନା ଛାଡ଼ି ଘରେ ଶୋଉଥିବା ବେଳେ ଅନ୍ୟ କର୍ମଚାରୀଙ୍କୁ ଥାନା ଜଗାଇଥିବାର ଦୃଶ୍ୟ ସୋସିଆଲ ମିଡିଆରେ ଘୂରି ବୁଲୁଥିବା ଦେଖିବାକୁ ମିଳୁଛି। ଅନ୍ଧାର ରାତିରେ ଖସି ଯାଉଥିବା ଅପରାଧୀ ଏବଂ ଚୋରା ଚାଲାଣ କରୁଥିବା ବ୍ୟବସାୟୀଙ୍କୁ ପୁଲିସ ଧରି ପାରୁନାହିଁ। ସେହିପରି ଇଟାମାଟି ପୁଲିସ ପକ୍ଷରୁ କେବେ ଧରପଗଡ଼ କରି ମାଫିଆଙ୍କୁ ଧରାଯାଇନାହିଁ। ସବୁ ଥାନାଗୁଡ଼ିକ ଜାତୀୟ ରାଜପଥ ଉପରେ ଥିଲେ ମଧ୍ୟ ପୋଲିସର ନିଷ୍କ୍ରିୟତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ନୟାଗଡ଼ ଜିଲ୍ଲାରେ ମାଓ ହମଲାଠାରୁ ଆରମ୍ଭ କରି ବୋମାମାଡ଼, ଚୋରି, ଡକାୟତି ଆଦି ଘଟଣା ମନରୁ ନ ଲିଭୁଣୁ ବର୍ତ୍ତମାନର ପରିସ୍ଥିତି ଭୀତିପ୍ରଦ ରହିଛି। ଅପରାଧୀ ଏବଂ ନିଶା କାରବାରକୁ ରୋକିବା ପାଇଁ ନୟାଗଡ଼ ପୁଲିସ ପ୍ରତିଦିନ ଚେକିଂ ଓ ପାଟ୍ରୋଲିଂ କରିବାକୁ ବିଭିନ୍ନ ମହଲରେ ଦାବି ହେଉଛି।