ମହାନଦୀରେ ବେଆଇନ୍‌ ବିସ୍ଫୋରଣ: ସଂକଟରେ ହୁମାର କୁଢ଼ୋ ମାଛ

ଧମା : ମହାନଦୀରେ ଚାଲିଛି ଅବାଧ ବିସ୍ଫୋରଣ। ମାଛ ମାରିବା ପାଇଁ ସହଜ ଉପାୟ ଅବଲମ୍ବନ କରାଯାଉଛି। ପ୍ରସିଦ୍ଧ ଶୈବ ପୀଠ ହୁମା ବକ୍ର ମନ୍ଦିରର ମଛିନ୍ଦ୍ର ଘାଟଠାରୁ ଅନତି ଦୂରରେ ବି ଏଭଳି ବେଆଇନ୍‌ ବିସ୍ଫୋରଣ କରାଯାଉଛି। ଯାହାଦ୍ବାରା ‌ହୁମାରେ ମତ୍ସ୍ୟାବତାର ଭାବେ ପୂଜା ପାଉଥିବା କୁଢ଼ୋ ମାଛଙ୍କ ପ୍ରତି ବିପଦ ଦେଖା ଦେଇଛି।

ମିଳିଥିବା ସୂଚନା ଅନୁସାରେ କୁଦ ଗୁଣ୍ଡେରପୁର, ଚିପିଲିମା ଓ ହୁମା ମଧ୍ୟରେ ମହାନଦୀ ପାଣି ଭିତରେ ଅନେକ ସ୍ଥାନରେ ବେଆଇନ୍‌ ତଥା ବିପଜ୍ଜନକ ବିସ୍ଫୋରଣ କରି ମାଛ ମରାଯାଉଛି। ବିସ୍ଫୋରଣ ଯୋଗୁଁ ପ୍ରଚଣ୍ଡ ଶବ୍ଦ ହୋଇ କିଛି ସମୟ ମଧ୍ୟରେ ବହୁ ସଂଖ୍ୟାରେ ମାଛ ମରି ପାଣିରେ ଭାସୁଛନ୍ତି। ବିସ୍ଫୋରଣ କରୁଥିବା ଦୁର୍ବୃତ୍ତ ମାନେ ଭାସୁଥିବା ମାଛ ଗୁଡ଼ିକୁ ନେଇ ବିକ୍ରି କରୁଛନ୍ତି। ଏହି ବିସ୍ଫୋରଣ ଯୋଗୁଁ କୁଢ଼ୋ ମାଛଙ୍କ ସଂଖ୍ୟା କମିବାରେ ଲାଗିଛି। ଅନ୍ୟ ପକ୍ଷରେ ମାଛ ମାରି ଜୀବିକା ନିର୍ବାହ କରୁଥିବା ପ୍ରକୃତ ମତ୍ସ୍ୟଜୀବୀଙ୍କ ଜୀବିକା ମଧ୍ୟ ପ୍ରଭାବିତ ହେଉଛି। ରବିବାର ଏଭଳି ଏକ ଘଟଣା ଦେଖିବାକୁ ମିଳିଥିଲା। ଦିନ ପ୍ରାୟ ୧୧ଟା ବେଳେ ହୁମା ମଛିନ୍ଦ୍ର ଘାଟରୁ ଅଳ୍ପ ଦୂରରେ ମହାନଦୀ ଭିତରେ ଥିବା କନ୍ଦେରକୁଦ କାଳି ମନ୍ଦିର ନିକଟରେ ଗାଁର କିଛି ଯୁବକ ଗାଧୋଉଥିଲେ। ସେତିକିବେଳେ କିଛି କୁଢ଼ୋ ମାଛ ମରି ଭାସୁଥିବା ଦେଖିଥିଲେ। ସେମାନେ ମାଛ ଗୁଡ଼ିକୁ ସଂଗ୍ରହ କରି ପରୀକ୍ଷା କରିବା ପରେ ସେଥିରେ ଥିବା ଚିହ୍ନରୁ ବିସ୍ଫୋରଣରେ ମରିଥିବା ଜାଣି ପାରିଥିଲେ।

କିଛି ମାସ ପୂର୍ବରୁ ବି ସେଠାରେ ବିସ୍ଫୋରଣରେ ବହୁ କୁଢ଼ୋ ମାଛଙ୍କ ମୃତ୍ୟୁ ହୋଇଥିଲା। ସେତେବେଳେ ପୁଲିସ୍‌ ଓ ପ୍ରଶାସନ ପକ୍ଷରୁ ଏଭଳି ନ କରିବାକୁ ଆଖପାଖ ଗାଁରେ ତାଗିଦ କରା ଯାଇଥିଲା। ଏହା ପରେ ହୁମା ନିକଟରେ ମହାନଦୀରେ ଏଭଳି ବିସ୍ଫୋରଣ ବନ୍ଦ ଥିଲା। କିଛି ମାସ ପରେ ପୁଣି ଏଭଳି ଘଟଣା ଦେଖିବାକୁ ମିଳିଛି। ହୁମାର ପ୍ରସିଦ୍ଧ ଓ ଭକ୍ତଙ୍କ ପ୍ରିୟ କୁଢ଼ୋ ମାଛ ପ୍ରତି ବିସ୍ଫୋରଣ ବଡ଼ ବିପଦ ପାଲଟି ଥିଲାବେଳେ ଏହାକୁ ନେଇ ଅଞ୍ଚଳର ବୁଦ୍ଧିଜୀବୀ ଓ ପରିବେଶପ୍ରେମୀ ମାନେ ଚିନ୍ତାପ୍ରକଟ କରିଛନ୍ତି। ତେଣୁ ତୁରନ୍ତ ପୁଲିସ୍‌ ଓ ପ୍ରଶାସନ ସତର୍କ ନହେଲେ ଭବିଷ୍ୟତରେ ହୁମାର ଅନ୍ୟତମ ପରିଚୟ କହା ଯାଉଥିବା କୁଢ଼ୋ ମାଛ ବଂଶ ଲୋପ ପାଇବ ବୋଲି ସେମାନେ ଆଶଂକା ବ୍ୟକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର