ସୋର/ଖଇରା: ସୁନ୍ଦରଗଡ଼ରେ ମାଓବାଦୀଙ୍କ ଦ୍ବାରା ବିସ୍ଫୋରକ ଲୁଟ୍ ଘଟଣା ପରେ ସାରା ରାଜ୍ୟରେ ଚର୍ଚ୍ଚା ଜୋର୍ ଧରିଛି। ଏପରି ସମୟରେ ବାଲେଶ୍ବର ଜିଲ୍ଲାରେ ମଧ୍ୟ ବିପୁଳ ବିସ୍ଫୋରକ ବେଆଇନ ଭାବେ ମହଜୁଦ ଥିବା ନେଇ ଆଶଙ୍କା ପ୍ରକାଶ ପାଇଛି। ତେବେ ଏଠାରେ ମାଓବାଦୀ ନୁହେଁ, ପଥର ମାଫିଆ ସାଜିଛନ୍ତି କାର୍ପଟଦାର।
ବାଲେଶ୍ବର ଜିଲ୍ଲା ସୋରର ଖଞ୍ଜାମାହାଲ ପାହାଡ଼ରେ ୬୩ ଟି ଏବଂ ଖଇରାର ଶାରୀଶୁଆ ପାହାଡ଼ରେ ୯୭ଟି ପଥର ଖାଦାନ ରହିଛି। ଉଭୟ ସ୍ଥାନର କୌଣସି ଖାଦାନକୁ ସରକାର ନିଲାମ ଦେଇ ନଥିବା ବେଳେ ମାଫିଆମାନେ ସେଠାରୁ ଚୋରାରେ ପଥର ଲୁଟ୍ କରୁଛନ୍ତି। ପଥର ଫଟାଇବା ପାଇଁ ବେଆଇନ ବିସ୍ଫୋରକ ବ୍ୟବହାର କରୁଥିବା ଜଣାପଡ଼ିଛି। ୨୦୨୪ ମେ ୨୬ରେ ଖଞ୍ଜାମାହାଲ ପାହାଡ଼ରୁ ବିପୁଳ ପରିମାଣରେ ଜିଲୋଟିନ୍ ମିଳିଥିଲା। ତତ୍କାଳୀନ ସୋର ଥାନାଧିକାରୀ ପ୍ରଭାଂଶୁ ଶେଖର ମିଶ୍ର ଟିମ୍ ସହ ଚଢ଼ଉ କରି ଗୋଟିଏ ଖଣିରୁ ୧.୫ ଟନ୍ ଏବଂ ଅନ୍ୟ ଏକ ଖଣିରୁ ୬ ଟନ୍ ବିସ୍ଫୋରକ ଜବତ କରିଥିଲେ। ଯାହାକୁ କୋର୍ଟଙ୍କ ନିର୍ଦ୍ଦେଶ ପରେ ନିଷ୍କ୍ରିୟ କରାଯାଇଥିଲା। ଏହି ଘଟଣାରେ ସମ୍ପୃକ୍ତ ଜଣେ ଅଭିଯୁକ୍ତ କୋର୍ଟ ଚାଲାଣ ହୋଇଥିବା ବେଳେ ଅନ୍ୟଜଣଙ୍କ ଉପରେ ଏଯାଏଁ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନି।
କାର୍ପଟଦାର ସାଜିଛନ୍ତି ପଥର ମାଫିଆ
ପୁଲିସ କହୁଛି, ସୂଚନା ମିଳିଲେ ଚଢ଼ଉ ହେବ
ବିଶେଷ କରି ସୋର ଓ ଖଇରାର ଖଣି ଅଞ୍ଚଳ ସହ ଜିଲ୍ଲାର ଅନ୍ୟ ଅଞ୍ଚଳରେ ଟନ୍ ଟନ୍ ବେଆଇନ ବିସ୍ଫୋରକ ମହଜୁଦ ରହିଛି। ତେବେ ପ୍ରଶ୍ନ ଉଠୁଛି, ବିସ୍ଫୋରକ କେଉଁଠୁ ଆସୁଛି ? ସେଗୁଡ଼ିକୁ କିଏ ପଠାଉଛି? ଏହା ସହିତ ବିଭିନ୍ନ ସ୍ଥାନରେ ଯାଞ୍ଚ ସତ୍ତ୍ବେ ଜିଲୋଟିନ୍ ପରିବହନ କେମିତି ସମ୍ଭବ ହୋଇପାରୁଛି? ବିଶେଷ ସୂତ୍ରରୁ ଜଣାପଡ଼ିଛି; ମାଫିଆମାନେ ରାଜ୍ୟ ଓ ରାଜ୍ୟ ବାହାରୁ ବିସ୍ଫୋରକ ଆମଦାନୀ କରୁଛନ୍ତି। ଖଞ୍ଜାମାହାଲ ପାହାଡ଼ରୁ ଜବତ ଜିଲୋଟିନ୍ ଉପରେ ଲାଗିଥିବା ବ୍ୟାଚ୍ ନମ୍ବର ଓ ବାର୍କୋଡ୍ କହୁଛି, ସେଗୁଡ଼ିକ ଢେଙ୍କାନାଳ ଓ କଣ୍ଟାବାଞ୍ଜିର ୨ଟି କମ୍ପାନି ପ୍ରସ୍ତୁତ କରିଛନ୍ତି। ହେଲେ ବିଡ଼ମ୍ବନା; ଏଯାଏଁ କୌଣସି କାର୍ଯ୍ୟାନୁଷ୍ଠାନ ହେଲାନି। ଅନ୍ୟପଟେ ବାଲେଶ୍ବରରେ ମହଜୁଦ ବିସ୍ଫୋରକ ଜବତ ପାଇଁ ପୁଲିସ ପ୍ରଶାସନ କୌଣସି ବିହିତ ପଦକ୍ଷେପ ନେଉନି। ଏନେଇ ସୋର ଥାନାଧିକାରୀ ସୁଦୀପ୍ତ କୁମାର ସାହୁଙ୍କ ପ୍ରତିକ୍ରିୟା ନିଆଯାଇଥିଲା। ସେ କହିଛନ୍ତି, ଖଞ୍ଜାମାହାଲରୁ ସାଢ଼େ ୭ଟନ୍ ଜିଲୋଟିନ୍ ଜବତ ମାମଲା ଏବେ ବି ତଦନ୍ତାଧୀନ ରହିଛି। ବାଲେଶ୍ବରରେ ବିସ୍ଫୋରକ ଗଚ୍ଛିତ ଥିବା ନେଇ ଖୋଳତାଡ଼ ଚାଲିଛି। ସୂଚନା ମିଳିଲେ ଚଢ଼ଉ କରାଯିବ ଏବଂ କାର୍ଯ୍ୟାନୁଷ୍ଠାନ ହେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/06/05/skuILo133pudwHI0tVOs.jpg)