ନୟାଗଡ଼ ଜିଲ୍ଲାରେ କାୟା ମେଲାଇଛନ୍ତି ଠକ ସଂସ୍ଥା, ୬ ମାସ ମଧ୍ୟରେ ଲକ୍ଷ ଲକ୍ଷ ଟଙ୍କା ଲୁଟ୍

ନୟାଗଡ଼, ରଣପୁର, ଦଶପଲ୍ଲା ପରେ ଏବେ ଓଡ଼ଗାଁରେ ଆଡ୍ଡା

ନୟାଗଡ଼ : ଛ’ ମାସ ମଧ୍ୟରେ ନୟାଗଡ଼ ଜିଲ୍ଲାର ବିଭିନ୍ନ ବ୍ଲକ୍‌ରେ ଠକେଇ ହୋଇଛି। ନିଜକୁ ଫାଇନାନ୍ସ ସଂସ୍ଥା ବୋଲାଉଥିବା ଏକାଧିକ ଠକ ଗ୍ୟାଙ୍ଗ୍ ଜିଲ୍ଲାକୁ ଟାର୍ଗେଟ୍ କରିଛନ୍ତି। ଏମାନେ ରାତିଅଧିଆ ‌ କେଉଁଠୁ ସବୁ ଆସି ଅସ୍ଥାୟୀ ଭାବେ ବିଭିନ୍ନ ଜାଗାରେ ଘର ଭଡ଼ା ନେଇ ଜନସାଧାରଣଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଉଛନ୍ତି। ବିନା ସୁଧରେ ଲୋନ୍ ଦେବାର ପ୍ରଲୋଭନ ଦେଖାଇ ପ୍ରଥମେ ବିଭିନ୍ନ ଫି’ର ବାହାନା ଦେଖାଇ ହଜାର ହଜାର ଲୋକଙ୍କଠାରୁ ଟଙ୍କା ଆଦାୟ କରୁଛନ୍ତି। ଏହା ପରେ ସୁବିଧା ଦେଖି ଚମ୍ପଟ ମା‌ରୁଛନ୍ତି। ପୁଲିସ ନିକଟରେ ଅଭିଯୋଗ କଲେ ମଧ୍ୟ କିଛି ଲାଭ ହେଉନାହିଁ କି ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ହେଉନାହିଁ। ଏହିପରି ଭାବେ ପ୍ରଥମେ ଚଳିତ ବର୍ଷ ଫେବ୍ରୁଆରି ୭ ତାରିଖରେ ନୟାଗଡ଼ ଟାଉନ ଥାନା ଅଧୀନ ଘଡ଼ୁଆଳ, ଜୁନ୍ ୬ରେ ରଣପୁର ଥାନା ଅଧୀନ ଗୋପାଳପୁର, ଜୁଲାଇ ୧୮‌‌ରେ ଦଶପଲ୍ଲା ଥାନା ଅଞ୍ଚଳରୁ ଲକ୍ଷାଧିକ ଟଙ୍କା ଠକ ସଂସ୍ଥାଗୁଡ଼ିକ ଲୁଟିଥିଲେ। ସବୁଠି ଠକେଇର ତରିକା ସମାନ ଥିବା ବେଳେ ଏହା ଗୋଟିଏ ଠକ ଗ୍ୟାଙ୍ଗ୍ ନା ଭିନ୍ନ ଭିନ୍ନ ତାହା ପୁଲିସ ତଦନ୍ତ କଲେ ଜଣାପଡ଼ନ୍ତା। ପୁଲିସ ତଦନ୍ତରେ ବିଶେଷ ଅଗ୍ରଗତି ନଥିବାରୁ ଉପରୋକ୍ତ ଠକେଇକୁ ନେଇ ସମସ୍ତେ ଅନ୍ଧାରରେ ରହିଛନ୍ତି ଓ କାର୍ଯ୍ୟାନୁଷ୍ଠାନ ଶୂନ ରହିଛି।

ଏହି ପରିପ୍ରେକ୍ଷୀରେ ଗତ ୪ରୁ ୫ ଦିନ ହେଲା ଓଡ଼ଗାଁ ଥାନା ଅଞ୍ଚଳ‌ରେ ଏକ ଠକ ସଂସ୍ଥା ଆସି ଆଡ଼ା ଜମାଇଥିବା ଏବଂ ବିନା ସୁଧରେ ଲୋକଙ୍କୁ ୫୦ ହଜାର ଟଙ୍କା ଲୋନ୍ ପ୍ରଦାନ କରିବ ବୋଲି କହି ଇନ୍‌ସୁରାନ୍ସ ବାବଦରେ ୫ ଶହ ଓ ପ୍ରୋସେସିଂ ଫି ବାବଦରେ ୫ ଶହ ଟଙ୍କା ଏହିପରି ଏକ ହଜାର ଟଙ୍କା ଆ‌ଦାୟ କରୁଛି। ଆଜି ଏ ନେଇ ଓଡ଼ଗାଁ ଅଞ୍ଚଳର କିଛି ସଚେନତ ନାଗରିକ ‘ସମ୍ବାଦ’କୁ ସୂଚନା ଦେଇଛନ୍ତି। ବିନା ସୁଧ‌ରେ ଉକ୍ତ ସଂସ୍ଥାଟି ୫୦ ହଜାର ଟଙ୍କା ଲୋନ୍ ଦେବାର ପ୍ରଲୋଭନ ଦେଖାଇ ଲୋକଙ୍କଠାରୁ ବିଭିନ୍ନ ବାହାନାରେ ୧ ହଜାର ଲେଖାଏଁ ଟଙ୍କା ଲୁଟିବା ସ୍ବାଭାବିକ ଭାବେ ସନ୍ଦେହ ସୃଷ୍ଟି କରିଛି। ଏହି ସଂସ୍ଥାରେ ଖୁବ୍‌ ଶୀଘ୍ର ପୁଲିସ ଛାନ୍‌ଭିନ୍‌ କରିବା ଆବଶ୍ୟକ। ପୂର୍ବ ଭଳି ଏହି ସଂସ୍ଥାଟି କିଛି ଦିନ ଭିତରେ ଛୁ ମାରିବାର ଆଶଙ୍କା ପ୍ରକାଶ ପାଇଥିବା ସ୍ଥା‌ନୀୟ ଲୋକେ କହିଛନ୍ତି।

ରଣପରରେ ଉରୁମ୍ ଫାଇନାନ୍ସ ନାମକ ଏକ କମ୍ପାନି ଗତ ମେ ମାସରେ ଆସି ସ୍ଥାନୀୟ ବ୍ୟକ୍ତିଙ୍କ ଘର ଭଡ଼ା ନେଇଥିଲେ। ‌ସେଠାରେ କାର୍ଯ୍ୟାଳୟ ଖୋଲିବା ସହିତ କିଛି ମହିଳା ଗ୍ରୁପ୍‌କୁ ଟାର୍ଗେଟ୍ କରିଥି‌ଲେ। ପ୍ରଥମ ମାସରେ ୧୩ ହଜାର ଟଙ୍କା ଜମା ରଖିଲେ, ପରବର୍ତ୍ତୀ ଅର୍ଥାତ୍ ଜୁନ୍ ମାସରେ ତୁମକୁ କମ୍ ସୁଧରେ ୪୦ ହଜାର ଟଙ୍କା‌ ମିଳିବ ବୋଲି ପ୍ରଲୋଭନ ଦେଖାଇଥିଲେ। କିଛି ମହିଳା ଗ୍ରୁପ୍ ଏହା ଦ୍ବାରା ପ୍ରଭାବିତ ହୋଇ ପ୍ରାୟ ୩ ଲକ୍ଷ ଟଙ୍କା ଜମା କରିଥିବା ବେଳେ, ଜୁନ୍ ମାସର ପ୍ରଥମ ସପ୍ତାହ ଅତିକ୍ରମ କରିଯାଇଥିଲେ ମଧ୍ୟ କୌଣସି ଗ୍ରୁପ୍ ଆକାଉଣ୍ଟକୁ ଟଙ୍କା ଆସିନଥିଲା। ଫଳରେ ମହିଳାମାନେ ଠକାମିର ଶିକାର ହୋଇଥିବା ଜାଣିବାକୁ ପାଇ ଉରୁମ କମ୍ପାନି କାର୍ଯ୍ୟାଳୟକୁ ଯାଇଥିଲେ ମଧ୍ୟ ସେଠାରେ ଏହି ଠକେଇ ସଂସ୍ଥାର କୌଣସି ଅଧିକାରୀଙ୍କୁ ଦେଖିବାକୁ ପାଇନଥିଲେ। ଘର ମାଲିକ ବି ସେମାନଙ୍କ ସମ୍ପର୍କରେ କୌଣସି ସୂଚନା ଦେଇପାରିନଥିଲା।

ଠିକ୍‌ ଏଇଭଳି ନୟାଗଡ଼ ସଦର ବ୍ଲକ୍‌ ଅନ୍ତର୍ଗତ ଘଡ଼ୁଆଳ ଆଖପାଖ ଅଞ୍ଚଳରୁ ଉତ୍କର୍ଷ ସ୍ମଲ୍‌ ଫାଇନାନ୍ସ କମ୍ପାନି ନାଁ’ରେ ଏକ ଠକ ସଂସ୍ଥା ମାତ୍ର ୪ ଦିନରେ ଲକ୍ଷାଧିକ ଟଙ୍କା ଲୁଟି ନେଇଥିଲା। ଏ ନେଇ ଟାଉନ ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ ପୁଲିସ ଏହି ଠକ ସଂସ୍ଥାର ସାମାନ୍ୟତମ ସୁରାକ ବି ପାଇପାରିନଥିଲା। ଏହି ଠକ ସଂସ୍ଥା ମହିଳାମାନଙ୍କୁ ୧୪ ଶହ ଟଙ୍କା‌ ଜମା ରଖିଲେ ୪୦ ହଜାର ଟଙ୍କା ଲୋନ୍ ମିଳିବ ବୋଲି କହିଥିଲା। ତାହା ପୁଣି ମାତ୍ର ଏକ ପ୍ରତିଶତ ସୁଧ ହାରରେ। ସମାନ ଢଙ୍ଗରେ ଦଶପଲ୍ଲା ବ୍ଲକ୍‌ରେ ସଂଘମିତ୍ରା ରୁରାଲ୍‌ ଫ‌ାଇନାନ୍‌ସିଆଲ ସର୍ଭିସେସ ନାମକ ଏକ ସଂସ୍ଥା ପ୍ରତ୍ୟେକଙ୍କୁ ୪୦ ହଜାର ଲୋନ୍‌ ଦେବ କହି ଏସ୍‌ଏଚ୍‌ଜି ମହିଳାମାନଙ୍କଠାରୁ ୧୫ ଶହ ୨୦ ଟଙ୍କା ଆଦାୟ କରି ୪ ଦିନରେ ୧୨ ଲକ୍ଷରୁ ଅଧିକ ଟଙ୍କା ନେଇ ଚମ୍ପଟ ମାରିଥିଲା। ଜିଲ୍ଲାରେ ବାରମ୍ବାର ଏଭଳି ଘଟଣା ଘଟୁଥିବା ବେଳେ କିଛି ଜାଗାରେ ଥାନାରେ ଅଭି‌ଯୋଗ ହେଉଥିବା ବେଳେ ଅଧିକାଂଶ କ୍ଷେତ୍ରରେ ଥାନାରେ ଅଭିଯୋଗ ପହଞ୍ଚୁନାହିଁ। ଫଳରେ ପୁଲିସ ମଧ୍ୟ ଆମ ନିକଟରେ କେହି ଅଭି‌ଯୋଗ କରିନାହାନ୍ତି କହି ଏହି ଘଟଣା ପ୍ରତି ତତ୍ପରତା ପ୍ରକାଶ କରୁନାହିଁ। ଓଡ଼ଗାଁ ଘଟଣା ସମ୍ପର୍କରେ ନୟାଗଡ଼ ଏସ୍‌ପି ଶଶିଭୂଷଣ ଶତପଥୀଙ୍କୁ ସୂଚନା ଦେବା ପରେ ତୁରନ୍ତ ସେଠାରେ ଚଢ଼ଉ କରି ଯାଞ୍ଚ କରାଯିବ ବୋଲି ଶ୍ରୀ ଶତପଥୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର