ବ୍ରହ୍ମଗିରି : ବିରଳ ପ୍ରଶାନ୍ତ ସାଗରୀୟ ଅଲିଭ୍ ରିଡ୍ଲେ କଇଁଛ ଓଡ଼ିଶା ଉପକୂଳରେ ପହଞ୍ଚି ସାରିଲେଣି। ଏମାନଙ୍କ ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ଉପକୂଳ ଇଲାକାରେ କଟକଣା ଜାରି ହୋଇସାରିଛି। କିନ୍ତୁ ଏହି କଟକଣାକୁ ମାଛ ଧରା ଟ୍ରଲର୍ ମାନୁ ନଥିବା ଜଣାପଡ଼ିଛି।
ଖବର ନେବାରେ ଜଣାପଡ଼ିଛି, ଅଲିଭ୍ ରିଡ୍ଲେ କଇଁଛ ବଙ୍ଗୋପସାଗର ଉପକୂଳରେ ପହଞ୍ଚି ସାରିଲେଣି। ପୁରୀ ଜିଲ୍ଲାର ଅସ୍ତରଙ୍ଗ ରେଞ୍ଜର କେଳୁଣୀ ମୁହାଣଠାରୁ ଚିଲିକାର ରାମଭରତିଆ ମୁହାଣ ପର୍ଯ୍ୟନ୍ତ ଏମାନଙ୍କର ଉପସ୍ଥିତି ରହିଥାଏ। ବ୍ରହ୍ମଗିରି ରେଞ୍ଜର ମଙ୍ଗଳା ନଈଠାରୁ ବାଲିହରଚଣ୍ତୀ ମୁହାଣ ପର୍ଯ୍ୟନ୍ତ ଏମାନଙ୍କ ଉପସ୍ଥିତି ଦେଖିବାକୁ ମିଳିଥାଏ। ସେହିପରି ସାତପଡ଼ା ରେଞ୍ଜର ବାଲିହରଚଣ୍ତୀ ମୁହାଣଠାରୁ ରାମଭରତିଆ ମୁହାଣ ଏବଂ ରାମଭରତିଆ ମୁହାଣଠାରୁ ଗିଲିନାଶି ମୁହାଣ ପର୍ଯ୍ୟନ୍ତ ଚିଲିକା ନୂଆପଡା ରେଞ୍ଜ ଅଧୀନରେ କଇଁଛ ଉପକୂଳକୁ ଆସିଥାନ୍ତି। ଉପକୂଳଠାରୁ ୧୧କିମି ମଧ୍ୟରେ ଚାରି ମାସ ପର୍ଯ୍ୟନ୍ତ ମାଛ ନଧରିବା ପାଇଁ ବନ ବିଭାଗ କଟକଣା ଜାରି କରିଛି। ଏହି ୧୧ କିଲୋମିଟର ମଧ୍ୟରେ କଇଁଛଙ୍କ ମିଳନ ହୋଇଥାଏ। ଏହା ସହିତ ଏହି ଇଲାକାରେ ପ୍ରଚୁର ପରିମାଣର ମାଛ ରହିଥାନ୍ତି। କଇଁଛଙ୍କ ଖାଦ୍ୟ ମିଳିବା ସହିତ ଉପଯୁକ୍ତ ପରିବେଶ ମିଳିିବା ସହ ଅଣ୍ତା ଦେବାକୁ ଉପକୂଳକୁ ଆସିବାକୁ ସୁବିଧା ଓ ସହଜ ହୋଇଥାଏ। ଏହି ଇଲାକାକୁ ୪ ମାସ ପର୍ଯ୍ୟନ୍ତ ବନ ବିଭାଗ ରେଡ୍ ଜୋନ୍ ଭାବରେ ନେଇଥାଏ। ଟ୍ରଲର୍ ଚଳାଚଳ ସହିତ ଜାଲ ପକାଇ ମାଛ ଧରିବାକୁ ନିଷେଧ କରାଯାଇଛି। ସେଥିପାଇଁ ବନ ବିଭାଗର ସ୍ବତନ୍ତ୍ର ଭାବରେ ଏକ ଟ୍ରଲର୍ ପାଟ୍ରୋଲିଂ କରିବାର ବ୍ୟବସ୍ଥା ମଧ୍ୟ ହୋଇଥାଏ। କିନ୍ତୁ ଏସବୁ କେବଳ କାଗଜ କଲମରେ ଚାଲିଥିବା କୁହାଯାଉଛି।
ନିଷିଦ୍ଧାଞ୍ଚଳରେ ମାଳମାଳ ଟ୍ରଲର୍ ଘୁରି ବୁଲୁଛି। ବିଶେଷ କରି ବାହାର ରାଜ୍ୟର ଟ୍ରଲର୍ ବ୍ରହ୍ମଗିରି ରେଞ୍ଜର ବାଲିହରଚଣ୍ତୀ ବିଟ୍ ଇଲାକାରେ ଘୁରି ବୁଲୁଥିବା ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ନଜରକୁ ଆସିଛି। ସେହିପରି ସାତପଡ଼ା ରେଞ୍ଜର ଚିଲିକା ଉପକୂଳର ମୁହାଣ ଇଲାକାରେ ଟ୍ରଲର୍ ଉପସ୍ଥିତି ଦେଖିବାକୁ ମିଳିଛି। ଅନ୍ୟପଟେ ଚିଲିକା ନୂଆପଡ଼ା ରେଞ୍ଜର ଗିଲିନାଶି ମୁହାଣ ଇଲାକାରେ ମଧ୍ୟ ଅବାଧ ଟ୍ରଲର୍ ଚଳାଚଳ କରୁଥିବା ସ୍ଥାନୀୟ ମତ୍ସ୍ୟଜୀବୀ କହିଛନ୍ତି। ପ୍ରକାଶଯୋଗ୍ୟ, ଗତ ୭ ବର୍ଷ ମଧ୍ୟରେ ବ୍ରହ୍ମଗିରି ରେଞ୍ଜରେ ଗୋଟିଏ ହେଲେ କଇଁଛ ଅଣ୍ତା ହାଚେରିକୁ ଆସି ନାହିଁ। କିନ୍ତୁ ବନ ବିଭାଗ ଶବ ଗୋଟାଇ ରେକର୍ଡ କରିଛି। ଅନ୍ୟପଟେ ସାତପଡ଼ା ଓ ଚିଲିକା ନୂଆପଡ଼ା ରେଞ୍ଜ ଇଲାକାରେ ସମୁଦ୍ର ଭିତରେ ସୁରକ୍ଷା କଥା ଦୂରେ ଥାଉ ଉପକୂଳରେ ସୁରକ୍ଷା ବ୍ୟବସ୍ଥା ଆଦୌ ନଥିବା ସବୁବେଳେ ଅଭିଯୋଗ ଉଠିଥାଏ। କୁଢ଼ କୁଢ଼ କଇଁଛଙ୍କ ଶବ ଉପକୂଳରେ ପଡ଼ି ଦୁର୍ଗନ୍ଧ ହୋଇଥାଏ। ଏ ନେଇ ଚିଲିକା ବୁଲିବାକୁ ଆସୁଥିବା ପର୍ଯ୍ୟଟକମାନେ ଅସନ୍ତୋଷ ପ୍ରକାଶ କରିବାର ଅନେକ ନଜିର ରହିଛି।