ବେଆଇନ ଗଞ୍ଜେଇ ଚାଷ ସମୂଳେ ନଷ୍ଟ କରିବା ଯୋଜନା

ସରକାରୀ ଅଧିକାରୀଙ୍କ ସମ୍ପୃକ୍ତିକୁ ନେଇ ଚିନ୍ତା, ୯ଟି ଜିଲ୍ଲାରେ ସବୁଠାରୁ ଅଧିକ ଚାଷ ହେଉଛି

ଭୁବନେଶ୍ୱର : ବେଆଇନ ଗଞ୍ଜେଇ ଚାଷ ନଷ୍ଟ କରିବାରେ ବର୍ଷ ୨୦୧୮-୧୯‌ରେ ଧାର୍ଯ୍ୟ ଲକ୍ଷ୍ୟଠାରୁ ଅଧିକ ସଫଳତା ମିଳିଛି। କିନ୍ତୁ ଚାଷ ବା ଚାଷ ପଛରେ ଥିବା ବ୍ୟକ୍ତିମାନଙ୍କ ଗିରଫଦାରୀ ସଂଖ୍ୟା କମ୍‌ ରହିଛି। ଅଧିକାଂଶ କାର୍ଯ୍ୟାନୁଷ୍ଠାନ ଅମଳ ପରେ ବା ଚାଲାଣ ସମୟରେ ହେଉଛି। ଚାଷ ବାବଦରେ ଯଦି ଆମେ ଜାଣିଛେ ଏବଂ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନେ, ତେବେ ବିପଦ। ସେହିପରି ଚାଷ କିଏ କରୁଛି, କିଏ ପଇସା ଯୋଗାଉଛି, କିଏ ଯତ୍ନ ନେଉଛି, ତାହାର ସୂଚନା ଯଦି ଆମ ପାଖରେ ରହୁନାହିଁ, ତେବେ ତାହା ଆହୁରି ସାଂଘାତିକ। ତେଣୁ ରାଜ୍ୟରୁ ଗଞ୍ଜେଇ ଚାଷକୁ ସମୂଳେ ନଷ୍ଟ କରିବା ପାଇଁ ରାଜସ୍ବ, ବନ, ଅବକାରୀ, ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଓ ପୁଲିସ ଭିତ‌ରେ ଅଧିକ ସମନ୍ବୟର ଆବଶ୍ୟକତା ରହିଛି। ଗଞ୍ଜେଇ ଚାଷ ନିୟନ୍ତ୍ରଣକୁ ନେଇ ଆଜି କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସମନ୍ବୟ ବୈଠକରେ ଅଧ୍ୟକ୍ଷତା କରି ଏପରି ଚିନ୍ତା ବ୍ୟକ୍ତ କରିଛନ୍ତି ପୁଲିସ ଡିଜି ବିଜୟ ଶର୍ମା।

ବୈଠକରେ ଏଡିଜି(କ୍ରାଇମ୍‌ବ୍ରାଞ୍ଚ) ସନ୍ତୋଷ ଉପାଧ୍ୟାୟ ଯୋଗଦେଇ କହିଥିଲେ, ଏହି ବେପାରକୁ ଆର୍ଥିକ ପ୍ରୋତ୍ସାହନ ଯୋଗାଉଥିବା ବ୍ୟକ୍ତିଙ୍କୁ ଧରିବା ପାଇଁ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ ସ୍ବତନ୍ତ୍ର ଭାବେ କାମ କରୁଛି। ଏଥିପାଇଁ ସବୁ ଜିଲ୍ଲାର ଏସ୍‌ପିମାନଙ୍କ ପାଇଁ ଏକ ନିୟମାବଳୀ ଜାରି କରାଯାଇଛି। ଚାଷ ଓ ଚାଲାଣକୁ ବନ୍ଦ କରିବା ପାଇଁ ସ୍ବତନ୍ତ୍ର ଯୋଜନା ହେଉଛି। ପଡ଼ୋଶୀ ରାଜ୍ୟ ସହ ସମନ୍ବୟ ଓ ତୃଣମୂଳସ୍ତରରୁ ଗୁଇନ୍ଦା ତଥ୍ୟ ସଂଗ୍ରହ ପାଇଁ ସମସ୍ତ ପ୍ରଭାବିତ ଜିଲ୍ଲା ଏସ୍‌ପି ଓ ରେଞ୍ଜ ଡିଆଇଜିମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଅବକାରୀ ଆୟୁକ୍ତ ଅଞ୍ଜନ କୁମାର ମାଣିକ ସୂଚନା ଦେଇ କହିଥିଲେ, ରାଜ୍ୟରେ ତିନୋଟି ଡିଭିଜନ୍‌ ଅଧୀନରେ ଥିବା ଅନୁଗୁଳ, ସମ୍ବଲପୁର, ଦେବଗଡ଼, ମାଲକାନଗିରି, ରାୟଗଡ଼ା କୋରାପୁଟ, ବୌଦ୍ଧ, ଗଜପତି କନ୍ଧମାଳ ପ୍ରଭୃତି ୯ଟି ଜିଲ୍ଲାରେ ବହୁଳ ମାତ୍ରାରେ ଗଂଜେଇ ଚାଷ ହେଉଛି। ବାର୍ଷିକ ହଜାରେ କୋଟି ଟଙ୍କାର ଚାଷ ହେଉଥିବା ସୂଚନା ରହିଛି। ବେଆଇନ ଗଞ୍ଜେଇ ଚାଷକୁ ଅମଳ ପୂର୍ବରୁ ସମୂଳେ ନଷ୍ଟ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି। କିନ୍ତୁ ଶତପ୍ରତିଶତ ନଷ୍ଟ କରାଯାଇପାରୁନାହିଁ।

୨୦୧୫-୧୬ ବର୍ଷରେ ୨୪୫୭ ଏକର ଜମିରେ ହୋଇଥିବା ଗଞ୍ଜେଇ ଚାଷ ନଷ୍ଟ କରାଯାଇଥିବା ବେଳେ ୨୦୧୬-୧୭ରେ ୩୫୯୯ ଏକର, ୨୦୧୭-୧୮ରେ ୪୬୩୨ ଓ ୨୦୧୮-୧୯ରେ ୧୧ ହଜାର ୬୨୭ ଏକର ଚାଷ ନଷ୍ଟ କରାଯାଇଛି। ଏହା ଧାର୍ଯ୍ୟ ଲକ୍ଷ୍ୟଠାରୁ ଅଧିକ। କିନ୍ତୁ ଏହି ବେଆଇନ କାରବାର ପାଇଁ କେତେ ଗିରଫ ହୋଇଛନ୍ତି, ସେ ନେଇ କୌଣସି ସୂଚନା ଦିଆଯାଇ ନାହିଁ। ଚାଲାଣ ବେଳେ କେବଳ କେତେକ ଚାଲାଣକାରୀକୁ ପୁଲିସ ଧରିବାରେ ସକ୍ଷମ ହୋଇଛି। ୨୦୧୫ ମସିହାରେ ୧୯୮କୁଇଣ୍ଟାଲ ଗଞ୍ଜେଇ ଜବତ ହୋଇଥିବା ବେଳେ ୨୦୧୬ ରେ ୪୨୮, ୨୦୧୭ରେ ୩୦୩ ଓ ୨୦୧୮ରେ ୬୭୩ କୁଇଣ୍ଟାଲ ଗଞ୍ଜେଇ ଚାଲାଣ ବେ‌ଳେ ଜବତ ହୋଇଛି। ଚଳିତ ବର୍ଷ ୬୫୦ ମାମଲାରେ ୧୦୩୫ ଗିରଫ ହୋଇଥିବା ବେଳେ ୩୧୫.୮୯ କେଜି ଗଂଜେଇ ଜବତ ହୋଇଛି।

ଡିଜି ଶ୍ରୀ ଶର୍ମାଙ୍କ ଅଧ୍ୟକ୍ଷତାରେ ବୈଠକକୁ ଏସ୍‌ଟିଏଫ ଏସ୍‌ପି ରାହୁଲ ପିଆର୍‌ ପରିଚାଳନା କରିଥିବା ବେଳେ ଡିଆଇଜି ଆଶିଷ ସିଂହ ଉପସ୍ଥିତ ଥିଲେ। ବିଭିନ୍ନ ରେଞ୍ଜ ଡିଆଇଜିଙ୍କ ସମେତ ବରିଷ୍ଠ ଅଧିକାରୀଙ୍କ ସମେତ ପ୍ରଭାବିତ ଜିଲ୍ଲାର ଏସ୍‌ପି, ରାଜସ୍ବ, ବନ, ଅବକାରୀ, ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର