କଟକ: ବେଆଇନ୍ ବନ୍ଧୁକ କାରବାର ମାମଲାରେ ଗ୍ୟାଙ୍ଗଷ୍ଟର ସୁଶାନ୍ତ ଧଳସାମନ୍ତ ଓ ସୁଶୀଲ ଧଳସାମନ୍ତଙ୍କୁ ତିନିଦିନିଆ ରିମାଣ୍ତରେ ନେଇଛି କମିସନରେଟ ପୁଲିସ୍। ଆଜି ଏହି ଦୁଇଭାଇଙ୍କୁ ପ୍ରଥମ ଶ୍ରେଣୀ ଜୁଡ଼ିସିଆଲ ମାଜିଷ୍ଟ୍ରେଟ୍ (ଗ୍ରାମାଞ୍ଚଳ)ଙ୍କ ନିକଟରେ ହାଜର କରାଯାଇଥିଲା। ଗତ ୧୦ ତାରିଖରେ ଧଳସାମନ୍ତଙ୍କ ସିଡିଏସ୍ଥିତ ଘରୁ ୮ବନ୍ଧୁକ ଓ ଗୁଳି ଜବତ ହେବା ସହ ଯେଉଁମାନଙ୍କୁ ବନ୍ଧୁକ ବିକ୍ରି କରାଯାଇଥିଲା, ସେମାନଙ୍କ ପାଖରୁ ଆଉ ୮ ବନ୍ଧୁକ ଜବତ କରାଯାଇଥିଲା। ଏହାପରେ ତଦନ୍ତ କରାଯାଇ ବିଭିନ୍ନ ଥାନା ପକ୍ଷରୁ ଆଉ ୧୨ଟି ବନ୍ଧୁକ ଓ ଅଭିଯୁକ୍ତଙ୍କୁ ଧରାଯାଇଥିଲା। ତେଣୁ ବନ୍ଧୁକ କାରବାରର ଚେର ଅନେକ ଗଭୀରକୁ ଲମ୍ବିଥିବା ପୁଲିସ୍ ଅନୁମାନ କରୁଥିବାରୁ ଧଳସାମନ୍ତ ଭାଇଙ୍କୁ ରିମାଣ୍ତରେ ନେଇ ଅଧିକ ତଥ୍ୟ ସ˚ଗ୍ରହ କରିବାକୁ କମିସନରେଟ ପୁଲିସ୍ କୋର୍ଟରେ ଆବେଦନ କରିଥିଲା। କୋର୍ଟ ଆଜି ତିନିଦିନିଆ ରିମାଣ୍ତ ପାଇଁ ଅନୁମତି ପ୍ରଦାନ କରିଛନ୍ତି।
ଗତ ୧୦ ତାରିଖରେ ଚୌଦ୍ବାର ବିରୂପା ବ୍ରିଜ ନିକଟରେ ବନ୍ଧୁକ କାରବାର ହେଉଥିବା ଖବର ପାଇ ଚୌଦ୍ବାର ଥାନା ଆଇଆଇସି ବିରଞ୍ଚି ନାରାୟଣ ପତିଙ୍କ ନେତୃତ୍ବରେ ପୁଲିସ୍ ଟିମ୍ ସେଠାରେ ଚଢାଉ କରି ଜଣଙ୍କୁ ଧରିଥିଲା। ଘଟଣାସ୍ଥଳରୁ ବାବୁଆକୁ ପୁଲିସ୍ ମାଡ଼ି ବସିଥିଲାବେଳେ ଅନ୍ୟତମ ସହଯୋଗୀ ପିଙ୍କୁ ଓରଫ ସଞ୍ଜୟ ପଣ୍ତା ସେଠାରୁ ଫେରାର୍ ହୋଇଯାଇଥିଲା। ବାବୁଆ ନିକଟରୁ ଦୁଇଟି ୯ଏମ୍ଏମ୍ ପିସ୍ତଲ ସହ ୫ରାଉଣ୍ତ ଗୁଳି ଜବତ କରାଯାଇଥିଲା। ଜେରା ବେଳେ ସେ ବୁଦ୍ଧିଆକୁ ଉକ୍ତ ବନ୍ଧୁକ ବିକ୍ରି କରିବାକୁ ସେଠାକୁ ଆସିଥିବା ସୂଚନା ଦେଇଥିଲା। ତେଣୁ ତାକୁ ଧରିବା ପାଇଁ ପୁଲିସ୍ ନିର୍ଦ୍ଦେଶ ମୁତାବକ ବୁଦ୍ଧିଆକୁ ବ୍ୟାରେଜ ନିକଟକୁ ବାବୁଆ ଡକାଇଥିଲା। ବୁଦ୍ଧିଆ ସେଠାରେ ପହଞ୍ଚିବା ପରେ ପୁଲିସ୍ ତାକୁ ମଧ୍ୟ ମାଡ଼ିବସିଥିଲା। ଉଭୟଙ୍କୁ ଜେରା କରାଯିବା ପରେ, ଗତ ୫ବର୍ଷ ଧରି ସୁଶାନ୍ତ ଓ ସୁଶୀଲ ଧଳସାମନ୍ତଙ୍କ ନିର୍ଦ୍ଦେଶ ଅନୁସାରେ ବାବୁଆ ତାକୁ ବନ୍ଧୁକ ଯୋଗାଇ ଆସୁଥିବା ବୁଦ୍ଧିଆ ପୁଲିସ୍ ଆଗରେ ମାନିଯାଇଥିଲା।
ବାବୁଆ ବନ୍ଧୁକଗୁଡ଼ିକୁ ବାହାରୁ ଆଣି ଅନ୍ୟ ଅଭିଯୁକ୍ତମାନଙ୍କୁ ବିକ୍ରି କରିଥିବା ମଧ୍ୟ ପୁଲିସ୍ ଆଗରେ ମାନିଯାଇଥିଲା। ତେଣୁ ପୁଲିସ୍ ପକ୍ଷରୁ ଏକ ଦଳ ଗଠନ କରାଯାଇ ସମୀର, ଶିବ, ରିଙ୍କୁ, ସାଗର, ପପୁ ଓ ଛଗ ନିକଟରୁ ୬ଟି ଦେଶୀ ବନ୍ଧୁକ ଓ ୩୦ ରାଉଣ୍ତ ଗୁଳି ଜବତ କରବା ସହ ସେମାନଙ୍କୁ ଗିରଫ କରିଥିଲା। ୪ବର୍ଷ ତଳେ ଅର୍ଥାତ୍ ୨୦୧୬ ମସିହା ପୂର୍ବରୁ ଧଳସାମନ୍ତ ଘର କାନ୍ଥରେ ଏକ କାଠ ଫ୍ରେମ୍ ଭିତରେ ବିପୁଳ ବନ୍ଧୁକ ଓ ଗୁଳି ଲୁଚାଇ ରଖିଥିବା ବୁଦ୍ଧିଆ ପୁଲିସ୍କୁ ଜଣାଇଥିଲା। ଏହାକୁ ଆଧାରକରି ଡିସିପିଙ୍କ ନିର୍ଦ୍ଦେଶକ୍ରମେ ପୁଲିସ୍ର ଆଉଏକ ସ୍ବତନ୍ତ୍ର ଦଳ ଗଠନ କରାଯାଇ ସେକ୍ଟର ୬ସ୍ଥିତ ଧଳସାମନ୍ତଙ୍କ ଘରେ ଚଢାଉ କରାଯାଇଥିଲା। କାଠଫ୍ରେମ୍କୁ ଭାଙ୍ଗିବା ପରେ ଭିତରୁ ୮ଟି ବନ୍ଧୁକ, ୧୬ ମାଗାଜିନ୍, ୧୦୫୫ ରାଉଣ୍ତ ଗୁଳିକୁ ସେଠାରୁ ଜବତ କରାଯାଇଥିଲା। ଏଥିସହିତ ଘରୁ ୧୧ଟି ମୋବାଇଲ୍ ଫୋନ୍କୁ ମଧ୍ୟ ପୁଲିସ୍ ଜବତ କରିଛି। ଅଧିକ ପଚରାଉଚରା ବେଳେ ବୁଦ୍ଧିଆ, ଧଳସାମନ୍ତ ଭାଇଙ୍କ ନିର୍ଦ୍ଦେଶକ୍ରମେ ଅନେକ ଅପରାଧିଙ୍କ ନିକଟକୁ ବନ୍ଧୁକ ଚାଲାଣ କରିଥିବା ସେ ସ୍ବୀକାର କରିଥିଲା। ଏହାପରେ ଅଧିକ ତଦନ୍ତ କରାଯାଇ ବିଭିନ୍ନ ଥାନା ପକ୍ଷରୁ ବନ୍ଧୁକ ସହ ୧୨ ଜଣଙ୍କୁ ପୁଲିସ୍ ଗିରଫ କରିଥିଲା। ଏବେ ଧଳସାମନ୍ତ ଭାଇଙ୍କୁ ରିମାଣ୍ତରେ ନିଆଯାଇଥିବାରୁ ବନ୍ଧୁକ କାରବାରର ଅନେକ ଭିତିରି କଥା ପଦାକୁ ଆସିବ ବୋଲି କମିସନରେଟ ପୁଲିସ୍ ପକ୍ଷରୁ ଆଶା କରାଯାଇଛି।