ରାଉରକେଲା : ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଖୁଣ୍ଟି ଜିଲ୍ଲା କୁଙ୍କସି ଜଙ୍ଗଲ ନିକଟ ପାହାଡର ମାଟିତଳେ ପିପୁଲ୍ସ ଲିବେରସନ୍ ଫ୍ରଣ୍ଟ୍ ଅଫ୍ ଇଣ୍ଡିଆ (ପିଏଲ୍ଏଫ୍ଆଇ) ସଙ୍ଗଠନ ଚଳାଇଥିବା ଏକ ବେଆଇନ ବନ୍ଧୁକ କାରଖାନା ଠାବ ହୋଇଛି। ଦୁଇଟି ବଙ୍କର ଭିତରେ ବେଆଇନ ବନ୍ଧୁକ କାରଖାନା ଚାଲିଥିଲା। ସେଠାରୁ ପୁଲିସ ଓ ଯବାନମାନେ ବନ୍ଧୁକ ତିଆରି ଲେଦ୍ ମେସିନ୍, ଜେନେରେଟର୍, ବିଦ୍ୟୁତ ତାର, ଦୁଇଟି ଲୁହା କଟା ମେସିନ୍ ଏବଂ ଅର୍ଦ୍ଧ ନିର୍ମିତ ବନ୍ଧୁକ ଆଦି ଜବତ କରିଛନ୍ତି। ପିଏଲ୍ଏଫ୍ଆଇ ସୁପ୍ରିମୋ ଦିନେଶ ଗୋପ ଓ ଜୋନାଲ କମାଣ୍ଡର ଜିତନ ଗୁଡିଆ ପ୍ରାୟ ମାସକ ତଳେ ଏହି କାରଖାନା ସ୍ଥାପନ କରି ବନ୍ଧୁକ ତିଆରି କରୁଥିଲେ ବୋଲି ପୁଲିସ୍ କହିଛନ୍ତି।
ପୁଲିସ୍ ସୂଚନା ଅନୁସାରେ, ଗତ ବୁଧବାର ଦିନ ପିଏଲ୍ଏଫ୍ଆଇ ମୁଖ୍ୟ ଦିନେଶ ଓ ତା’ର ସହଯୋଗୀମାନେ କୁଙ୍କସି ଜଙ୍ଗଲ ନିକଟସ୍ଥ ପାହାଡ ଉପରେ ବେଆଇନ ବନ୍ଧୁକ କାରଖାନା ଚଳାଇଥିବାର ଗୁପ୍ତ ସୂଚନା ମିଳିଥିଲା। ସେଠାରୁ ବନ୍ଧୁକ ତିଆରି କରି ପିଏଲ୍ଏଫ୍ଆଇ ସଙ୍ଗଠନ ପାଇଁ କାମ କରୁଥିବା ଜୋନାଲ କମାଣ୍ଡର ଗଜ୍ଜୁ ଗୋପ, ଏରିଆ କମାଣ୍ଡର ଅଜୟ ପୁର୍ତ୍ତି, ଦିତ ନାଗ ଓ ବଗରାୟ ଚାମ୍ପିଆ ପ୍ରମୁଖଙ୍କ ନିକଟକୁ ପଠାଯାଉଥିଲା। ସେମାନେ ବନ୍ଧୁକଗୁଡ଼ିକୁ ପିଏଲ୍ଏଫ୍ଆଇ ସଦସ୍ୟମାନଙ୍କ ଭିତରେ ବାଣ୍ଟୁଥିଲେ। ଏ ସଂପର୍କରେ ସୂଚନା ମିଳିବା ପରେ ଚଢ଼ାଉ କରାଯାଇ କାରଖାନା ଠାବ କରାଯାଇଛି।