ସୁକିନ୍ଦାଗଡ଼ ଶ୍ରୀଜଗନ୍ନାଥଙ୍କ ଜମିରେ ବେଆଇନ ଘର ନିର୍ମାଣ, ରାତିଅଧରେ ପଡ଼ିଲା ଛାତ

ସୁକିନ୍ଦା : ସୁକିନ୍ଦାଗଡ଼ ଶ୍ରୀଜଗନ୍ନାଥଙ୍କ ଜମିରେ ବେଆଇନ ଘର ନିର୍ମାଣକୁ ବନ୍ଦ କରିଥିଲେ ତହସିଲଦାର। ଅଥଚ ରାତିଅଧରେ ଛାତ ପକାଇ ଦେଇଛନ୍ତି ସଂପୃକ୍ତ ବ୍ୟକ୍ତି। ଶ୍ରୀଜଗନ୍ନାଥଙ୍କ ନାମରେ ବନ୍ଧଗାଁ ରାଜସ୍ବ ମଣ୍ଡଳର ବୋତଲଣ୍ଡା ଗ୍ରାମର ଖାତା ସଂଖ୍ୟା ୫୮୯/୩୧ର ୫୯୫ରେ ଏହି ଗ୍ରାମର ସୁନାକର ସାହୁ ଜବରଦଖଲ କରି ଘର ନିର୍ମାଣ କରୁଛନ୍ତି। ଅଭିଯୋଗ ପରେ ସୁକିନ୍ଦା ତହସିଲଦାର ଗତ ମାସ ୨୩ ତାରିଖ ଦିନ ଘଟଣାସ୍ଥଳରେ ପହଞ୍ଚି ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ମୌଖିକ ନିର୍ଦେଶ ଦେଇଥିଲେ। ଏହାରି ଭିତରେ ଦଶଦିନ ବିତିଯାଇଛି। ଜବରଦଖଲକାରୀ ଗତକାଲି ବିଳମ୍ବିତ ରାତିରେ ଏହି ବେଆଇନ ଘର  ଛାତ ପକାଇ ପ୍ରଶାସନର ପାରିବାପଣିଆକୁ ଆହ୍ଵାନ ଜଣାଇଛନ୍ତି। ଏହି ବିଷୟରେ ବିଭାଗୀୟ ଅଧିକାରୀଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ପ୍ରତିକ୍ରିୟା ମିଳିପାରିନାହିଁ।

ତହସିଲଦାର ସେଦିନ ଘଟଣାସ୍ଥଳକୁ ଯାଇଥିଲେ ମଧ୍ୟ ଜବରଦଖଲ ଉଚ୍ଛେଦ କରିବା ପରିବର୍ତ୍ତେ କେବଳ ତାଗିଦ କରି ଚାଲିଗଲେ କାହିଁକି​ ବୋଲି ମଠମନ୍ଦିର ସୁରକ୍ଷା ସଂଗଠନ ପ୍ରଶ୍ନ ଉଠାଇଛି। କାର୍ଯ୍ୟାନୁଷ୍ଠାନ ନହେବାରୁ ଛାତ ପକାଇବାର ସାହସ କଲେ ଏବଂ ରାତିଅଧରେ ଛାତପକାଇବାକୁ ସୁଚିନ୍ତିତ ଯୋଜନା କରାଯାଇଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ଦେବୋତ୍ତର ବିଭାଗର ଦାୟିତ୍ବରେ ଥିବା ସୁକିନ୍ଦା ତହସିଲଦାରଙ୍କ କାର୍ଯ୍ୟଶୈଳୀକୁ ନେଇ ଏବେ ପ୍ରଶ୍ନ ଉଠିଛି।

ସମ୍ବନ୍ଧିତ ଖବର