ବୁଗୁଡ଼ା : କରୋନା ସଂକ୍ରମଣକୁ ରୋକିବା ଲାଗି ଲକ୍ଡାଉନ୍ ଜାରି ରହିଥିବା ବେଳେ ଏହାର ଅବଧିକୁ ରାଜ୍ୟ ସରକାର ପୁଣି ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ବଢ଼ାଇଛନ୍ତି। ହେଲେ ଏହି ଲକ୍ଡାଉନ୍ ବର୍ତ୍ତମାନ ଗ୍ରାମାଞ୍ଚଳର ବନ୍ୟଜନ୍ତୁ ଶିକାରୀଙ୍କ ପାଇଁ ଅନୁକୂଳ ସମୟ ପାଲଟିଛି। ଏହି ଚିତ୍ର ଦେଖିବାକୁ ମିଳିଛି, ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ୍ରେ।
ପ୍ରତି ଗ୍ରାମାଞ୍ଚଳରେ ରହୁଥିବା ବିଭିନ୍ନ ବର୍ଗର ଲୋକେ ବର୍ତ୍ତମାନ ପାର୍ଶ୍ବବର୍ତ୍ତୀ ଜଙ୍ଗଲରେ ବନ୍ୟଜନ୍ତୁ ଶିକାରରେ ମାତି ଯାଇଛନ୍ତି। ଫଳରେ ପ୍ରତିଦିନ ବାର୍ହା, ଜିଆଦ ଓ କୁଟୁରା ସମେତ ବିଭିନ୍ନ ବନ୍ୟଜନ୍ତୁଙ୍କ ଅବାଧ ଶିକାର ବଢ଼ିବାରେ ଲାଗିଛି। ଆଉ ଏହାର ମାଂସ ଗ୍ରାମାଞ୍ଚଳର ପ୍ରତି ସାହି ଗଳିରେ ମିଳୁଛି। ଶିକାରୀମାନେ ମାଂସ ଭାଗ କରି ବିକୁଛନ୍ତି। ଏଭଳି ପରିସ୍ଥିତିରେ ବନବିଭାଗ ନିରୁପାୟ ପାଲଟିଯାଇଛି। ବନ୍ୟଜନ୍ତୁ ମାଂସରେ ବ୍ୟଞ୍ଜନ ପ୍ରସ୍ତୁତ ହୋଇ ଲୋକେ ପ୍ରଚୁର ମଦ ପିଉଥିବା ତଥ୍ୟ ମଧ୍ୟ ସାମ୍ନାକୁ ଆସିଛି। ଖାଲି ଏତିକି ନୁହେଁ, ମଦ ମାଫିଆମାନେ ବେଶ୍ ସକ୍ରିୟ ହୋଇଯାଇଥିବା ସହ ଗାଁରେ ଜୁଆ ଆଡ଼ା ମଧ୍ୟ ବଢ଼ିବାରେ ଲାଗିଛି। ଅଧିକାଂଶ ଲୋକ ଗରିବ ହୋଇଥିଲେ ହେଁ, ବର୍ତ୍ତମାନ ସରକାରଙ୍କ ତରଫରୁ ୪ ମାସର ଅଗ୍ରୀମ ଭତ୍ତା ମିଳି ସାରିଥିବାରୁ ଏହାର ସୁଯୋଗ ନେଇ ମଦ ମାଫିଆ ଗାଁ ଗାଁ ବୁଲି ଚୋରା ମଦ ବିକୁଛନ୍ତି। ଆଉ ଶିକାରୀ ରାତି ଉଜାଗର ରହି ବନ୍ୟଜନ୍ତୁ ଶିକାରରେ ମାତିଛନ୍ତି।
ଗତ ୨ ଦିନ ତଳେ କୁବରେଶ୍ବର ମନ୍ଦିର ନିକଟ ଏକ କେନାଲରେ ଏକ ଜିଆଦର ଶବ ପଡ଼ିଥିବା ଖବର ପାଇ ବନବିଭାଗ କର୍ମଚାରୀ ଏହାକୁ ଜବତ କରିଥିଲେ। ଶିକାରୀ ଗୁଳିରେ ଆହତ ହୋଇ ଜିଆଦଟିର ମୃତ୍ୟୁ ହୋଇଥିଲେ ମଧ୍ୟ ବନବିଭାଗ ଏହାକୁ ଖଣ୍ଡନ କରିଥିଲା। ଫଳରେ ବନବିଭାଗ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦିଗରେ ପଦକ୍ଷେପ ନେବାକୁ ଦାବି ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/02/pigs.jpg)
