ଭୁବନେଶ୍ବର : ବେଆଇନ କିଡ୍‌ନି ପ୍ରତିରୋପଣ ମାମଲାରେ ଅଭିଯୋଗକାରୀଙ୍କୁ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଜାତୀୟ ମାନବିକ ଅଧିକାର କମିସନ (ଏନ୍ଏଚ୍ଆର୍‌ସି) ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ବେଆଇନ ଭାବେ କିଡ୍‌ନି ପ୍ରତିରୋପଣ କରିଥିବା ଆପୋଲୋ ହସ୍ପିଟାଲ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟ ଶାସନ ସଚିବଙ୍କୁ ଏନ୍ଏଚ୍ଆର୍‌ସି ନିର୍ଦ୍ଦେଶ ଦେଇଛନ୍ତି।

Advertisment

ସୂଚନାରୁ ଜଣାପଡ଼ିଛି, ବରଗଡ଼ ସହରର ଅନୀଲ କୁମାର ସ୍ବାମୀ ନାମକ ଜଣେ ବ୍ୟକ୍ତି ୨୦୧୬ ମସିହାରେ ବେଆଇନ ଭାବେ ତାଙ୍କ କିଡ୍‌ନି କାଢ଼ି ନିଆଯାଇଥିବା ନେଇ ମାମଲା ଦାୟର କରିଥିଲେ। ଅଭିଯୋଗ ମୁତାବକ, ବରଗଡ଼ର ରାଘବ ରାମ ଦୋରା ନାମକ ଆଉ ଜଣେ ବ୍ୟକ୍ତି ଶ୍ରୀ ସ୍ବାମୀଙ୍କୁ ଫୁସୁଲାଇ ଭୁବନେଶ୍ବର ଆଣି ଆପୋଲ ହସ୍ପିଟାଲରେ କିଡ୍‌ନି ପ୍ରତିରୋପଣ କରିଥିଲେ। କିଡ୍‌ନି ଗ୍ରହଣ କରିଥିବା ବ୍ୟକ୍ତି ରାଘବ ରାମ ଦୋରା ଶ୍ରୀ ସ୍ବାମୀଙ୍କୁ ନିଜର ସାନଭାଇ ଦର୍ଶାଇ ଚଞ୍ଚକତାପୂର୍ଣ୍ଣ ଭାବେ ଅନୁମତି ପାଇଥିଲେ। ଏପରି ବେଆଇନ କାର୍ଯ୍ୟ ପାଇଁ ଆପୋଲୋ ହସ୍ପିଟାଲ କର୍ତ୍ତୃପକ୍ଷ ଓ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଡିଏମଇଟିଙ୍କୁ କମିସନ ଦାୟୀ କରିଛନ୍ତି।

ମାମଲାଟିର ବିଚାର କରି କମିସନ ଅଭିଯୋଗକାରୀ ଶ୍ରୀ ସ୍ବାମୀଙ୍କୁ ଆସନ୍ତା ୬ ସପ୍ତାହ ଭିତରେ କ୍ଷତିପୂରଣ ଅର୍ଥ ପ୍ରଦାନ କରିବା ସହ ଆପୋଲୋ ହସ୍ପିଟାଲ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।