ହାଟଡିହି: ବେଆଇନ ମୋରମ ଖାଦାନ ଯୋଗୁଁ ଆଜି ୩ଜଣ ନିରୀହ ଶିଶୁକନ୍ୟାଙ୍କ ଜୀବନ ଯାଇଛି। ଖାଦାନରେ ଜମିଥିବା ପାଣିରେ ବୁଡ଼ି ସେମାନଙ୍କ ମୃତ୍ୟୁ ଘଟିଛି। ଏଭଳି ଦୁଃଖଦ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍, ସୋସୋ ଥାନା ଅନ୍ତର୍ଗତ ଆତୁରିକୋଣା ଗ୍ରାମରେ। ମୃତକମାନେ ହେଲେ ଗ୍ରାମର ଗୌରାଙ୍ଗ ପାତ୍ରଙ୍କ ଝିଅ ପାୟଲ (୪), କୋଦଣ୍ଡ ପାତ୍ରଙ୍କ ଝିଅ ଲିପ୍ସା (୪), ଦୀନବନ୍ଧୁ ପାତ୍ରଙ୍କ ଝିଅ ଭାରତୀ (୫)। ଏହି ଘଟଣା ପରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଆମ କଳିକା କେନ୍ଦ୍ର ଭରସାରେ ଛାଡ଼ି ଘରକୁ ଯାଇଥିବା ଶ୍ରମିକ ବାପା-ମା’ ନିଜ ପିଲାଙ୍କ ମୃତ୍ୟୁକୁ ନେଇ ଭାଙ୍ଗି ପଡ଼ିଛନ୍ତି। ମୋରମ ମାଫିଆଙ୍କ ଏଭଳି ବେଆଇନ ଖନନ ଯୋଗୁଁ ଅନେକ ସମୟରେ ଏଭଳି ଜୀବନହାନି ଘଟୁଛି। ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ। ଆଜିର ଘଟଣା ପରେ କେନ୍ଦୁଝର ଜିଲ୍ଲାପାଳ ଏହାର ତଦନ୍ତ ନିର୍ଦେଶ ଦେଇଛନ୍ତି। ସେପଟେ ଶିଶୁଙ୍କ ମୃତ୍ୟୁ ପରେ ଆମ କଳିକା କେନ୍ଦ୍ର ଦୋଷ ଝାଡ଼ି ଦେଇଛି। ମୃତ ଶିଶୁମାନେ କେନ୍ଦ୍ରର ନୁହନ୍ତି ବୋଲି ସଫେଇ ଦେଇଛନ୍ତି।
ତଥ୍ୟ ମୁତାବକ, ମୃତକ ପାୟଲ, ଲିପ୍ସା, ଭାରତୀଙ୍କୁ ସେମାନଙ୍କ ଅଭିଭାବକମାନେ ଡାହିସାହିରେ ଥିବା ଆମ କଳିକା କେନ୍ଦ୍ରରେ ଛାଡ଼ି ଘରକୁ ଯାଇଥିଲେ। ଆମ କଳିକା କେନ୍ଦ୍ରରୁ ସମ୍ପୃକ୍ତ ଶିଶୁମାନେ ଶୌଚ ହେବାକୁ ଯାଇ ନିକଟସ୍ଥ ମୋରମ ଖାଦାନରେ ଜମିଥିବା ପାଣିରେ ବୁଡ଼ି ଯାଇଥିଲେ। ଘଣ୍ଟାଏ ପରେ ଅଭିଭାବକମାନେ ସେମାନଙ୍କ କାମ ସାରି ଆମ କଳିକା କେନ୍ଦ୍ରକୁ ଆସିଥିଲେ। ସେଠାରେ ସେମାନଙ୍କ ଶିଶୁଙ୍କୁ ନପାଇ ଖୋଜାଖୋଜି କରିଥିଲେ। ଆମ କଳିକା କେନ୍ଦ୍ରଠାରୁ ମାତ୍ର ୫୦ ମିଟର ଦୂରରେ ଥିବା ଖାଦାନ ପାଣିରେ ତିନି ଶିଶୁକନ୍ୟାଙ୍କ ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା। ପରିବାର ଲୋକେ ମୃତଦେହ ଗୁଡ଼ିକୁ ଉଦ୍ଧାର କରି ତୁରନ୍ତ ଭଦ୍ରକ ଜିଲ୍ଲା ଆଗରପଡ଼ା ଡାକ୍ତରଖାନା ନେଇଥିଲେ। ପରିବାର ଲୋକଙ୍କ କାନ୍ଦବୋବାଳି ଯୋଗୁଁ ଡାକ୍ତରଖାନା ପରିସରରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ଖବର ପାଇ ସୋସୋ ଥାନା ପୁଲିସ ଡାକ୍ତରଖାନରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଛି। ଏହି ଘଟଣା ପରେ ପ୍ରଶାସନ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ ଅତିରିକ୍ତ ଜିଲ୍ଲାପାଳ ଲଳିତ କୁମାର ସୋରେଙ୍ଗ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସ୍ମିତା ନାୟକ, ବ୍ଲକ୍ ମହିଳା ଓ ଶିଶୁ ବିକାଶ ଅଧିକାରୀ ଉମାରାଣୀ ମହାପାତ୍ର, ତହସିଲଦାର ହାବିଲ ଖଖା ପ୍ରମୁଖ ପହଞ୍ଚି ଘଟଣାର ତଦନ୍ତ କରିଛନ୍ତି। ଆମ କଳିକା କେନ୍ଦ୍ରର ଦାୟିତ୍ବରେ ଥିବା କର୍ମଚାରୀଙ୍କ ଦାୟିତ୍ୱହୀନତା ଯୋଗୁଁ ଏଭଳି ଘଟଣା ଘଟିଲା ବୋଲି ମୃତ ଶିଶୁଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଆମ କଳିକା କେନ୍ଦ୍ରର ତତ୍ତ୍ୱାବଧାରିକା ପ୍ରତିମା ପାତ୍ର କହିଛନ୍ତି, ସମ୍ପୃକ୍ତ ଶିଶୁମାନେ ଆମ କଳିକା କେନ୍ଦ୍ରର ନୁହନ୍ତି। ସେମାନଙ୍କ ବୟସ ୩ ବର୍ଷରୁ ଊର୍ଦ୍ଧ୍ବ ହୋଇଥିବାରୁ ପୋଷଣ ଟ୍ରାକର ମାଧ୍ୟମରେ ସେମାନଙ୍କ ନାମ ଆମ କଳିକା କେନ୍ଦ୍ରରୁ କଟିଯାଇଥିବା ସେ କହିଛନ୍ତି। ଅନ୍ୟପକ୍ଷରେ ମୃତ ଶିଶୁମାନଙ୍କ ନାମ ଏବେ ବି ଆମ କଳିକା କେନ୍ଦ୍ରର ଉପସ୍ଥାନ ଖାତାରେ ଗଡ଼ୁଥିବା ଜଣାପଡ଼ିଛି। ଏନେଇ ଆତୁରିକୋଣା ଅଙ୍ଗନବାଡ଼ି କର୍ମୀ ନନ୍ଦିନୀ ନାୟକଙ୍କୁ ପଚାରିବାରୁ, ଶିଶୁମାନଙ୍କ ନାମ ଆତୁରିକୋଣା ଅଙ୍ଗନବାଡ଼ି କେନ୍ଦ୍ରରେ ଥିଲେ ମଧ୍ୟ ସେମାନେ କେବେ ବି କେନ୍ଦ୍ରକୁ ଆସନ୍ତି ନାହିଁ ବୋଲି କହିଛନ୍ତି।
ଅନ୍ୟପକ୍ଷରେ ଏହି ବେଆଇନ ମୋରମ ଖାଦାନରେ ପ୍ରତିବର୍ଷ ବର୍ଷାଦିନେ ଗୃହପାଳିତ ପଶୁମାନେ ପଡ଼ି ପ୍ରାଣ ହରାଉଛନ୍ତି। ଖାଦାନ ଚାରିପଟେ ସୁରକ୍ଷାବାଡ଼ ନିର୍ମାଣ କରାଯାଉ ନଥିବାରୁ ଏଭଳି ଘଟଣା ଘଟୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏହାର ତଦନ୍ତ କରି ଉପଯୁକ୍ତ ପଦକ୍ଷେପ ନେବାକୁ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ସୋମନାଥ ଦାସ ଦାବି କରିଛନ୍ତି। ସେହିପରି ବ୍ଲକ୍ ଅଧ୍ୟକ୍ଷା ସାବିତ୍ରୀ ସେଠୀ ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ ପାଇଁ ଦାବି କରିଛନ୍ତି। ଏନେଇ ଅତିରିକ୍ତ ଜିଲ୍ଲାପାଳ ଲଳିତ ସୋରେଙ୍ଗଙ୍କୁ ପଚାରିବାରୁ, ମୃତ ଶିଶୁଙ୍କ ପରିବାରକୁ ସରକାରୀ ନିୟମ ଅନୁଯାୟୀ ଅନୁକମ୍ପା ରାଶି ପ୍ରଦାନ କରାଯିବ। ବେଆଇନ ମୋରମ ଖାଦାନ ସମ୍ପର୍କରେ ଉପଜିଲ୍ଲାପାଳ ତଦନ୍ତ କରିବେ ବୋଲି ସେ କହିଛନ୍ତି।