ରଣପୁର : ରାଜ୍ୟର ବିଭିନ୍ନ ଜିଲ୍ଲାରେ ମାଙ୍କଡ଼ା ପଥର ଖଣିରୁ ବେଆଇନ ଭାବେ ପଥର ଖନନ କାର୍ଯ୍ୟ ଚାଲୁଛି ଏବଂ ସରକାରୀ କର୍ମଚାରୀ ଏପରିକି ଅତୀତରେ ରାଜସ୍ବ ଅଧିକାରୀମାନଙ୍କୁ ଅଟକ ଏବଂ ଆକ୍ରମଣ ଭଳି ଘଟଣା ଦେଖିବାକୁ ମିଳିଛି। ଫଳରେ ରାଜ୍ୟ ସରକାରଙ୍କ ପ୍ରତିବର୍ଷ କୋଟିକୋଟି ଟଙ୍କା ରାଜସ୍ବ ହାନୀ ଘଟୁଛି। ତେବେ ରଣପୁର ତହସିଲ ଅଞ୍ଚଳରେ ବେଆଇନ ମାଙ୍କଡ଼ା ପଥର ଖଣି ଖନନ ବେଧଡ଼କ ଭାବେ ଚାଲୁଥିବା ବେଳେ ଅନେକ ସମୟରେ ରାଜସ୍ବ କର୍ମଚାରୀମାନେ ମାଫିଆଙ୍କ ଆକ୍ରୋଶର ଶିକାର ହେଉଛନ୍ତି। ଅପରପକ୍ଷେ ଗୋଟିଏ ଜାଗାରେ ଥରେ ରାଜସ୍ବ କର୍ମଚାରୀଙ୍କୁ ଆକ୍ରମଣ ପରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନିଆଯାଉ ନଥିବାରୁ ମାଙ୍କଡ଼ା ପଖର ଖଣି ମାଫିଆଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢ଼ିଚାଲିଛି। ଏହାର ନିଛକ ଉଦାହରଣ ହେଉଛି, ରଣପୁର ବ୍ଲକ୍ ଅର୍ନ୍ତଗତ ପଟିଆ ଗ୍ରାମ ପଞ୍ଚାୟତ ଅଧୀନ କୁଶୁପଲ୍ଲା ଓ ରାଜ-ଜଙ୍କିଆ ଅଞ୍ଚଳରେ ବେଆଇନ ଭାବେ ବେଧଡ଼କ ମାଙ୍କଡ଼ା ପଥର ଖଣି ଚାଲୁଛି।
ଏଠାରୁ ପ୍ରତ୍ୟହ ସହସ୍ର ସଂଖ୍ୟାରେ ମାଙ୍କଡ଼ା ପଥର ଚୋରା ଚାଲାଣ ଚାଲିଥିବା ବେଳେ ପ୍ରଶାସନ ନିରବଦ୍ରଷ୍ଟା ସାଜିଥିବା ପରିଲକ୍ଷିତ ହେଉଛି। ଅପର ପକ୍ଷେ, ରାଜସ୍ବ କର୍ମଚାରୀମାନଙ୍କୁ ଆତଙ୍କିତ କରି ଖଣି ମାଫିଆମାନେ ପ୍ରତ୍ୟହ ମାଙ୍କଡ଼ା ପଥର ଚୋରା ଚାଳାଣ କରୁଥିବା ଜଣାଯାଉଛି। ଏହି ରାସ୍ତାରେ ମାଙ୍କଡ଼ା ପଥର ଚାଲାଣ କରୁଥିବା ଟ୍ରକ୍ଗୁଡ଼ିକ ବିଭିନ୍ନ ଥାନା ଫାଣ୍ତିକୁ ହାତବାରିସି କରି ରଖିଥିବା ମଧ୍ୟ ଅଭିଯୋଗ ହେଉଛି। ଏପରିକି ମାଙ୍କଡ଼ା ପଥର ଚାଲାଣ କରୁଥିବା ଗାଡ଼ିଗୁଡ଼ିକ ଦ୍ରୁତ ଗତିରେ ନେବା ଆଣିବା ଯୋଗୁ ପ୍ରତ୍ୟହ ଛୋଟବଡ଼ ଦୁର୍ଘଟଣା ମଧ୍ୟ ବଢ଼ିବାରେ ଲାଗିଛି। ତେବେ ରଣପୁର ପଟିଆ ପଞ୍ଚାୟତ କୁଶୁପଲ୍ଲା ମୌଜାରେ କିଛି ସରକାରୀ ଜମି ଏବଂ ବେସରକାରୀ ଜମିରୁ ବେଧଡ଼କ ଭାବେ ମାଙ୍କଡ଼ା ପଥର ଖନନ କରି ଚାଲିଛନ୍ତି ମାଫିଆମାନେ। ଏହି ମାଫିଆମାନେ ଖୋର୍ଦ୍ଧା ଜିଲ୍ଲା ନାଚୁଣି ଏବଂ ଦୀକ୍ଷିତପଡ଼ା ଅଞ୍ଚଳର ବୋଲି ଜଣାପଡ଼ିଛି। ସେମାନେ ଦୁର୍ଦ୍ଦାନ୍ତ ଶ୍ରେଣୀର ହୋଇଥିବା ଯୋଗୁ ରାସ୍ତା ଘାଟ ଖରାପ ହେଉଥିଲେ ମଧ୍ୟ ଗ୍ରାମାଞ୍ଚଳର ଲୋକମାନେ ସେମାନଙ୍କୁ କଥା କହିବାକୁ ସାହସ କରୁନାହାନ୍ତି।
ସେହିପରି ମୟୂରଝାଲିଆ, ରାଜଜଙ୍କିଆ, ଚମ୍ପାଗଡ଼, କେରେଣ୍ତାଟାଙ୍ଗୀ, ଏକତାଳ, ପଟିଆ, ରାଇପଡ଼ା ଆଦି ଅଞ୍ଚଳରେ ବେଆଇନ ମାଙ୍କଡ଼ା ପଥର ଖଣି ଚାଲୁଥିବା ବେଳେ ପ୍ରଶାସନ ଏ ଦିଗରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବା ପରିବର୍ତ୍ତେ ମାଙ୍କଡ଼ା ପଥର ମାଫିଆଙ୍କୁ ସହ ଯୋଗ କରୁଥିବା ଅଭିଯୋଗ ହେଉଛି। ତେଣୁ ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।