ଚୋରା ବ୍ୟବସାୟୀଙ୍କୁ ଲଗାମ୍ ଦେଉନି ପୁଲିସ୍‌ : ଓଡ଼ଗାଁ ଥାନା ବାହାଡ଼ାଝୋଲା ଫାଣ୍ତି ଅଂଚଳରେ ଖୋଲାମେଲାରେ ଚାଲିଛି ମଦ କାରବାର

ନୂଆଗାଁ : ଖୋଲାମେଲାରେ ଚାଲିଛି ମଦ କାରବାର। ରାତି ପାହିବା ପରଠୁ ପୁଣି ମଧ୍ୟ ରାତ୍ରୀ ପର୍ଯ୍ୟନ୍ତ ମଦରେ ମସ୍‌ଗୁଲ୍। ନିଶାଡ଼ିମାନେ ଗଳିକନ୍ଦି ଏବଂ ହୋଟେଲରେ ଖଟି ଜମାଇ ମଦ ପିଉଛନ୍ତି। ଏମିତି ପ୍ରତିଦିନ ଚାଲିଥିଲେ ମଧ୍ୟ ଚୋରା ବ୍ୟବସାୟୀଙ୍କୁ ଲଗାମ୍ ଦେଉନି ପୁଲିସ୍‌। ନୂଆଗାଁ ବ୍ଲକ୍ ଓଡ଼ଗାଁ ଥାନା ବାହାଡ଼ାଝୋଲା ଫାଣ୍ତି ଅଂଚଳରେ ମଦ କାରବାର ବହୁଳ ମାତ୍ରାରେ ବୃଦ୍ଧି ପାଇଛି। ବାହାଡ଼ାଝୋଲା ହେଉଛି ରାଜ୍ୟ ଏବଂ ଜିଲ୍ଲାର ବ୍ୟବସାୟର ପ୍ରମୁଖ ପେଣ୍ଠସ୍ଥଳୀ। ଦୂରଦୂରାନ୍ତରୁ ଆସୁଥିବା ଲୋକମାନେ ଏଠାରେ ଶୋଷଣର ଶିକାର ହୁଅନ୍ତି। ବାହାଡ଼ାଝୋଲାରେ ପ୍ରତ୍ୟେକ ଗୁରୁବାର ଗୋରୁହାଟ ବସିଥାଏ। ତା’ ପୂର୍ବରୁ ବ୍ୟବସାୟୀ ଏବଂ ଆଖାପାଖ ଗାଁର ଲୋକମାନେ ଏଠାକୁ ଆସି ଗୋରୁ ଏକତ୍ର କରିଥାନ୍ତି। ଗାଁ ଗହଳିର ଲୋକମାନେ ବିଭିନ୍ନ ପନିପରିବା ଏବଂ ଘରକରଣା ସାମଗ୍ରୀ ଆଣି ହାଟରେ ବିକ୍ରି କରିଥାନ୍ତି। ଏହି ଜନଗହଳିକୁ ଲକ୍ଷ୍ୟ କରି ଚୋରା ମଦ ବ୍ୟବସାୟୀମାନେ ଏହାର ବେଶ୍ ଫାଇଦା ଉଠାନ୍ତି। କିଏ ହୋଟଲରେ ରଖି ବ୍ୟବସାୟ ଆରମ୍ଭ କରୁଛି ତ ଆଉ କିଏ ପାନଗୁଟ୍‌ଖା ଦୋକାନରେ ରଖିଲାଣି।

www.jagran.com

କେବଳ ସେତିକି ନୁହେଁ ଆଦିବାସୀ ଗାଁରୁ ବିପୁଳ ପରିମାଣରେ ଦେଶୀ ମଦ ଆସି ବଜାରରେ ବିକ୍ରି ହେଉଛି। ଆଦିବାସୀମାନେ ମଦ ରାନ୍ଧି ରଖିବା ପରେ ଚୋରା ବ୍ୟବସାୟୀମାନେ ପହଞ୍ଚି ସେଠାରୁ ଦେଶୀ ମଦ ଆଣି ଚଢ଼ା ଦରରେ ବିକ୍ରି କରୁଛନ୍ତି। ହାଟରେ ବୁଲୁଥିବା ଦଲାଲମାନେ ମଧ୍ୟ ଏଥିରେ ସାମିଲ୍ ହୋଇଯାଉଛନ୍ତି। ଦୂରଦୂରାନ୍ତରୁ ଆସୁଥିବା ବ୍ୟବସାୟୀଙ୍କୁ ବାଟବଣା କରିବାକୁ ପ୍ରଥମେ ସଂପର୍କ ସୃଷ୍ଟି କରି ସେମାନଙ୍କ ବଳଦକୁ କମ୍ ଦରରେ କିଣିବାକୁ ଚକ୍ରାନ୍ତ କରନ୍ତି। ଏହା ପରେ ହୋଟେଲରେ ବସି ମଦ ପିଆଇ ସେମାନଙ୍କ ବଳଦକୁ କମ୍ ଦରରେ କିଣି ନିଅନ୍ତି। ଏସବୁ ପଛରେ ଏକ ରାକେଟ କାମ କରୁଥିବା ବେଳେ ପୁଲିସ୍‌ ଏହାର ସୁରାକ୍ ପାଉନାହିଁ। କିଛିଦିନ ତଳେ ବାହାଡ଼ାଝୋଲାର ଏକ ହୋଟେଲ ଭିତରେ ଚାରିଜଣ ବ୍ୟକ୍ତି ବସି ମଦ୍ୟପାନ କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ଏତିକି ନୁହଁ ଦିନ ଦ୍ବିପହରରେ ପୁରୁଷ ଓ ମହିଳାମାନେ ହାଟର ଚତୁଃପାର୍ଶ୍ବରେ ବସି ଚୋରା ମଦ ବ୍ୟବସାୟ ଆରମ୍ଭ କରନ୍ତି।

ବାହାଡ଼ାଝୋଲା ଅଂଚଳରେ ବିପୁଳ ମାତ୍ରାରେ ଚୋରା ମଦ କାରବାର ଚାଲୁଥିଲେ ମଧ୍ୟ ପୁଲିସ୍‌ ଏବଂ ଅବକାରୀ ବିଭାଗ ଜାଣି ଶୁଣି ଚୁପ୍ ବସିଥିବା ଆଲୋଚନା ହେଉଛି। ନିଶାଡ଼ିଙ୍କ ଭୟରେ କଲେଜ ଯାଉଥିବା ଛାତ୍ରଛାତ୍ରୀମାନେ ଭୟଭୀତ ହେବା ସହିତ ସନ୍ଧ୍ୟାରେ ମହିଳାମାନେ ଘରୁ ବାହାରିବାକୁ ଉଚିତ ମନେ କରୁନାହାନ୍ତି। କିଛିଦିନ ତଳେ ଏହି ଅଂଚଳରେ ରାସ୍ତାରେ ଯାତ୍ରୀମାନଙ୍କୁ ଅଟକାଇ ବାଇକ୍ ଛଡ଼ାଇ ନେବା ଏବଂ ବାରମ୍ବାର ଚୋରି ଘଟଣା ଘଟିଥିବା ଦେଖିବାକୁ ମିଳିଛି। ବାହାଡ଼ାଝୋଲାକୁ ମଦମୁକ୍ତ କରିବା ସହିତ ଚୋରା ବ୍ୟବସାୟୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦୃଢ଼ ଦାବି ହୋଇଛି।

ସମ୍ବନ୍ଧିତ ଖବର