ଜୟପୁର : ଦେଶୀ, ବିଦେଶୀ ଓ ନକଲି ବିଦେଶୀ ମଦ ବ୍ୟବସାୟକୁ ନେଇ କୋରାପୁଟ ଜିଲ୍ଲା ଏବେ ଚର୍ଚ୍ଚା ପାଲଟିଛି। ଗତକାଲି କୁନ୍ଦୁରା ବଢ଼େଇ ସାହିର ଜଣକ ଘରେ ପୁଲିସ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର ନକଲି ବିଦେଶୀ ମଦ ଧରିଛି। କେବଳ ଯେ କୁନ୍ଦୁରାରେ ଏହା ହେଉଛି ତାହା ନୁହେଁ ଜିଲ୍ଲାର ସବୁ ବ୍ଲକରେ ଏପରି ନକଲି ବିଦେଶୀ ମଦ ବିକ୍ରୀ ହେଉଥିବା ଅଭିଯୋଗ ହୋଇଛି। ଜିଲ୍ଲାର ଜୟପୁର, ବୋରିଗୁମ୍ମା, କୋଟପାଡ, ବୈପାରିଗୁଡା, ଲମତାପୁଟ, ନନ୍ଦପୁର ଆଦି ବ୍ଲକ ଏବଂ ପୌରାଞ୍ଚଳରେ ଦେଶୀ ଓ ବିଦେଶୀ ମଦ ବିନା ଲାଇସେନସରେ ବିକ୍ରୀ ହେଉଛି। କିଛି ବସ୍ତି ଓ ଗ୍ରାମାଞ୍ଚଳରେ ମଦ ମାଫିଆ ମାନେ ଆସ୍ଥାନ ଜମାଇ ଏହି ବ୍ୟବସାୟକୁ ଅନାୟସରେ ଜାରି ରଖିଛନ୍ତି। କିଛି ନ୍ୟସ୍ତସ୍ବାର୍ଥପର ବ୍ୟବସାୟୀ ବିଭିନ୍ନ ଗାଁରେ ବିଷାକ୍ତ ୟୁରିୟା ଓ ଏସିଡ ମିଶା ଦେଶୀ ମଦ, ନକଲି ବିଦେଶୀ ମଦ ବ୍ୟାପକ ପରିମାଣର ପ୍ରସ୍ତୁତ କରି ବିକ୍ରୀ କରୁଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସେହିପରି କିଛି କୁଚିଆ ବ୍ୟବସାୟୀ ମାନେ ସରକାରୀ ମଦ ଭାଟିରୁ ଅଳ୍ପ କିଛି ଲିଟର ଦେଶୀ ମଦ ଆଣି ବଳକା ଚୋରା ବିଷାକ୍ତ ମଦ ଆଣି ବିକ୍ରୀ କରୁଛନ୍ତି। ସେହିଭଳି ବିଦେଶୀ ମଦ ଦୋକାନ ଗୁଡିକୁ ଖୁଚୁରା ଭାବେ ବିକ୍ରୀ କରିବାକୁ ଅନୁମତି ଦେଇଥିଲେ ହେଁ ସେମାନେ ବ୍ୟବସାୟୀକ ଦୃଷ୍ଟିକୋଣରୁ କିଛି ଗ୍ରାମାଞ୍ଚଳ ବ୍ୟବସାୟୀ, ଢାବା ହୋଟେଲ, ହୋଟେଲ ମାଲିକଙ୍କୁ ବିକ୍ରୀ କରୁଛନ୍ତି। ଏହି ସୁଯୋଗରେ କିଛି ନ୍ୟସ୍ତସ୍ବାର୍ଥ ବ୍ୟବସାୟୀ ନକଲି ଛାପା ଲଗାଇ ଅସଲି ବିଦେଶୀ ମଦରେ ନକଲି ମଦ ସହ ମିଶାଇ ବିକ୍ରୀ କରୁଛନ୍ତି। ଯଦିଓ ଲାଇସେନସପ୍ରାପ୍ତ ସରକାରୀ ମଦ ଭାଟି ଓ ବିଦେଶୀ ମଦ ଦୋକାନ ବିକ୍ରୀ କରିବାକୁ ଅନୁମତି ପାଇଛନ୍ତି। ତେବେ ନକଲି ଏବ˚ ବିଷାକ୍ତ ଦେଶୀ ଓ ବିଦେଶୀ ମଦ ପ୍ରସ୍ତୁତ କରି ଲୋକଙ୍କୁ ଭକୁଆ ବନାଇବା ସହ ସେମାନଙ୍କ ସ୍ବାସ୍ଥ୍ୟ ଓ ଜୀବନ ସହ ବି ଖେଳାଯାଉଛି। ତେବେ ଏହା ଅଧିକା ନିଶା ଦେଉଥିବାରୁ ମଦୁଆ ମାନେ ବି ଏହାକୁ ହିଁ କିଣି ପିଇବାକୁ ଉଚିତ ମଣୁଛନ୍ତି।
ନିର୍ବାଚନ ପାଇଁ ସଦର ଓ ଟାଉନ ପୁଲିସ ସହ ଜିଲ୍ଲା ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ବ୍ୟାପକ ପରିମାଣର ମଦ ନଷ୍ଟ କରିସାରିଛି। ତେବେ ଏହାକୁ ରୋକିବାକୁ ଆବଶ୍ୟକ ପଦକ୍ଷେପ ନିଆଯାଉ ନାହିଁ। ଆସନ୍ତା ସାଧାରଣ ନିର୍ବାଚନ ପାଖେଇ ଆସୁଥିବାରୁ ବିଭିନ୍ନ ରାଜନୈତିକ ଦଳ ଗୁଡିକ ନିଜ ନିଜର ଗ୍ରାମାଞ୍ଚଳ ଓ ସହରାଞ୍ଚଳର କୁଜିନେତାଙ୍କ ମାଧ୍ୟମରେ ନକଲି ମଦ ସଂଗ୍ରହ କରି ଲୁଚାଇ ରଖିଥିବା କିଛି ରାଜନୈତିକ ଦଳର ନେତା ମାନେ କହିଛନ୍ତି। ପୁଲିସ ଓ ଅବକାରୀ ବିଭାଗ ଯଦିଓ ଚଢ଼ାଉ କରୁଥିଲେ ହେଁ ସେହିଭଳି ସଫଳତା ମିଳୁନଥିବା ପଛରେ ଉଭୟ ବିଭାଗର କିଛି କର୍ମଚାରୀ ଏବଂ ଅସାଧୁ ମଦ ବ୍ୟବସାୟୀଙ୍କ ସହ ଭିତିରିଆ ସଲାସୁତୁରା ଥିବା ଘଟଣାକୁ ବି ଏଡାଇ ଦେଇ ହେବନି ବୋଲି ବି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି। ତେଣୁ ଏହାକୁ ରୋକିବା ଦିଗରେ ଜିଲ୍ଲା ପ୍ରଶାସନ, ଅବକାରୀ ବିଭାଗ, ପୁଲିସ ପ୍ରଶାସନ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି ବୋଲି ବୁଦ୍ଦିଜୀବୀ ମହଲରେ ମତପ୍ରକାଶ ପାଇଛି।