କାଶୀପୁର ବ୍ଲକରେ ବୃଦ୍ଧି ପାଉଛି ବେଆଇନ ମଦ ବିକ୍ରି

ଟିକିରି : କାଶୀପୁର ବ୍ଲକରେ ବେଆଇନ ଦେଶୀ ମଦ ରନ୍ଧା ଓ ବିକ୍ରି ବୃଦ୍ଧି ପାଉଥିବା ଅଭିଯୋଗ ହୋଇଛି। ବ୍ଲକର ଅଧିକାଂଶ ସ୍ଥାନରେ ମହୁଲି ମଦର ବେଆଇନ ଭାବେ କାରବାର ବ୍ୟାପକ ଚାଲିଛି। କିନ୍ତୁ ଅବକାରୀ ବିଭାଗର ଅବହେଳା କାରଣରୁ ଏହାକୁ ରୋକା ଯାଇପାରୁନାହିଁ। ସେହିପରି ମଦକୁ ଅଧିକ ନିଶାଯୁକ୍ତ କରିବା ପାଇଁ ବିଭିନ୍ନ ପ୍ରକାର ବିଷାକ୍ତ ଦ୍ରବ୍ୟ ଅପମିଶ୍ରଣ କରାଯାଉଥିବା ମଧ୍ୟ ଅଭିଯୋଗ ହୋଇଛି। ଅପମିଶ୍ରିତ ମଦପିଇ ଅନେକ ରୋଗାଗ୍ରସ୍ତ ହୋଇ ମୃତ୍ୟୁ ମୁଖରେ ପଡୁଥିବା ବେଳେ କେତେକ ପରିବାରରେ ଅଶାନ୍ତି ଲାଗି ରହିଛି। ବ୍ଲକର ଡଙ୍ଗାସିଲ ପଞ୍ଚାୟତର ଅଣଗାର ଏବଂ ନିକଟସ୍ଥ ଗ୍ରାମର ମହିଳା ମଣ୍ଡଳ ଗତ ଦିନରେ ମେଳିବାନ୍ଧି ନିଜ ଅଞ୍ଚଳର ବେଆଇନ ମଦ ଭାଟିକୁ ଭାଙ୍ଗି ଆନ୍ଦୋଳନ କରିଥିଲେ। କିନ୍ତୁ ପ୍ରଶାସନର ସହଯୋଗ ଅଭାବରୁ ମଦ ବିରୋଧୀ ଆନ୍ଦୋଳନର ସୁଫଳ ମିଳିପାରୁନଥିବା ମହିଳାମାନେ ଅଭିଯୋଗ କରିଛନ୍ତି। ସେହିପରି ବିଦେଶୀ ମଦ ମଧ୍ୟ ବିଭିନ୍ନ ଗାଁ ଗଣ୍ଡାରେ ବିକ୍ରି ଚାଲିଛି। କାଶୀପୁର ବ୍ଲକର ସଦର ଏବଂ ଟିକିରି ଠାରେ ସରକାରୀ ଲାଇସେନ୍ସ ପ୍ରାପ୍ତ ଠିପି ବନ୍ଦ ବିଦେଶୀ ମଦ ଦୋକାନ ରହିଛି। ତେବେ ସୁଙ୍ଗେର, ମାଣ୍ଡିବିଶି, ଡଙ୍ଗାସିଲ, ଚନ୍ଦ୍ରଗିରି ଭଳି ପଞ୍ଚାୟତ ସଦରରେ ଖୋଲାଖୋଲି ବିଦେଶୀ ମଦ ବିକ୍ରି କରାଯାଉଥିବା ଜଣାଯାଇଛି। ତୁରନ୍ତ ନିଶା କାରବାରକୁ ବନ୍ଦ କରାଯିବା ଦିଗରେ ଜିଲ୍ଲାପାଳ ପଦକ୍ଷେପ ନେବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର