ବେଆଇନ ମଦ କାରବାରର ଅମରାବତୀ ପାଲଟିଛି ଗଞ୍ଜାମ : ୭ମାସରେ ୧୭୯୫ ଅବକାରୀ ମାମଲା, ୧.୨ଲକ୍ଷ ଲିଟର ମଦ ଜବତ

ଧରାପଡ଼ିଛି ୧୭୫ଟି ଜୁଆ ଆଡ୍ଡା, ଜବତ ହୋଇଛି ୨୦ ଲକ୍ଷ
ଘଟିଛି ୩୬ ହତ୍ୟାକାଣ୍ତ, ୪୨ ଗୋଷ୍ଠୀ ସ˚ଘର୍ଷ

ବ୍ରହ୍ମପୁର/ଛତ୍ରପୁର : କରୋନା ସହ ଲଢୁଛି ଗଞ୍ଜାମ ଜିଲ୍ଲା। ୫ମାସ ହେଲା କଟକଣା ଭିତରେ ଦିନ କାଟୁଛନ୍ତି ଗଞ୍ଜାମବାସୀ। ଏହିଭଳି ଘଡ଼ିସନ୍ଧି ସମୟରେ ବି ଗଞ୍ଜାମ ପୁଲିସ ଜିଲ୍ଲାରେ ବେଆଇନ ମଦ କାରବାର ଓ ଜୁଆ ଖେଳ ଚରମ ସୀମାରେ ପହଞ୍ଚିଛି। ବେଆଇନ ମଦ କାରବାରର ଅମରାବତୀ ପାଲଟିଛି ଗଞ୍ଜାମ। ଜାନୁଆରୀ ଠାରୁ ଜୁଲାଇ ୩୧ ମଧ୍ୟରେ ଗଞ୍ଜାମ ପୁଲିସ ଜିଲ୍ଲାରେ ୧୭୯୫ଟି ଅବକାରୀ ମାମଲା ରୁଜୁ ହୋଇଥିବା ବେଳେ ପ୍ରାୟ ୧.୨ ଲକ୍ଷ ଲିଟର ଦେଶୀ ବିଦେଶୀ ମଦ ଜବତ ହୋଇଛି। ୧୭୫ଟି ଜୁଆ ଆଡ୍ଡା ଉପରେ ଚଢଉ କରି ପ୍ରାୟ ୨୦ଲକ୍ଷ ଟଙ୍କା ଜବତ ହୋଇଛି। ଏହି ସମୟରେ ଅପରାଧ ବୃଦ୍ଧି ପାଇଛି। ୭ମାସରେ ଘଟିଛି ୩୬ଟି ହତ୍ୟାକାଣ୍ତ ।

Times of India

ରାଜ୍ୟର ଅନ୍ୟତମ ବୃହତ୍ତମ ଜିଲ୍ଲା ଗଞ୍ଜାମ। ଜିଲ୍ଲାର ପରିସୀମା ଓ ଲୋକସ˚ଖ୍ୟାକୁ ଦୃଷ୍ଟିରେ ରଖି ଦୁଇଟି ପୁଲିସ ଜିଲ୍ଲାରେ ବିଭକ୍ତ କରାଯାଇଛି। ବ୍ରହ୍ମପୁର ଓ ଗଞ୍ଜାମ ପୁଲିସ ଜିଲ୍ଲା। ଗଞ୍ଜାମ ପୁଲିସ ଜିଲ୍ଲାରେ ବିଦ୍ୟୁତ ଥାନା, ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନା ସମେତ ୨୪ଟି ଥାନା ରହିଛ। ଭଞ୍ଜନଗର ଥାନାକୁ ବିଭକ୍ତ କରି ଆଉ ନୂଆ ଥାନା ପ୍ରତିଷ୍ଠା ଲାଗି ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। ଏହି ନୂତନ ଥାନା ପ୍ରତିଷ୍ଠା ହେଲେ ଗଞ୍ଜାମ ପୁଲିସ ଜିଲ୍ଲାର ଥାନା ସ˚ଖ୍ୟା ୨୫କୁ ବୃଦ୍ଧି ହେବ। ତେବେ ୨୦୨୦ ଧରାପୃଷ୍ଠରେ ପାଦ ଦେବା ପର ଠାରୁ ଚଳିତ ବର୍ଷ ଗଞ୍ଜାମ ଲାଗି ଘଟଣା ବହୁଳ ରହିଛି। ତପ୍ତପାଣି ଘାଟିରେ ଯାତ୍ରୀବାହୀ ବସ୍‌ ଓଲଟି ୮ଜଣ ମୃତ୍ୟୁ ହେଉ କି ପୋଲସରା ଅଞ୍ଚଳ ଖଇରଛଟା ଗାଁ ଖେଳୁଥିବା ୪ଜଣ ନିଷ୍ପାପ ଶିଶୁ ଜଳିଯିବା ଘଟଣା ସମସ୍ତଙ୍କ ଛାତିକୁ ଥରାଇ ଦେଇଛି। ଆଉ ମାର୍ଚ୍ଚ ମାସ ଠାରୁ କରୋନା ମହାମାରୀର ପାର୍ଦୁଭାବ ଲାଗି ରହିଛି। ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍‌, ୧୪୪ ଧାରା ଜାରୀ ଆଦି କଟକଣା ଭିତରେ ଲୋକ ଜୀବନ ବିତାଉଛନ୍ତି। ଜୀବନଜୀବିକା ବିପନ୍ନ ହେବାରେ ଲାଗିଛି। ଏହି ସବୁ ସତ୍ତ୍ବେ ଗଞ୍ଜାମ ପୁଲିସ ଜିଲ୍ଲାରେ ଅପରାଧ କମିନାହିଁ।

ଗତ ଜାନୁଆରୀ ଠାରୁ ଜୁଲାଇ ମାସ ମଧ୍ୟରେ ଗଞ୍ଜାମ ପୁଲିସ ଜିଲ୍ଲାର ବିଦ୍ୟୁତ ଥାନାକୁ ବାଦ ଦେଲେ ବାକି ୨୩ଟି ଥାନାରେ ସମୁଦାୟ ୪୬୨୮ଟି ମାମଲା ରୁଜୁ ହୋଇଛି। ଏଥିମଧ୍ୟରେ ହତ୍ୟା, ଲୁଟ୍‌, ରାହାଜାନୀ, ଚୋରୀ, ଗୋଷ୍ଠୀ ସ˚ଘର୍ଷ, ଜୁଆ ଓ ଅବକାରୀ ମକଦ୍ଦମା ରହିଛି। କେବଳ ୧୭୯୫ଟି ସର୍ବାଧିକ ଅବକାରୀ ମାମଲା ରହିଛି। ଏହି ୭ମାସରେ ୯୭ହଜାର ୪୦୧ଲିଟର ଦେଶୀ ମହୁଲ ମଦ, ୧୬ହଜାର ଲିଟର ବିଦେଶୀ ମଦ, ୨୦ହଜାର ୪୭୦ ଲିଟର ପୋଛ ଜବତ ହୋଇଛି। ବିଶେଷକରି ଅବକାରୀ ମକଦ୍ଦମା ଗୁଡ଼ିକ ମାର୍ଚ୍ଚ ଠାରୁ ଜୁନ୍‌ ମଧ୍ୟରେ ରୁଜୁ ହୋଇଛି। ଆଉ ଏହି ସମୟରେ ଗଞ୍ଜାମ ପୁଲିସ ଜିଲ୍ଲାରେ ୧୬୫ଟି ଜୁଆ ଆଡ଼ା ଉପରେ ଚଢାଉ କରି ପ୍ରାୟ ୨୦ଲକ୍ଷ ଟଙ୍କା ଜବତ କରାଯାଇଛି। ଲକ୍‌ଡାଉନ ସମୟରେ ଗଞ୍ଜାମରେ ବେଆଇନ ମଦ କରବାର ଓ ଜୁଆ ଆଡ୍ଡା ବେଶୀ ଚାଲିଥିବା ଏହି ତଥ୍ୟ ବୟାନ କରୁଛି। ଅନ୍ୟପକ୍ଷରେ ଏହି ୭ମାସ ମଧ୍ୟରେ ୩୬ଟି ହତ୍ୟାକାଣ୍ତ, ୧୯ଟି ଡକାୟତି, ୧୬ଟି ବଡ଼ଧରଣ ଚୋରୀ ଓ ୪୦ଟି ଗୋଷ୍ଠୀ ସ˚ଘର୍ଷ ଭଳି ଘଟଣା ଘଟିଛି। ୨୫୦ଟି ଅପମୃତ୍ୟୁ ମାମଲା ଘଟିଛି। ଏଥିମଧ୍ୟରେ ସର୍ବାଧିକ ଆତ୍ମହତ୍ୟା ରହିଥିବା ଗଞ୍ଜାମ ପୁଲିସ ସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର