ଜୟପୁର : କରୋନା ଭୂତାଣୁ ନ ବ୍ୟାପିବା ପାଇଁ ସରକାର କଠୋର ପଦକ୍ଷେପ ଗ୍ରହଣ କରୁଛନ୍ତି। ଏହି ପରିପ୍ରେକ୍ଷୀରେ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଛଡା ଅନ୍ୟ ସମସ୍ତ ଦୋକାନ ବନ୍ଦ ରହିଛି। ମଦ ଦୋକାନ ବି ବନ୍ଦ ରହିଛି। ଉଦେଶ୍ୟ ଅନାବଶ୍ୟକ ଭାବେ ଭିଡ଼ ହେବ ନାହିଁ ବା କରୋନା ଭୁତାଣୁ ବ୍ୟାପିବାର ଭୟ ରହିବ ନାହିଁ। ତେବେ ନିଶାଖୋରଙ୍କ ଉତ୍ପାତ କମି ନାହିଁ। ମଦ ଦୋକାନ ବନ୍ଦ ହୋଇଥିଲେ ମଧ୍ୟ ବିକ୍ରି ବନ୍ଦ ହୋଇ ନାହିଁ। ଦୋକାନ ବନ୍ଦ ହେବା ପୂର୍ବରୁ କିଛି ବେପାରୀ ମଦ ରଖି ଦେଇଥିବା ବେଳେ କେତେକ ମଦ ଦୋକାନୀ ମଧ୍ୟ ଚୋରାରେ ମଦ ବିକ୍ରି କରୁଛନ୍ତି। ସମ୍ବାରତୋଟା ଅଂଚଳରେ ଜୟପୁର ଟାଉନପୁଲିସ ଚଢ଼ାଉ କରି ଏଭଳି ବିଦେଶୀ ମଦ ଜବତ କରିଥିବା ସୂଚନା ମିଳିଛି। ସେଭଳି ଦୈନିକ ବଜାର ମଧ୍ୟରେ ଗୋଟିଏ ଦୋକାନରେ ଏପରି ଚୋରାରେ ବିଦେଶୀ ମଦ ବିକ୍ରୀ ହେଉଥିବା ବେଳେ ପୁଲିସ ଚଢ଼ାଉ କରି ଉତ୍ତମ ମଧ୍ୟମ ଦେଇଛି।
ତେବେ ପ୍ରଶ୍ନ ଉଠୁଛି ଯେ ଦୋକାନ ବନ୍ଦ ରହିଥିବା ବେଳେ ସହରରୁ ଆରମ୍ଭ କରି ଗ୍ରାମାଂଚଳରେ ବିଦେଶୀ ମଦ କେଉଁଠୁ ଆସୁଛି। ଜୟପୁର ସହର ସମେତ ଉପଖଣ୍ଡର ବିଭିନ୍ନ ଗାଁ ଓ ଛୋଟବଡ ସହରରେ ନିଶାଡି ମାନଙ୍କୁ ଦେଶୀ ଓ ବିଦେଶୀ ମଦ ମିଳୁଛି କେଉଁଠୁ ଏହାକୁ ନେଇ ଏବେ ପ୍ରଶ୍ନ ଉଠିଛି। ଏମାନଙ୍କ ନିକଟକୁ କରୋନା ଭୂତାଣୁ ଯିବ ନାହିଁକି, ଏମାନେ ବାହକ ହେବେ ନାହିଁ ତ ? ଏଭଳି ପ୍ରଶ୍ନ ଉଠିଛି। କରୋନା ଭଳି ବିପତ୍ତି ସମୟରେ ବି ନିଶାଡି ମଦ୍ୟପ ମାନେ ମଦ ଛାଡି ପାରୁ ନାହାନ୍ତି। ସେମାନଙ୍କର ଆବଶ୍ୟକତା ମେଣ୍ଟାଇବା ପାଇଁ ଦେଶୀ ଓ ବିଦେଶୀ ମଦ ଦୋକାନୀ ଅସାଧୁ ଉପାୟରେ ଏହି ବେପାର କରୁଛନ୍ତି। ବିଳମ୍ବିତ ରାତିରେ ଏହା ସବୁ ବେପାରୀଙ୍କ ଘରେ ପହଚୁଂଛି। ପରେ ବିଭିନ୍ନ ମାଧ୍ୟମରେ ମଦ୍ୟପଙ୍କ ନିକଟରେ ପହଚୁଂଥିବା ଜଣେ ମଦ୍ୟପ ଓ କିଛି ବେପାରି ଏକଥା କହିଛନ୍ତି।
ଔଷଧ, ରାସନ, ପନିପରିବା ଆଣିବା ବାହାନାରେ ବିଭିନ୍ନ ସମୟରେ ଏହି ମଦ୍ୟପମାନେ ସହର ଓ ସହର ଉପକଣ୍ଠର ବିଭିନ୍ନ ଗାଁକୁ ଯାଇ ନିଶା ସେବନ କରୁଛନ୍ତି। ପୁରୁଣା ପ୍ରେସକ୍ରିପସନ୍ ଏବେ ଏମାନଙ୍କର କାମରେ ଲାଗୁଛି ବୋଲି ଜଣେ ମଦ୍ୟପ କହିଛନ୍ତି। ସେଭଳି କିଛି ପାନ ଦୋକାନୀ ବି ଚଢ଼ାଦରରେ ଗୁଟକା, ପାନ, ପାନମସଲା, ସିଗାରେଟ ଆଦି ଲୁଛାଛପାରେ ବି ବିକ୍ରୀ କରୁଛନ୍ତି। ଏହାକୁ ରୋକାଯିବାର ଆବଶ୍ୟକତା ରହିଛି। ଅନ୍ୟଥା ଏହି ଭୂତାଣୁ ବ୍ୟାପିବାରେ ଏମାନେ ପ୍ରମୁଖ ମାଧ୍ୟମ ହୋଇପାରନ୍ତି ଏଥିରେ ଦ୍ବିମତ ନାହିଁ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/03/soberandcleanlife-man-drinking-3.png)