ଝାରସୁଗୁଡ଼ା : ଅନ୍ୟ ରାଜ୍ୟରେ ମଦ ଦୋକାନ ଖୋଲି ଗଲାଣି। ଦୋକାନ ଆଗରେ ମଦ ପାଇଁ ଗ୍ରାହକଙ୍କ ଖଚାଖଚ ଭିଡ଼। ନିଶାରେ ଝୁଲିବା ପାଇଁ ସାମାଜିକ ଦୂରତ୍ବ ନିୟମ ସବୁ ଚୂଲିକୁ ଗଲାଣି। ଲୋକଙ୍କ ଏପରି ଭିଡ଼କୁ ଦେଖି ଓଡ଼ିଶା ସରକାର ଚିନ୍ତାରେ। ମଦ ଦୋକାନ ଖୋଲିଲେ ଅନ୍ୟ ରାଜ୍ୟ ପରି ଅବସ୍ଥା ହେବ ନାହିଁ ତ? ଏପରି ପ୍ରଶ୍ନ ସମସ୍ତଙ୍କ ମନରେ ଘାରିଛି। ଏଭଳି ପରିସ୍ଥିତିର ଫାଇଦା ଉଠାଇ ଚାଲିଛନ୍ତି ସୀମାନ୍ତବର୍ତ୍ତୀ ଜିଲ୍ଲାର କିଛି ମଦ ମାଫିଆ। ସେମାନେ ସରକାରଙ୍କ ସବୁ କଟକଣାକୁ ଫୁଃ କରି ବେଆଇନ ମଦର ପସରା ମେଲେଇ ଦେଇଛନ୍ତି। କୋଟି କୋଟି ଟଙ୍କାର ଲାଭ ବି କରୁଛନ୍ତି।
ଝାରସୁଗୁଡ଼ା ଜିଲ୍ଲାରେ ବିଦେଶୀ ମଦ କାରବାର କରୁଥିବା ବହୁ ବ୍ୟବସାୟୀ ଏହି କଟକଣା ସମୟର ଭରପୂର ସୁଯୋଗ ନେଇଛନ୍ତି। ଲକ୍ଡାଉନ୍ ସମୟରେ ବ୍ୟାପକ ଷ୍ଟକ୍ ହେରଫେର କରିଛନ୍ତି। ଷ୍ଟକ୍ରେ ଚଞ୍ଚକତା କରାଯାଇଥିବା ଅଭିଯୋଗ ହୋଇଛି। ଦୋକନ ଆଗରେ ସିଲ୍ ଥିବା ବେଳେ ପଛ ରାସ୍ତାରେ ବିକ୍ରି ହୋଇଛି। ବଡ଼ମାଳ ଥାନା ଅଞ୍ଚଳରେ ଏପରି ଏକ ଘଟଣା ଧରାପଡ଼ିଥିଲା। ବନ୍ଧବାହାଲ ମୁଖ୍ୟ ବଜାରରେ ଥିବା ଏକ ବିଦେଶୀ ମଦ ଦୋକାନ ସିଲ୍ ଥିବା ସତ୍ତ୍ବେ ଭୋର ସମୟରେ ତାକୁ ଦୁଇଜଣ ଅବକାରୀ କନ୍ଷ୍ଟେବଲ୍ ପୁଣି ଖୋଲି ସେଠାରୁ ମାଲ୍ ଚାଲାଣ କରୁଥିବା ଘଟଣା ଚର୍ଚ୍ଚାକୁ ଆସିଥିଲା। ପଣ୍ଡରିଠାରେ ଏକ ସ୍ବୀକୃତିପ୍ରାପ୍ତ ମଦ ଭାଟିରେ ବନ୍ଦ ସମୟରେ ଚଢ଼ା ଦରରେ ମଦ ବିକ୍ରିକୁ ନେଇ ଥାନାରେ ଅଭିଯୋଗ ହୋଇଥିଲା। ଲଖନପୁର ଥାନା ପୁଲିସ ଉକ୍ତ ମାଲିକଙ୍କ ନାମରେ ମାମଲା ରୁଜୁ କରିଥିବା ମଦ ବ୍ୟବସାୟୀଙ୍କ ଚଞ୍ଚକତାକୁ ପଦାରେ ପକାଇ ଦେଇଛି।
ଲକ୍ଡାଉନ୍ ସମୟରେ ଜିଲ୍ଲାରେ ମଦୁଆମାନଙ୍କୁ ମଦ ମିଳିବାରେ ସେପରି କିଛି ଅସୁବିଧା ହୋଇ ନଥିବା ବହୁ ମଦ୍ୟପ ନିଜେ ସ୍ବୀକାରୋକ୍ତି ଦେଇଛନ୍ତି। ଅନ୍ୟ ପକ୍ଷରେ ଦେଶୀ ମଦଭାଟି ସିଲ୍ ପରେ ଏହା ବେଆଇନ ମଦ ନିର୍ମାତାମାନଙ୍କୁ ଆଶୀର୍ବାଦ ସ୍ବରୂପ ହୋଇଥିଲା। ଗାଁ ଗାଁରେ ଏବେ ଏଭଳି ମଦଭାଟି ଚାଲିଛି। ଜଙ୍ଗଲ ଭିତରେ ଛୋଟ ଛୋଟ ମଦଭାଟି ଏବେ କୁଟୀର ଶିଳ୍ପରେ ପରିଣତ ହୋଇଛି। ଏହି ଛୋଟ ଭାଟିରୁ ବିଭିନ୍ନ କୁଚିଆକୁ ମଦ ପରିବହନ ଅନାୟାସରେ ହେଉଛି। ଯାହା ପୁଲିସ ଅବକାରୀ ବିଭାଗ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି। ଜିଲ୍ଲାର ସବୁ ଥାନାରେ ଏବେ ଏଭଳି ମାମଲା ବୃଦ୍ଧି ପାଉଛି। ଲଖନପୁର ଥାନା ଜଙ୍ଗଲ ଭିତରେ ଚାଲିଥିବା ମଦଭାଟିକୁ ଠାବ କରିବା ପାଇଁ ଲଖନପୁର ଥାନା ଅଧିକାରୀ ଛଦ୍ମବେଶରେ ଯାଇ ଅନେକ ଅଭିଯୁକ୍ତଙ୍କୁ ଧରିଥିଲେ। ତେବେ କରୋନା ଯୋଗୁଁ ହାଇକୋର୍ଟ ୭ ବର୍ଷରୁ କମ୍ ସଜାଥିବା ମାମଲାକୁ କୋର୍ଟ ଚାଲାଣ ନକରିବା ପାଇଁ ନିର୍ଦ୍ଦେଶ ଦେଇଥିବାରୁ ମଦ ମାଫିଆମାନଙ୍କୁ ପୁଲିସ ଓ ଅବକାରୀ ଅଧିକାରୀମାନେ ଧରି ମଦ ଜବତ କରି ତାଙ୍କୁ ଜାମିନରେ ଛାଡ଼ି ଦେବାକୁ ବାଧ୍ୟ ହେଉଛନ୍ତି। ଫଳରେ ସେମାନେ ପୁଣି ଯାଇ ସେହି ବେଆଇନ କାମ କରୁଛନ୍ତି।
ମାସକୁ ପିଅନ୍ତି ୬ ଲକ୍ଷ ଲିଟର ମଦ: ଝାରସୁଗୁଡ଼ା ଜିଲ୍ଲାରେ ନିଶାସକ୍ତମାନେ ମାସକୁ ୬ ଲକ୍ଷ ଲିଟରରୁ ଅଧିକ ମଦ ପିଇଥାନ୍ତି। ଏହି ହିସାବ ସରକାରୀ ସ୍ବୀକୃତିପ୍ରାପ୍ତ ଦୋକାନ ଅନୁଯାୟୀ ହୋଇଥିବା ବେଳେ ବେଆଇନ ମଦ ଦୋକାନରୁ ହିସାବ କଲେ ଏହା ଦଶ ଲକ୍ଷ ଲିଟରରୁ କମ୍ ହେବ ନାହିଁ। ସରକାରୀ ସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ ଝାରସୁଗୁଡ଼ା ଜିଲ୍ଲାରେ ଗତ ଫେବ୍ରୁଆରି ମାସରେ ଦେଶୀ ମଦ ୧ ଲକ୍ଷ ୩୦ ହଜାର ଲିଟର, ବିଅର ୧ ଲକ୍ଷ ୪୫ ହଜାର ଲିଟର ଏବଂ ଦେଶୀଭାଟି ମଦ ୩ ଲକ୍ଷ ୩୦ ହଜାର ଲିଟର ବିକ୍ରି ହୋଇଥିଲା। ଜିଲ୍ଲାର ୫ ଟି ଅବକାରୀ ଥାନା ଅଧୀନରେ ମୋଟ ୩୩ ଟି ବିଦେଶୀ ମଦ ଦୋକାନ, ୧୪ଟି ଭାଟି ଓ ୯ଟି ବାର୍ ଅଛି। ଝାରସୁଗୁଡ଼ା ଅବକାରୀ ଥାନା ଅଧୀନରେ ୨୧ଟି ବିଦେଶୀ ମଦ ଦୋକାନ, ୪ଟି ଦେଶୀଭାଟି ଓ ୭ଟି ବାର୍, ଲଇକେରା ଅବକାରୀ ଥାନା ଅଧୀନରେ ଗୋଟିଏ ବିଦେଶୀ ଓ ଗୋଟିଏ ଦେଶୀଭାଟି, କିର୍ମିରା ଅବକାରୀ ଥାନା ଅଧୀନରେ ୨ଟି ବିଦେଶୀ ଦୋକାନ ଓ ଗୋଟିଏ ଦେଶୀଭାଟି, ବେଲପାହାଡ଼ ଅବକାରୀ ଥାନା ଅଧୀନରେ ୮ଟି ବିଦେଶୀ ମଦ ଦୋକାନ, ୬ଟି ଦେଶୀ ଭାଟି ଓ ୨ଟି ବାର୍ ରହିଛି। କୋଲାବିରା ଅବକାରୀ ଥାନା ଅଧୀନରେ ଗୋଟିଏ ବିଦେଶୀ ଓ ୨ଟି ଦେଶୀଭାଟି ରହିଛି। ଜିଲ୍ଲାରୁ ମାସକୁ ପ୍ରାୟ ୩ କୋଟି ୫୦ ଲକ୍ଷ ଟଙ୍କା ରାଜସ୍ବ ମଦରୁ ସଂଗ୍ରହ ହୋଇଥାଏ ବୋଲି ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/05/alcohol-jharasuguda.jpg)