ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାରେ ମାଡ଼ି ଚାଲିଛି ଜଙ୍ଗଲ ନିଆଁ। ଗତ ଅଢ଼େଇ ମାସରେ ୧୨୦୦ ସ୍ଥାନରେ ଲାଗିସାରିଲାଣି ନିଆଁ। ଯଦି ଗତବର୍ଷ ସହ ତୁଳନା କରାଯାଏ, ତେବେ ଜାନୁଆରିରୁ ମେ ମାସ ମଧ୍ୟରେ ୧୫୭୮ଟି ସ୍ଥାନରେ ବନାଗ୍ନି ଚିହ୍ନଟ ହୋଇଥିଲା। ଚଳିତବର୍ଷ ମାର୍ଚ୍ଚ ମାସ ଶେଷ ହୋଇ ନଥିବାରୁ ବ୍ୟାପକ ଜଙ୍ଗଲ କ୍ଷତିଗ୍ରସ୍ତ ହେବ ବୋଲି ଆକଳନ କରାଯାଉଛି। ଅନ୍ୟପଟେ ଅନୁସନ୍ଧାନରୁ ଯେଉଁ ତଥ୍ୟ ସାମ୍ନାକୁ ଆସୁଛି ତାହା ଅତି ସାଂଘାତିକ। ମକା ଚାଷ ପାଇଁ ଜଙ୍ଗଲ ଜମିରେ ନିଆଁ ଲଗାଇ ଦେଉଥିବା ପ୍ରମାଣ ମିଳିଛି। କାରଣ ଚଳିତବର୍ଷ ଯେଉଁ ପରିମାଣର ଜଙ୍ଗଲରେ ନିଆଁ ଲାଗିଛି, ତାହାର ୮୦ପ୍ରତିଶତ କେବଳ ମକା ଚାଷ ପାଇଁ ନିଆଁ ଲଗାଇ ଦିଆଯାଇଛି।

Advertisment

ସରକାରୀ ରେକର୍ଡ ଅନୁସାରେ, ଜିଲ୍ଲାର ୧୭ହଜାର ହେକ୍ଟର ଜଙ୍ଗଲ ଜମି ଏବେ ଜବରଦଖଲରେ ରହିଛି। ବେସରକାରୀ ଭାବେ ଜଙ୍ଗଲ ଜମି ଜବରଦଖଲ ପରିମାଣ ପ୍ରାୟ ୨୦ ‌ହଜାର ହେକ୍ଟର ହେବ। ବେଆଇନ ଦଖଲରେ ଅଙ୍କୁଶ ଲାଗୁନଥିବା କାରଣରୁ ପ୍ରତିବର୍ଷ ଜଙ୍ଗଲ ଜମି ଜବରଦଖଲ ବଢ଼ୁଛି। ଯେଉଁଥିରେ ରାଜନେତା ତଥା ପ୍ରଭାବଶାଳୀ ବ୍ୟକ୍ତିଙ୍କ ସିଧାସଳଖ ସଂପୃକ୍ତି ରହୁଥିବାରୁ ବନ ବିଭାଗ କିମ୍ବା ପ୍ରଶାସନ ମଧ୍ୟ ବିଶେଷ ତତ୍ପରତା ଦେଖାଉନାହାନ୍ତି। ଦଖଲରେ ରହିଥିବା ଜଙ୍ଗଲ ଜମିରେ କେବଳ ମକା ଚାଷ ହିଁ ହେଉଛି। ପ୍ରଥମବର୍ଷ ଚାଷ କରିବା ସମୟରେ କୌଣସି ପ୍ରକାର ବିରୋଧ କିମ୍ବା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ପରବର୍ଷକୁ ଆଖପାଖ ଜଙ୍ଗଲକୁ ପୋଡ଼ି ଦିଆଯାଉଛି। ମାଟି ସମତୁଲ କରି ସେଥିରେ ପୁଣି ମକା ଚାଷ କରାଯାଉଛି। ଏବେ ଏହି ମକାଚାଷ ହିଁ ଜଙ୍ଗଲ ନିଅଁାର କାରଣ ପାଲଟିଛି।

ପରିସଂଖ୍ୟାନ ଅନୁଯାୟୀ, ଅଢ଼େଇ ମାସ ମଧ୍ୟରେ ଜିଲ୍ଲାର ୬ଟି ରେଞ୍ଜ୍‌ ମଧ୍ୟରୁ ଝରିଗାଁ ରେଞ୍ଜ୍‌ରେ ସର୍ବାଧିକ ବନାଗ୍ନି ରେକର୍ଡ କରାଯାଇଛି। ଝରିଗାଁ ରେଞ୍ଜ୍‌ରେ ୫୬୩ ସ୍ଥାନରେ ଚିହ୍ନଟ ହୋଇଥିବା ବେଳେ ରାଇଘର ରେଞ୍ଜ୍‌ରେ ୨୭୮, ଉମରକୋଟ ରେଞ୍ଜ୍‌ରେ ୨୯୯, ନବରଙ୍ଗପୁରରେ ୮୧, କୋଡ଼ିଙ୍ଗାରେ ୧୧ ଓ ଡାବୁଗାଁ ରେଞ୍ଜ୍‌ରେ ୬୪ ସ୍ଥାନରେ ବନାଗ୍ନି ଚିହ୍ନଟ ହୋଇଛି। ଚିହ୍ନଟ ହୋଇଥିବା ମୋଟ ୧୧୯୬ ବନାଗ୍ନି ମଧ୍ୟରୁ ୧୦୬୦ଟି କେବଳ ମକା ଫସଲରୁ ଲାଗିଥିବା ଜଣାପଡ଼ିଛି। ଯାହାକି ମୋଟ ବନାଗ୍ନିର ପ୍ରାୟ ୮୦ ପ୍ରତିଶତ ହେବ।

ଉଲ୍ଲେଖଯୋଗ୍ୟ ଯେ ଗତମାସ ହୋଇଥିବା ବନାଗ୍ନି ସର୍ଭେରେ ନବରଙ୍ଗପୁର ଜିଲ୍ଲା ରାଜ୍ୟରେ ପ୍ରଥମ ସ୍ଥାନରେ ରହିଥିଲା। ତେବେ, କିଛି ଅଞ୍ଚଳରେ ନିଆଁ ଭିଲିବା ଯୋଗୁ ବର୍ତ୍ତମାନ ଚତୁର୍ଥ ସ୍ଥାନକୁ ଖସିଆସିଛି।