ରାୟଗଡ଼ାରୁ ରାୟପୁରକୁ ଲମ୍ବିଛି ମାଙ୍ଗାନିଜ ଚୋରା ଚାଲାଣ : ୫୦ ଟନ୍ ଚୋରା ମାଲ ଭର୍ତ୍ତି ଟ୍ରକକୁ ଧରିଲା ପୁଲିସ୍, ଜେସିବି ମେସିନ ସହ ବାଇକ୍ ଜବତ, ୪ ଗିରଫ

ରାୟଗଡ଼ା : ରାୟଗଡ଼ାରୁ ରାୟପୁରକୁ ଚୋରାରେ ମାଙ୍ଗାନିଜ୍ ଚାଲାଣ ହେଉଥିବା ରାକେଟର ପର୍ଦାଫାଶ କରିଛି ରାୟଗଡ଼ା ପୁଲିସ। ୫୦ ଟନ୍ ମାଲ ଭର୍ତ୍ତି ଟ୍ରକକୁ ପୁଲିସ୍ ଜବତ କରିବା ସହ ୪ ଜଣକୁ ଗିରଫ କରିଛି। ଏଥି ସହିତ ଗୋଟିଏ ଜେସିବି ମେସିନ୍ ଓ ବାଇକ୍ ଜବତ ହୋଇଛି। ପୁଲିସ୍ ଜଣେ ନାବାଳକ ସମେତ ଟ୍ରକ ଡ୍ରାଇଭର ଆକାଶ କୁମାର ଗୁପ୍ତା (୩୦), ହେଲପର ବିନୋଦ ମାଝି (୨୦) ଓ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଥାନା କୁଟିଙ୍ଗା ଗ୍ରାମର ଅର୍ଜୁନ ବିଡିକା (୩୫)କୁ ଗିରଫ କରିଥିବା ଭାରପ୍ରାପ୍ତ ଥାନା ଅଧିକାରୀ କୃଷ୍ଣଚନ୍ଦ୍ର ଭତ୍ରା ସୂଚନା ଦେଇଛନ୍ତି। ଗିରଫ ଡ୍ରାଇଭର ଓ ହେଲପରର ଘର ମଧ୍ୟପ୍ରଦେଶର ସିଦ୍ଧି ଜିଲ୍ଲାରେ ବୋଲି ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି।

ପୁଲିସ୍ ସୂଚନା ମୁତାବକ, ରାୟପୁରରୁ ଏକ ଟ୍ରକ ନଂ- (ସିଜି୦୪ଏମଜେଡ୍-୭୦୫୬) କାଶୀପୁର ବ୍ଲକର ଟିକିରିକୁ ସିମେଣ୍ଟ୍ ଲୋଡ୍ ନେଇ ଆସିଥିଲା। ସିମେଣ୍ଟ୍ ଅନଲୋଡ ପରେ ଟ୍ରକଟି ଫେରୁଥିବା ବେଳେ ଟ୍ରକ ମାଲିକ ରାୟପୁରରୁ ଫୋନ କରି କୁମ୍ଭିକୋଟା-ଗୁମ୍ମା ମଧ୍ୟରେ ଥିବା ଦେବଝୋଲା ଗ୍ରାମ ନିକଟରୁ କିଛି ଦୂରରେ ଥିବା ଏକ ସ୍ଥାନରୁ ମାଙ୍ଗାନିଜ ପଥର ଲୋଡ୍ କରି ଆଣିବାକୁ କହିଥିଲେ। ଟ୍ରକ ମାଲିକ ଆଦେଶ ପ୍ରକାରେ ଟ୍ରକ ଡ୍ରାଇଭର ଆକାଶ ଦେବଝୋଲାରେ ପହଞ୍ଚିବା ପରେ ଅର୍ଜୁନ ବିଡିକା ବାଇକ ଯୋଗେ ଟ୍ରକକୁ ଲୋଡିଂ ସ୍ଥାନରେ ପଂହଚାଇଥିଲା। ଲୋଡିଂ ପରେ ଟ୍ରକଟି ରାୟପୁର ଅଭିମୁଖେ ଯାଉଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ଥାନା ଅଧିକାରୀ ଶ୍ରୀ ଭତ୍ରାଙ୍କ ନିର୍ଦ୍ଦେଶକ୍ରମେ ଏସଆଇ ସୌମ୍ୟରଂଜନ ପତି, ଚିତ୍ତରଂଜନ ମହାନ୍ତି ଏବଂ ଅନ୍ୟ ଷ୍ଟାଫ ଟ୍ରକକୁ ଅଟକାଇ କାଗଜପତ୍ର ଯାଞ୍ଚ କରିଥିଲେ। ଯାଞ୍ଚ ସମୟରେ ଚୋରାରେ ମାଙ୍ଗାନିଜ୍ ପଥର ଚାଲାଣ ହେଉଥିବା ଜଣା ପଡିବା ପରେ ଟ୍ରକ୍ ସହ ପଛରେ ଆସୁଥିବା ଜେସିବି ମେସିନ ନଂ-ଓଡି୧୦ଏଚ-୦୫୨୦ ଓ ବାଇକ ଚାଳକଙ୍କୁ ଥାନାକୁ ଆଣି ପୁଲିସ୍ ପଚରା ଉଚରା କରିଥିଲା। ବେଆଇନ ଚୋରା ଚାଲାଣରେ ସଂପୃକ୍ତ ଥିବା ଟ୍ରକ ଡ୍ରାଇଭର, ହେଲପର ଓ ଅର୍ଜୁନ ବିଡିକା ସହ ଲୋଡିଂ ବେଳେ ଘଟଣାରେ ସଂପୃକ୍ତ ଥିବା ଜଣେ ନାବାଳକଙ୍କ ବିରୁଦ୍ଧରେ ରାୟଗଡ଼ା ପୁଲିସ୍ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି। ଟ୍ରକରେ ୫୦ ଟନ୍ ମାଙ୍ଗାନିଜ ପଥର ବୋଝେଇ ହୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ପାଖାପାଖି ୧୫ଲକ୍ଷ ଟଙ୍କା ହେବ ବୋଲି ପୁଲିସ ଅନୁମାନ କରୁଛି।

ସମ୍ବନ୍ଧିତ ଖବର