ରାୟଗଡ଼ା : ବନ୍ଦ ପଡ଼ିଛି ନିଶିଖାଲ ମାଙ୍ଗାନିଜ୍ ଖଣି; ଚାଲିଛି ଚୋରା ଚାଲାଣ, ରାଜସ୍ୱ ହରାଉଛନ୍ତି ସରକାର

୨୦୦୪ରୁ ବନ୍ଦ ରହିଛି ଖଣି ଉତ୍ତୋଳନ
ସୁରକ୍ଷାରେ ନିୟୋଜିତ ହୋଇଛନ୍ତି ୧୧ କର୍ମଚାରୀ

ରାୟଗଡ଼ା : ଲିଜ୍ ଅବଧି ସରିବା ପରେ ବନ୍ଦ ପଡ଼ିଛି ଖଣି। କିନ୍ତୁ ବନ୍ଦ ହେଉନି ଚୋରା ଚାଲାଣ। ୧୦ ସୁରକ୍ଷାକର୍ମୀ, ଜଣେ ସୁପରଭାଇଜର, ୬ ଖଣି କର୍ମଚାରୀଙ୍କ ଆଖିରେ ଧୂଳି ଦେଇ ମାଫିଆ ଲୁଟି ଚାଲିଛନ୍ତି ମାଙ୍ଗାନିଜ୍। ପ୍ରତିଦିନ ବନ୍ଦ ଖଣିରୁ ମାଙ୍ଗାନିଜ୍ ଚୋରା ଚାଲାଣ ହେଉଥିବାରୁ ରାଜସ୍ୱ ହରାଉଛନ୍ତି ସରକାର। ଆନ୍ଧ୍ର, ତେଲେଙ୍ଗାନା, ରାୟପୁର ସମେତ ଅନ୍ୟ ରାଜ୍ୟକୁ ଚୋରା ଚାଲାଣ ହେଉଥିବା ବେଳେ ଏହାକୁ ରୋକିବାରେ ଓଏମସି କର୍ତ୍ତୃପକ୍ଷ ବିଫଳ ହୋଇଛନ୍ତି। ସେପ୍ଟେମ୍ବର ୨୪ ତାରିଖରେ ୫୦ ଟନ୍ ଚୋରା ମାଙ୍ଗାନିଜ୍ ସହ ଟ୍ରକ୍ ସହ ଜେସିବି ମେସିନକୁ ଜବତ ସହ ୪ ଜଣଙ୍କୁ ରାୟଗଡ଼ା ପୁଲିସ୍ ଗିରଫ କରିବା ପରେ ଚୋରା ଚାଲାଣରେ ଓଏମସି କର୍ତ୍ତୃପକ୍ଷ-ମାଫିଆଙ୍କ ମଧ୍ୟରେ ଚାଲିଥିବା ମଧୁଚନ୍ଦ୍ରିକା ପଦାରେ ପଡ଼ିଛି।

କାଶୀପୁର ବ୍ଲକ୍ ଶଙ୍କରଡ଼ା ପଞ୍ଚାୟତର ନିଶିଖାଲ ଗ୍ରାମରେ ରହିଛି ମାଙ୍ଗାନିଜ୍ ଖଣି। ୫୦୧.୬୭ ହେକ୍ଟର ବିଶିଷ୍ଟ ଏହି ମାଙ୍ଗାନିଜ୍ ଖଣି ଖନନ ପାଇଁ ୧୯୬୪ ମସିହା ଜୁନ୍ ୨୮ ତାରିଖରେ ରାଜ୍ୟ ସରକାରଙ୍କ ସହ ଚୁକ୍ତି କରିଥିଲା ଓଏମସି। ୧୯୭୬ରୁ ପ୍ରଥମ ପର୍ଯ୍ୟାୟ ଖଣି ଖନନ ଆରମ୍ଭ ହୋଇ ୧୯୮୪ ଜୁନ୍ ୨୭ ତାରିଖ ପର୍ଯ୍ୟନ୍ତ ଚାଲିଥିଲା। ସେହିପରି ୧୯୮୪ ଜୁନ୍ ୨୮ରୁ ୨୦୦୪ ଜୁନ୍ ୨୭ ତାରିଖ ପର୍ଯ୍ୟନ୍ତ ଦ୍ବିତୀୟ ପର୍ଯ୍ୟାୟ ଖନନ କାର୍ଯ୍ୟ ଚାଲିଥିଲା। ତୃତୀୟ ପର୍ଯ୍ୟାୟ ଲିଜ୍ ଅବଧି ପାଇଁ ଓଏମସି ୨୦୦୩ ଜୁନ୍ ୨୬ ତାରିଖରେ ଆବେଦନ କରିଥିଲା। ହେଲେ ଇଣ୍ଡିଆନ୍ ବ୍ୟୁରୋ ଅଫ୍ ମାଇନସ୍ (ଆଇବିଏମ୍) ର ନୀତି, ନିୟମ ଅନୁଯାୟୀ ସଂରକ୍ଷଣ ଜଙ୍ଗଲ ଅଞ୍ଚଳ ମଧ୍ୟରେ ଏହି ଖଣି ଥିବାରୁ ବନ ବିଭାଗ ପକ୍ଷରୁ ସବୁଜ ସଂକେତ ମିଳିନଥିଲା। ଯେଉଁଥି ପାଇଁ ୨୦୦୪ ମସିହା ପରଠାରୁ ଏହି ଖଣିରୁ ମାଙ୍ଗାନିଜ୍ ଖନନ ବନ୍ଦ ରହିଛି। ଗତ ୧୫ ବର୍ଷ ଧରି ଖଣି ଖନନ ବନ୍ଦ ଥିବାରୁ ଗଚ୍ଛିତ ମାଙ୍ଗାନିଜର ସୁରକ୍ଷା ପାଇଁ ଖଣି ତଳେ ଥିବା ଗାଁ ପୋଡ଼କଣାରେ ଖଣି ଅଧିକାରୀଙ୍କ କାର୍ଯ୍ୟାଳୟରେ ସୁରକ୍ଷାକର୍ମୀ ନିୟୋଜିତ ଅଛନ୍ତି। ହେଲେ ମାଫିଆମାନେ ସ୍ଥାନୀୟ ଲୋକଙ୍କୁ ଢ଼ାଲ କରି ମାଇନସରୁ ମାଙ୍ଗାନିଜ୍ ଚୋରି କରି ତଳକୁ ଆଣିବା ପରେ ଟ୍ରକ୍ ଓ ଟ୍ରାକ୍ଟରରେ ବାହାରକୁ ଚାଲାଣ କରୁଛନ୍ତି। ଖଣି ଚର୍ତୁପାର୍ଶ୍ବରେ ବାଉଣ୍ଡାରୀ ନଥିବାରୁ ଜଙ୍ଗଲ ରାସ୍ତା ଦେଇ ଲୋକେ ଖଣି ଭିତରକୁ ପ୍ରବେଶ କରି ଚୋରି କରୁଛନ୍ତି।

ବର୍ତ୍ତମାନ ଖଣି ଖନନ କରିବା ପାଇଁ ସରକାର ପୁଣି ଥରେ ପ୍ରୟାସ ଆରମ୍ଭ କରିଥିବାରୁ ଖୁବ୍ ଶୀଘ୍ର ସର୍ଭେ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି। ପ୍ରତି ମାସରେ ୨/୩ ଟ୍ରକ୍ ମାଙ୍ଗାନିଜ୍ ଚୋରା ଚାଲାଣ ଯୋଗୁ ମାସିକ ଲକ୍ଷାଧିକ ଟଙ୍କାର ରାଜସ୍ୱ ସରକାର ହରାଉଛନ୍ତି। ଏପଟେ ବିଭାଗୀୟ ଅସାଧୁ ଅଧିକାରୀ-ମାଫିଆ କିନ୍ତୁ ମାଲାମାଲ୍ ହେବାରେ ଲାଗିଛନ୍ତି। ସୁରକ୍ଷା ଦାୟିତ୍ବରେ ସ୍ଥାନୀୟ ଅଞ୍ଚଳର ଯୁବକଙ୍କୁ ନିଯୁକ୍ତି ସତ୍ତ୍ବେ ବିଭାଗୀୟ ଅଧିକାରୀ ଓ ମାଫିଆଙ୍କ ମଧ୍ୟରେ ଚାଲିଥିବା ମଧୁଚନ୍ଦ୍ରିକା ଚୋରା ଚାଲାଣ ବାଟକୁ ସୁଗମ କରିଛି। ଯାହା ରାୟଗଡ଼ା ପୁଲିସ୍ ଚଢ଼ାଉ କରି ରାୟପୁରକୁ ଚାଲାଣ ହେଉଥିବା ୫୦ ଟନ୍ ମାଙ୍ଗାନିଜ୍ ଭର୍ତ୍ତି ଟ୍ରକ୍ ସହ ଜେସିବି ଓ ୪ ଜଣଙ୍କୁ ଗିରଫ ଘଟଣାରୁ ସ୍ପଷ୍ଟ ହୋଇଛି। ଜବତ ମାଙ୍ଗାନିଜର ଆନୁମାନିକ ମୂଲ୍ୟ ୧୫ ଲକ୍ଷ ଟଙ୍କା ହେବ ବୋଲି ପୁଲିସ ଆକଳନ କରିଛି। ଓଏମସି ଦକ୍ଷିଣାଞ୍ଚଳ ଆଞ୍ଚଳିକ ପ୍ରବନ୍ଧକ ହେମନ୍ତ ସିଂଙ୍କ କହିବାନୁଯାୟୀ, ଚୋରା ଚାଲାଣ ରୋକିବା ପାଇଁ ଜଣେ ଅଧିକାରୀଙ୍କ ନେତୃତ୍ବରେ ୧୧ ଜଣ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଛି। ଖଣି ଉପରକୁ ଗାଡ଼ି ଯିବା ପାଇଁ କୌଣସି ରାସ୍ତା ନଥିବା ବେଳେ ଖଣିରୁ ମାଙ୍ଗାନିଜ୍ ପଥର ତଳକୁ ବୋହି ଆଣିବା ସହଜସାଧ୍ୟ ନୁହେଁ ବୋଲି କହିଛନ୍ତି ଶ୍ରୀ ସିଂ।

ସମ୍ବନ୍ଧିତ ଖବର