ମୟୂରଭଂଜ-ଝାଡ଼ଖଣ୍ଡ ସୀମା ମୁକୁଳା: ବଢୁଛି ବେଆଇନ ଲଘୁ ଖଣିଜ ଦ୍ରବ୍ୟ ଚାଲାଣ

ରାଇରଙ୍ଗପୁର: ମୁକୁଳା ପଡ଼ିଛି ମୟୂରଭଞ୍ଜ-ଝାଡ଼ଖଣ୍ଡ ସୀମା। ଦିନକୁ ଦିନ ବେଆଇନ ଲଘୁ ଖଣିଜ ଦ୍ରବ୍ୟ ଚାଲାଣ ବି ଚାଲିଛି। ବିନା ନିଲାମୀରେ ଆନ୍ତଃରାଜ୍ୟ ଲଘୁ ଖଣିଜ ଦ୍ରବ୍ୟ ଚାଲାଣ ନେଇ ପ୍ରଶାସନ ରୋକ୍‌ ଲାଗିଥିଲେ ମଧ୍ୟ ଏଠି ସବୁ ଆଇନକୁ ଭ୍ରୁକ୍ଷେପ ନ କରି ଚୋରା କାରବାର ଚାଲିଛି। ରାଜସ୍ୱ ବିଭାଗର ନାକ ତଳେ ଏହି ଚୋରା କାରବାର ଚାଲିଥିବା ବେଳେ କାଁଭାଁ କେତେ ବେଳେ ଚଢ଼ଉ କରି ଜରିମାନା ଆଦାୟ ହେଉଛି। କିନ୍ତୁ ଉପଖଣ୍ଡ ପ୍ରଶାସନ ଏହି ବେଆଇନ ଚାଲାଣ ଉପରେ ସଂପୂର୍ଣ୍ଣ ଅଙ୍କୁଶ ଲଗାଉ ନଥିବାରୁ ରାଜ୍ୟ ସରକାର କୋଟି କୋଟି ଟଙ୍କାର ରାଜସ୍ୱ ହରାଉଛି। ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡବାସୀଙ୍କ ଆବଶ୍ୟକତା ପୂରଣ କରିବା ପାଇଁ ଏହି ଅଂଚଳରେ ଲଘୁ ଖଣିଜ ପଦାର୍ଥର ଭଣ୍ଡାର ରହିଛି। କିନ୍ତୁ ସ୍ଥାନୀୟ ଅଂଚଳବାସୀଙ୍କ ଆବଶ୍ୟକତା ପୂରଣ କରିବା ପରିବର୍ତ୍ତେ ପଡ଼ୋଶୀ ଝାଡ଼ଖଣ୍ଡ ରାଜ୍ୟକୁ ଚୋରା ଚାଲାଣ କରି ଚୋରା ବେପାରୀମାନେ ମୋଟା ଅଙ୍କରେ ଲାଭ କମାଉଛନ୍ତି। ମୟୂରଭଞ୍ଜ ଜିଲ୍ଲାରେ ଥିବା ଖଡ଼ଖାଇ ଓ କାହ୍ନା ନଦୀରେ ଖାଦାନ ନିଲାମୀ ହୋଇ ନଥିବା ସ୍ଥାନ ଗୁଡ଼ିକରୁ ବେଆଇନ ବାଲି ଉତ୍ତୋଳନ କରାଯାଇ ଶହ ଶହ ଟ୍ରକ୍‌ ଓ ଟ୍ରାକ୍ଟର ଆଦିରେ ଆନ୍ତଃରାଜ୍ୟ ଚୋରା ଚାଲାଣ କରାଯାଉଛି। ରାଇରଙ୍ଗପୁର-ଟାଟା ୨୨୦ ନମ୍ବର ଜାତୀୟ ରାଜପଥ ତଥା ସୀମାକୁ ସଂଯୋଗ କରୁଥିବା ବହୁ ଗ୍ରାମାଞ୍ଚଳ ରାସ୍ତାରେ ଏହି ଚୋରା ଗାଡ଼ି ଗୁଡ଼ିକ ଚଳପ୍ରଚଳ କରୁଥିବା ବେଳେ ଉକ୍ତ ଅଂଚଳର ରାଜସ୍ୱ ବିଭାଗ ଆଖି ବୁଜି ବସିଥିବା ସାଧାରଣରେ ଅଭିଯୋଗ ହେଉଛି।

ମୟୂରଭଞ୍ଜ ଜିଲ୍ଲା ସୀମାନ୍ତବର୍ତ୍ତୀ ରାଇରଙ୍ଗପୁର, ଜାମଦା, ବହଳଦା ଓ ତିରିଂ ତହସିଲ ଅଂଚଳରେ ପ୍ରବାହିତ ଖଡ଼ଖାଇ ଓ କାହ୍ନା ନଦୀରେ ବାସିଙ୍ଗୀ, ଦୁନ୍ଦୁ ଓ ଅନ୍ୟାନ କିଛି ସ୍ଥାନରେ ବାଲି ଖାଦାନ ନିଲାମ ଦିଆଯାଇଛି। ନିଲାମୀ ଖାଦାନ ବାହାରେ ରହିଥିବା ନଦୀ ପଠାରୁ ଦୈନିକ ଶହ ଶହ ଗାଡ଼ି ଚୋରା ବାଲି ଉତ୍ତୋଳନ କରାଯାଇ ପଡ଼ୋଶୀ ଝାଡ଼ଖଣ୍ଡ ରାଜ୍ୟକୁ ଚାଲାଣ ହେଉଛି। ଅପରପକ୍ଷେ, ଝାଡ଼ଖଣ୍ଡ ରାଜ୍ୟର ସୀମାବର୍ତ୍ତୀ ଅଂଚଳରେ ରହିଥିବା ଅଧିକାଂଶ ମେଟାଲ କ୍ରସରରୁ ଚିପ୍ସ ଓଡ଼ିଶାକୁ ଚୋରା ଚାଲାଣ ହେଉଛି। ଝାଡ଼ଖଣ୍ଡ ସୀମାକୁ ଲାଗିଥିବା ରାଜାବାସା, ଚାନ୍ଦରୀ, ଗୋପିନାଥପୁର ଆଦି ବହୁ ସ୍ଥାନରୁ ଡମ୍ଫର ଓ ଟ୍ରାକ୍ଟରରେ ବାଲି ଉତ୍ତୋଳନ କରାଯାଇ ଝାଡ଼ଖଣ୍ଡର ହଳଦୀପୋଖରୀ, ହାତା, ପୋଟକା, ସୁନ୍ଦରନଗର, ରାଜନଗର ଓ ଜାମସେଦପୁର ଆଦି ଅଂଚଳକୁ ଚାଲାଣ ହେଉଛି। ସେହିପରି ଝାଡ଼ଖଣ୍ଡର ହାତା, କୁଆଳି, ରାଜନଗର ଓ ପୋଟକା ଆଦି ଅଂଚଳରେ ରହିଥିବା ମେଟାଲ କ୍ରସରରୁ ଚିପ୍ସ ଟାଟା-ରାଇରଙ୍ଗପୁର ୨୨୦ ନମ୍ବର ଜାତୀୟ ରାଜପଥ ଓ ଲାଇଲମ୍‌ ଘାଟୀ-ଝରାଡ଼ିହି ରାସ୍ତାରେ ରାଇରଙ୍ଗପୁରକୁ ଆସୁଛି। ଏହି ରାସ୍ତାରେ ସୀମାରେ ତିରିଂ ତହସିଲ ଅଫିସ୍‌ ରହିଥିବା ବେଳେ ବହଳଦା, ଜାମଦା ଓ ରାଇରଙ୍ଗପୁର ତହସିଲ ଅଂଚଳରେ ଉକ୍ତ ବେଆଇନ କାରବାର ଜୋର ଧରିଛି।

ଏହି ସୀମାନ୍ତ ଅଂଚଳରେ ପୁଲିସ୍‌ ଥାନା ମଧ୍ୟ ରହିଛି। କିନ୍ତୁ ଏହି ବେଆଇନ କାରବାର ଉପରେ ଅଂକୁଶ ଲଗାଇବାରେ ବାମନଘାଟୀ ଉପଖଣ୍ଡ ପ୍ରଶାସନ ଓ ପୁଲିସ୍‌ ତତ୍ପରତା ଦେଖାଉନଥିବା ବେଳେ ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଅଂଚଳରେ ଲଘୁ ଖଣିଜ ଦ୍ରବ୍ୟ ଆବଶ୍ୟକତା ପୂରଣ ହୋଇ ପାରୁନଥିବା ଅଂଚଳବାସୀ ଅଭିଯୋଗ କରୁଛନ୍ତି। ଏବାବଦରେ ବାମନଘାଟୀ ଉପଜିଲ୍ଲାପାଳ ଧର୍ମାନନ୍ଦ ବେହେରାଙ୍କୁ ପଚାରିବାରୁ ସରକାରୀ ନିଲାମ ହୋଇଥିବା ଖାଦାନରୁ ଆବଶ୍ୟକତା ଦୃଷ୍ଟିରୁ ପଡ଼ୋଶୀ ରାଜ୍ୟକୁ ଲଘୁ ଖଣିଜ ଦ୍ରବ୍ୟ ଚାଲାଣ କରାଯାଇ ପାରିବ। କିନ୍ତୁ ବେଆଇନ ଭାବେ ଲଘୁ ଖଣିଜ ଦ୍ରବ୍ୟ ଉତ୍ତୋଳନ କରାଯାଇ ଚୋରା ଚାଲାଣ ହେଉଥିବା ସ୍ଥାନରୁ ରାଜସ୍ୱ ବିଭାଗ ଚାଉ କରି ଜରିମାନା ଆଦାୟ କରୁଛି ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର