ଚଢ଼େଇଧରା : ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅଧୀନସ୍ଥ ଚର୍ଚ୍ଚିତ ଡଙ୍କାରୀ ପାହାଡ଼ ଓ ରାହାଡ଼ପୁର ପାହାଡ଼ରୁ କଳାପଥର ଚୋରାଚାଲାଣ ରୋକିବା ପାଇଁ ପ୍ରଶାସନ ନେଇଛି ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ। ସବୁ ଚୋରା ରାସ୍ତା ବନ୍ଦ କରିଦେଇଥିବାବେଳେ ଗୋଟିଏ ରାସ୍ତାରେ ପରିବହନ ପାଇଁ ସ୍ଥିର କରିଛନ୍ତି।
ନିଷ୍ପତ୍ତି ଅନୁସାରେ, ଡଙ୍କାରୀ ପାହାଡ଼ ଓ ପାହାଡ଼ ପାଦଦେଶ ତଳେ ଥିବା ୩୦ରୁ ଊର୍ଧ୍ବ ମେଗା କ୍ରସରରୁ ମାଲ ପରିବହନ ନିର୍ଧାରିତ ଡଙ୍କାରୀ-ବରଡ଼ା ଆରଡି ରାସ୍ତା ଦେଇ ଯାତାୟତ କରିବ। ବରଡ଼ା ଠାରେ ପ୍ରଶାସନ ଦ୍ବାରା ନିର୍ମିତ ତନଖି ଫାଟକରେ ସମସ୍ତ ଗାଡ଼ିର କାଗଜ ପତ୍ର ଯାଞ୍ଚ କରାଯିବ। ଅର୍ଥାତ୍ ପଥର ଖଣିକୁ ଯିବା ଆସିବା ପାଇଁ ପ୍ରଶାସନ ପକ୍ଷରୁ ଗୋଟିଏ ରାସ୍ତା ବ୍ୟବସ୍ଥା କରାଯାଇଛି। ସେହିପରି ରାହାଡ଼ପୁର ପାହାଡ଼ରୁ ମାଲ ପରିବହନ କରୁଥିବା ଗାଡ଼ିଗୁଡ଼ିକ ତୁରଙ୍ଗ-ବରଡ଼ା ଆରଡି ରାସ୍ତା ଦେଇ ବରଡ଼ା ତନଖି ଫାଟକ ଯାଞ୍ଚ ପରେ ପରିବହନ କରିବ ବୋଲି ଜଣାପଡ଼ିଛି। ଏହି କ୍ଲୋଜର ଗେଟ୍ ଓ ତନଖି ଫାଟକ କାର୍ଯ୍ୟକ୍ଷମ ହେବା ପରେ ବେଆଇନ ପଥର ମାଫିଆଙ୍କ ମଧ୍ୟରେ ଛନକା ପଶିଛି। ଏହାଦ୍ୱାରା ଅନେକାଂଶରେ ଚୋରା ଖଣିଜ ପଥର ପରିବହନ ରୋକାଯାଇ ପାରିବ ବୋଲି ଧର୍ମଶାଳା ତହସିଲଦାର ସଜୋର କୁମାର ପଣ୍ଡା ସୂଚନା ଦେଇଛନ୍ତି।
ଲଘୁଖଣିଜ ପଦାର୍ଥ ଚୋରା ଚାଲାଣ ରୋକିବା ଲାଗି ପ୍ରଶାସନର ପ୍ରୟାସକୁ ସାଧାରଣରେ ପରିବେଶବିତ୍ ଓ ବୁଦ୍ଧିଜୀବୀମାନେ ପ୍ରଶଂସା କରିଛନ୍ତି।