ବେଆଇନ ଖଣି ଖନନ ମାମଲା : ୩ ଖଣି ମାଲିକଙ୍କ ସମ୍ପତ୍ତି ବାଜ୍ୟାପ୍ତି ନିର୍ଦ୍ଦେଶ

କେନ୍ଦୁଝର : ବେଆଇନ ଖଣି ଖନନ ମାମଲା‌ରେ ଜରିମାନା ପୈଠ କରି ନଥିବା ୩ ଖଣି ମାଲିକଙ୍କ ସମ୍ପତ୍ତି ବାଜ୍ୟାପ୍ତି ପାଇଁ କେନ୍ଦୁଝର ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାର ଚୂଡ଼ାନ୍ତ ଶୁଣାଣି ଆଜି ଜିଲ୍ଲାପାଳଙ୍କ କୋର୍ଟରେ ହୋଇଥିଲା।

ସୂଚନା ଅନୁସାରେ, ଏମ୍‌ଏସ୍‌ ବିକେ ମହାନ୍ତି, ଏମ୍‌ଏସ୍‌ ଭଞ୍ଜ ମିନେରାଲସ୍‌ ଓ ଏମ୍‌ଏସ୍‌ ବାସୁଦେବ ଅଗ୍ରୱାଲ ଖଣି କମ୍ପାନିଙ୍କ ସମ୍ପତ୍ତି ବାଜ୍ୟାପ୍ତି ପାଇଁ ଜିଲ୍ଲାପାଳ ୱାରେଣ୍ଟ ଜାରି କରିଛନ୍ତି। ଏମ୍‌ଏସ୍‌ ବିକେ ମହାନ୍ତି ଖଣି କମ୍ପାନିଙ୍କୁ ୪୧୨ କୋଟି ୫୭ ଲକ୍ଷ ୬୨ ହଜାର ୮୯୩ ଟଙ୍କା ଜରିମାନା କରାଯାଇଥିବାବେଳେ ଏମ୍‌ଏସ୍‌ ଭଞ୍ଜ ମିନେରାଲସ୍‌କୁ ୭୮ କୋଟି ୩୮ ଲକ୍ଷ ୧୮ ହଜାର ୧୬୭ କୋଟି ଟଙ୍କା ଓ ଏମ୍‌ଏସ୍‌ ବାସୁଦେବ ଅଗ୍ରୱାଲକୁ ୮ କୋଟି ୪୮ ଲକ୍ଷ ୪୪ ହଜାର ୬୭୪ ଟଙ୍କା ଜରିମାନା ନିର୍ଦ୍ଦେଶ ଦିଆଯାଇଥିଲା। ଧାର୍ଯ୍ୟ ସମୟରେ ଜରିମାନା ‌ପୈଠ ନକରିବାରୁ ଜିଲ୍ଲାପାଳ ଆଶିଷ ଠାକ୍‌ରେ ଏହି ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଜରିମାନା ପୈଠ କରିନଥିବା ୩୧ଟି ଖଣିର ୨୩ ଜଣ ଖଣି ଲିଜ୍‌ଧାରୀଙ୍କ ନାମରେ ୬ ହଜାର ୩ ଶହ ୫୦ କୋଟି ଟଙ୍କା ଜରିମାନା ଆଦାୟ ନେଇ ନୋଟିସ ଜାରି ହୋଇଥିଲା। ହେଲେ ଖଣି ଲିଜ୍‌ଧାରୀ ଜରିମାନା ପୈଠ କରିବାରେ ବିଳମ୍ବ କରିବାରୁ ସେମାନଙ୍କ ନାଁରେ ଜିଲ୍ଲାପାଳଙ୍କ କୋର୍ଟରେ ସାର୍ଟିଫିକେଟ କେସ୍‌ ହୋଇ ଶୁଣାଣି ଚାଲିଛି।

ସମ୍ବନ୍ଧିତ ଖବର