କଳାପଥର କେଳେଙ୍କାରୀ: ଧରାପଡ଼ିଲା ମାତ୍ରାଧିକ ଖନନ, ୪ ଲିଜ୍‌ଧାରୀଙ୍କୁ ୧୦୫କୋଟି ‌ଜରିମାନା

ଯାଜପୁର/ଚଢ଼େଇଧରା : ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅଞ୍ଚଳର କଳାପଥର କେଳେଙ୍କାରୀର ଗୁମର ଖୋଲୁଛି। ଅନୁମତିଠାରୁ ଢେର୍‌ ଅଧିକ କଳାପଥର ଖନନ କରିଥିବା ୪ଜଣ ଲିଜ୍‌ଧାରୀଙ୍କ ଉପରେ ତହସିଲ ପକ୍ଷରୁ ୧୦୫ କୋଟି ୧୩ ଲକ୍ଷ ଟଙ୍କା ଜରିମାନା ଧାର୍ଯ୍ୟ ହୋଇଛି। ଜରିମାନା ଧାର୍ଯ୍ୟ ହୋଇଥିବା ଏହି ୪ଜଣ ଲିଜ୍‌ଧାରୀ ହେଲେ ସରୋଜ ରାଉତ(ଗେଡ଼), ରଞ୍ଜନ ଜେନା, ସାବିତ୍ରୀ ପରିଡ଼ା ଓ ଚନ୍ଦ୍ରମଣୀ ପରିଡା। ଜିଲ୍ଲାପାଳ ଚକ୍ରବର୍ତ୍ତୀସିଂ ରାଠୋରଙ୍କ ନିର୍ଦ୍ଦେଶରେ ଧର୍ମଶାଳା ତହସିଲଦାର ସ୍ବାଗତ ଦାସ ଆଜି ଅତ୍ୟଧିକ କଳାପଥର ଖନନ ପାଇଁ ଏହି ଜରିମାନା ଧାର୍ଯ୍ୟ କରିଛନ୍ତି। ଫଳରେ, ବେଆଇନ ଭାବେ ଖାଦାନ ଖୋଳି ଚାଲିଥିବା ଲିଜ୍‌ଧାରୀଙ୍କ ମଧ୍ୟରେ ଛନକା ପଶିଛି।

ଲଘୁଖଣିଜ ସମ୍ପଦରେ ଭରପୁର ଯାଜପୁର ଜିଲ୍ଲାରୁ ହଜାର ହଜାର କୋଟି ଟଙ୍କାର କଳା‌ପଥର, ମୋରମ, ବାଲି, ମାଟି ଆଦି ନିୟମିତ ଚୋରାଚାଲାଣ ଚାଲିଛି। ଲିଜ୍ ନାମରେ ବ୍ୟାପକ ବେଆଇନ୍ ଖନନ ସହ ଅସ୍ଥାୟୀ ପରମିଟ୍‌କୁ ଲିଜ୍‌ଧାରୀ ଓ ଠିକାଦାରମାନେ ଢାଲ କରି ବ୍ୟାପକ ରାଜସ୍ବ ଲୁଟ୍ କରୁଛନ୍ତି। ‘ସମ୍ବାଦ’ରେ ଏ ନେଇ ଲଗାତାର ଖବର ପ୍ରକାଶପାଇବା ସହ ରାଜସ୍ବ ମନ୍ତ୍ରୀ ବିଧାନସଭାରେ ଉତ୍ତର ରଖିଥିଲେ। ଧର୍ମଶାଳା ତହସିଲ କଳାପଥର କେଳେଙ୍କାରୀ ପ୍ରସଙ୍ଗକୁ ନେଇ ସମଗ୍ରରାଜ୍ୟରେ ଆଲୋଡ଼ନ ସୃଷ୍ଟି ହୋଇଥିଲା। ଫଳରେ, ଧର୍ମଶାଳା ତହସିଲଦାର ସ୍ବାଗତ ଦାସଙ୍କ ନେତୃତ୍ବରେ ଅତିରିକ୍ତ ତହସିଲଦାର ଦେବୀପ୍ରସାଦ ମହାନ୍ତିଙ୍କ ଟିମ୍ ୪ଟି ଖାଦାନର ଲିଜ୍ ଅବଧିର ଶେଷଦିନ ଇଟିଏସ୍‌ ଓ ଡ୍ରୋନ୍‌ ମାଧ୍ୟମରେ ଖାଦାନ ମାପଚୁପ କରିଥିଲେ। ଧର୍ମଶାଳା ତହସିଲ୍‌ର ଲୁଣିବାରି ମୌଜାର ଖାଦାନ ନମ୍ବର ୪ର ଲିଜଧାରୀ ସରୋଜ ରାଉତ(ଗେଡ) ସର୍ବାଧିକ ବେଆଇନ୍ ଖନନ କରି ରାଜସ୍ବ ଫାଙ୍କିଥିବା ତଦନ୍ତରେ ଧରାପଡ଼ିଛି। ଶ୍ରୀ ରାଉତଙ୍କ ନାମରେ ୬୩କୋଟି ୩୭ଲକ୍ଷ ଟଙ୍କା ଜରିମାନା ଆଦେଶ ହୋଇଛି। ସେହିପରି, ଡଙ୍କାରୀର ଖାଦାନ ନମ୍ବର-୫ର ଲିଜଧାରୀ ରଞ୍ଜନ ଜେନାଙ୍କ ନାମରେ ୨୩କୋଟି ୩୨ଲକ୍ଷ ଟଙ୍କା ଜରିମାନା ହୋଇଥିବାବେଳେ ଅନୁରୂପ ଭାବେ ଲୁଣବାରିର ଖାଦାନ ନମ୍ବର-୨ର ଲିଜଧାରୀ ସାବିତ୍ରୀ ପରିଡ଼ାଙ୍କ ନାମରେ ୧୬କୋଟି ୫୭ଲକ୍ଷ ଓ ତାଙ୍କ ସ୍ବାମୀ ଚନ୍ଦ୍ରମଣି ପରିଡ଼ା ନାମରେ ଥିବା ଲୁଣବାରି ଖାଦାନ ନମ୍ବର-୩ରେ ମାତ୍ରାଧିକ ଖନନ ପାଇଁ ୧କୋଟି ୮୭ଲକ୍ଷ ଟଙ୍କା ଜରିମାନା କରାଯାଇଛି।

ଏ ସମ୍ପର୍କରେ ତହସିଲଦାର ଶ୍ରୀ ଦାସଙ୍କୁ ପଚରାଯିବାରୁ ଏହି ପ୍ରକ୍ରିୟା ଜାରି ରହିବ ବୋଲି କହିଛନ୍ତି। ୪ଟି ସୈରାତର ମାପଚୁପ ହେବା ଫଳରେ ବେଆଇନ୍ ଖନନ ଧରାପଡ଼ିଛି। ଏବେ ଲିଜ୍‌ରେ ଥିବା ୧୭ଟି ସୈରାତ ଓ ତହସିଲର ମୋଟ ୮୫ଟି ଲଘୁଖଣିଜ ସୈରାତରେ ଏହି ବ୍ୟବସ୍ଥା ଅନୁସାରେ ଲିଜ ଅବଧି ଶେଷ ପୂର୍ବରୁ ମାପଚୁପ କରାଯିବ l ଅଧିକ ଖନନ ହୋଇଥିଲେ ରାଜସ୍ୱ ସହ ଜରିମାନା ଆଦାୟ କରାଯିବ। ଯାହାଫଳରେ, ବେଆଇନ୍ କାରବାର ନିୟନ୍ତ୍ରଣ ସହିତ ରାଜସ୍ବ ଆଦାୟ ମଧ୍ୟ ବୃଦ୍ଧି ‌ପାଇବ ବୋଲି ତହସିଲଦାର ଶ୍ରୀ ଦାସ କହିଛନ୍ତି।

ସମ୍ବନ୍ଧିତ ଖବର