ହାଟଡ଼ିହି: ଚାଲିଛି ବେଆଇନ ମୋରମ ଖଣି

ହାଟଡ଼ିହି : କେତେକ ଅସାଧୁ ଅଧିକାରୀ ଓ କର୍ମଚାରୀ ଏବଂ ମୋରମ ମାଫିଆଙ୍କ ସଲାସୁତାରେ ବେଧଡ଼କ ଚାଲିଛି ଲଘୁ ଖଣି ସମ୍ପଦର ଚୋରା କାରବାର। ଅସାଧୁ ଅଧିକାରୀ ଓ କର୍ମଚାରୀ ନିଜ ‌ପକେଟ ଗରମ କରୁଥିବା ବେଳେ ସରକାର ଲକ୍ଷ ଲକ୍ଷ ଟଙ୍କାର ରାଜସ୍ବ ହରାଉଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ହାଟଡ଼ିହି ତହସିଲ ଅଞ୍ଚଳରେ। ଏହି ତହସିଲ ଅଞ୍ଚଳରେ ଅନେକ ବେଆଇନ ମୋରମ ଖଣି ଖୁଲାମଖୁଲା ଚାଲୁଛି। ବିଶେଷକରି ସନ୍ଧ୍ୟା ପରଠାରୁ ଏହି ବେଆଇନ ମୋରମ ଖଣିଗୁଡିକ ଚାଲୁଥବାରୁ ପ୍ରଶାସନ ସେପରି କୌଣସି ପଦକ୍ଷେପ ଗ୍ରହଣ କରିପାରୁନାହିଁ। ଯଦିବା କେତେବେଳେ ଚଢ଼ଉ କରୁଛି ମାଫିଆଙ୍କ ସହ ସମ୍ପର୍କ ରଖିଥିବା କିଛି କର୍ମଚାରୀଙ୍କ ସୂତ୍ରରୁ ଖବର ପାଇଁ ମାଫିଆମାନେ ସଜାଗ ହୋଇଯାଉଛନ୍ତି।

ଖବରରୁ ଜଣାଯାଇଛି ଯେ ହାଟଡିହି ତହସିଲ ଅଞ୍ଚଳରେ ମାତ୍ର କେତୋଟି ହାତ ଗଣତି ମୋରମ ଖଣିକୁ ଲିଜ ଦିଆଯାଇଥିଲା । କିନ୍ତୁ ପୁରୁଣାପାଣି ମୋରମ ଖଣିକୁ ସ୍ଥାନୀୟ ଲୋକମାନେ ବିରୋଧ କରିବାକୁ ତିନିବର୍ଷ ହେଲା ଏହା ବନ୍ଦ ହୋଇଯାଇଛି। କିନ୍ତୁ କିଛି ମୋରମ ମାଫିଆ ଝଣଝଣା, ଡେଙ୍ଗାଚୁଆ, ଶଙ୍କଟପାଲିଆ, ବିଣାପାଟିଆ, ଝୁଣାବାଡି, ବଣିଆପଙ୍କ ଆଦି ସ୍ଥାନରେ ଖୁଲାମଖୁଲା ମୋରମ ଉତ୍ତୋଳନ କରୁଛନ୍ତି । ବିଣାପାଟିଆ ନିକଟରେ ଲୋକଙ୍କ ଜମିକୁ ଲିଜ ସୂତ୍ରରେ ଆଣି ପୋଖରୀ ଭଳି ଖୋଳିଦେଇ ମୋରମ ଉଠାଯାଉଛି । ମୋରମ ଖାଣିଗୁଡିକ ଅସୁରକ୍ଷିତ ଭାବେ ଖୋଳାଯାଇଥିବାରୁ ଗୃହପାଳିତ ପଶୁ ଏବଂ ମଣିଷଙ୍କ ପାଇଁ ବିପଦ ସାଜୁଛି।

ବିଣାପାଟିଆ ରାସ୍ତାକଡରେ ଶହଶହ ଖାଣି ଖେଳାଯାଇଥିବାରୁ ସ୍ଥାନୀୟ ଲୋକଙ୍କ ପାଇଁ ମଧ୍ୟ ବିପଦର କାରଣ ପାଲଟିଛି। ଏହି ମୋରମ ମାଫିଆମାନେ ପୁଲିସକୁ ହାତବାରିସୀ କରି ଶହଶହ ଟ୍ରିପ ମୋରମ ବାହାରକୁ ଚୋରା ଚାଲାଣ କରୁଛନ୍ତି। ସେହିପରି କେନାଲ ଖୋଳା ସମୟରେ ବାହାରିଥିବା ମୋରମକୁ ଜିଲ୍ଲା ବାହରକୁ ବେଆଇନି ଭାବେ ଚୋରାଚାଲାଣ କରାଯାଉଛି। ଦୈନିକ ୨୦ରୁ ୩୦ଟ୍ରିପ ମୋରମ ଚୋରାଚାଳାଣ ହେଉଥିଲେବି ତହସିଲ କର୍ତ୍ତୃପକ୍ଷଙ୍କ ପାଖରେ ଏନେଇ କୌଣସି ଖବର ନାହିଁ । ମାଫିଆମାନେ ବିଳମ୍ବିତ ରାତିରେ ଶହଶହ ଟ୍ରିପ ମାରମ ବାହାରକୁ ଚୋରା ଚାଲାଣ କରୁଛନ୍ତି । ଗତ କିଛିଦିନ ତଳେ ହାଟଡିହି ତହସିଲଦାର ଏକ ବେଆଇନି ମୋରମ ବୋଝେଇ ଏକ ହାଇୱାକୁ ଜବତ କରିଥିଲେ । ଶନି ଓ ରବିବାର ଛୁଟିର ସୁଯୋଗ ନେଇ ମାଫିଆମାନେ ମନଇଚ୍ଛା ମୋରମ ତାଡ଼ି ଚାଲାଣ କରୁଛନ୍ତି। ଏଥିରେ ପୁଲିସର ହାତଥିବା ସନ୍ଦେହ କରାଯାଉଛି। ଗତ କିଛିଦିନ ତଳେ ହାଟଡିହି ତହସିଲ ପକ୍ଷରୁ ଅତି ସତର୍କତାର ସହିତ ଏକ ମୋରମ ଖାଦାନ ଉପରେ ଚଢ଼ଉ କରାଯାଇଥିବାବେଳେ ତଥାପି ମାଫିଆମାନେ ପୂର୍ବ ସୂଚନା ପାଇ ମେସିନ, ଟ୍ରକ୍, ଟ୍ରାକ୍ଟରକୁ ଗାଏବ କରିଦେଇଥିଲେ। ତହସିଲ ପ୍ରଶାସନ ଭକୁଆ ହୋଇ ଫେରିଥିଲା । ତେଣୁ ପ୍ରଶାସନ କିପରି ଏହି ବେଆଇନି ମୋରମ ଖାଦାନକୁ ବନ୍ଦ କରିବ ସେନେଇ ସ୍ୱତନ୍ତ୍ର ଉଦ୍ୟମ କରିବାକୁ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧିତ ଖବର