ଲଘୁ ଖଣିଜ ସଂପଦ ବେଆଇନ ଖନନ ଓ ଚାଲାଣ ରୋକିବା ନିମନ୍ତେ ଡଙ୍କାରୀରେ ଫାଣ୍ଡି ଖୋଲିବ, ଫୋର୍ସ ରହିବେ

ମିଳୁନି ବଜୁରି, ମେଟାଲ୍, ଠପ୍ ହୋଇଗଲାଣି କାମ

ଭୁବନେଶ୍ବର : ଲଘୁ ଖଣିଜ ସଂପଜ ଲୁଟକୁ ଅସ୍ବୀକାର କରିନଥିଲେ ହେଁ, ରାଜ୍ୟ ସରକାର ଏ ଦିଗରେ କି କି ପଦକ୍ଷେପ ନେଇଛନ୍ତି, ସେ ସଂକ୍ରାନ୍ତ ତାଲିକା ଆଜି ଗଦା କରିଥିଲେ ସରକାରୀ ଦଳର ବିଧାୟକମାନେ। ଅନ୍ୟପକ୍ଷରେ ରାଜସ୍ବ ମନ୍ତ୍ରୀ ସୁଦାମ ମାର୍ଣ୍ଡି କହିଥିଲେ ଯେ ଏବେ ଖଣି ବନ୍ଦ ରହିଛି। ଫାଣ୍ଡି ଖୋଲାଯିବ ଓ ସେଠାରେ ଫୋର୍ସ ମୁତୟନ ହେବ। କେବଳ ସେତିକି ନୁହେଁ, ଲଘୁ ଖଣିଜ ବେଆଇନ ଖନନ ଓ ଚାଲାଣ ରୋକିବା ନିମନ୍ତେ ଗୃହ ବିଭାଗର ଅନୁମୋଦନ କ୍ରମେ ରାଜ୍ୟର ୮ଟି ଜିଲ୍ଲାର ୮ଟି ସ୍ଥାନରେ ଅତି ସମ୍ବେଦନଶୀଳ ତହସିଲ ଓ ଦୁଇଟି ସବଡିଭିଜନରେ ପ୍ରତ୍ୟେକ ଏକ ସେକ୍ସନ ଏପିଆର୍ ଫୋର୍ସ ମୁତୟନ କରାଯାଇଛି।

ଶାସକ ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲ, ଅଶ୍ବିନୀ କୁମାର ପାତ୍ର, ପ୍ରଶାନ୍ତ ମୁଦୁଲି ଓ ରାଜେନ୍ଦ୍ର ସାହୁ ଆଲୋଚନାରେ ଭାଗ ନେଇ ସରକାର କଣ ପଦକ୍ଷେପ ନେଇଛନ୍ତି ସେ ନେଇ ଗୃହକୁ ଅବଗତ କରାଇଥିଲେ। ବିଧାୟକମାନେ କହିଥିଲେ ଯେ ଆଗରୁ କେବଳ ଖଣି ନିର୍ଦେଶାଳୟ ଥିଲା। ଏବେ ରାଜ୍ୟ ସରକାର ଏହାର ଆକାର ବଢାଇଛନ୍ତି। ମାଇନ୍ସ ଆଣ୍ଡ ମିନେରାଲ୍ସ ନାମରେ ନୂଆ ନିର୍ଦେଶାଳୟ ଗଠନ କରାଯାଇଛି। କିନ୍ତୁ ସୁବର୍ଣ୍ଣରେଖା ଠାରୁ ଆରମ୍ଭକରି ବିଭିନ୍ନ ସ୍ଥାନରେ ମାଫିଆମାନେ ଆଖିବୁଜା ବାଲି ଚାଲାଣ କରୁଛନ୍ତି। ପଶ୍ଚିମବଙ୍ଗ ଯାଉଛି। ଓଲଟା ସେ ସ୍ଥାନରେ ଆମ ପୁଲିସ ବି ନିରାପଦ ନୁହେଁ। ଯେଉଁମାନଙ୍କୁ ସରକାର ଧରିଛନ୍ତି, ସେମାନଙ୍କ ମଧ୍ୟରୁ କେତେଜଣ ଜେଲଦଣ୍ଡ ପାଇଛନ୍ତି, ସେ ତଥ୍ୟ ମାଗିଥିଲେ ଶ୍ରୀ ସାମଲ। ବିଧାୟକ ରାଜେନ୍ଦ୍ର ସାହୁ କହିଥିଲେ ଯେ ଡଙ୍କାରୀରେ ଯିଏ ଚୋରି କରୁଛନ୍ତି, ସେ ବି ଖୋର୍ଧାରେ ଚୋରି କରୁଛନ୍ତି। ଇତିମଧ୍ୟରେ ସ୍ପେସାଲ ଟାସ୍କ ଫୋର୍ସ ୨୦୦ ପାଖାପାଖି ଖଣି ଚୋରକୁ ବାନ୍ଧିଲେଣି। କିନ୍ତୁ ସରକାର ଚୋରକୁ ଧରନ୍ତୁ, ହେଲେ ଖଣି ବନ୍ଦ କରନ୍ତୁ ନାହିଁ। କାରଣ ଏହା ଦ୍ବାରା ଏବେସବୁ କାମ ଠପ୍ ହୋଇଗଲାଣି। ବଜୁରି, ମେଟାଲ୍ କିଛି ବି ମିଳୁନାହିଁ। ବେଗୁନିଆ ମୁଖ୍ୟ ସଡକ ସ୍ଥିତି ସଙ୍ଗିନ୍। ବିଜୁ ପକ୍କାଘର, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସବୁ ପ୍ରଭାବିତ ହେଲାଣି। ରାସ୍ତା ନିର୍ମାଣ ବି। ସରକାର ସିଙ୍ଗିଲ୍ ଵିଣ୍ଡୋ ବ୍ୟବସ୍ଥା କରନ୍ତୁ।

ଆଲୋଚନାର ଉତ୍ତର ରଖି ମନ୍ତ୍ରୀ କହିଥିଲେ ଯେ ଜିଲ୍ଲା, ଉପଖଣ୍ଡ ଓ ତହସିଲସ୍ତରରେ ସ୍କ୍ବାଡ୍‌ ବା ଟାସ୍କ ଫୋର୍ସ ଗଠନ କରାଯାଇ ବେଆଇନ ଚାଲାଣକାରୀଙ୍କ ଉପରେ ନଜର ରଖାଯାଇଛି। ନିୟମ ଅନୁସାରେ ୫ଲକ୍ଷ ଟଙ୍କା ଯାଏ ଜରିମାନା ଆଦାୟ ସହ ସାମଗ୍ରୀ ଓ ଗାଡି ଜବତ ହେଉଛି। ୨୦୧୮-୧୯ରେ ପାଞ୍ଚ କୋଟି ଓ ୨୦୧୯-୨୦ରେ ୪ କୋଟି ୬୩ଲକ୍ଷ ୬୮ ହଜାର ଟଙ୍କା ଚୋରି ରୋକିବା ପାଇଁ ଜିଲ୍ଲାପାଳଙ୍କୁ ଦିଆଯାଇଛି। ଲଘୁଖଣିଜ ସଂପଦର ଡିଜିପିଏସ୍ ସର୍ଭେ ହେଉଛି। ସରକାର ଲଘୁ ଖଣିଜ ପଦାର୍ଥ ନିର୍ଦେଶାଳୟ ଖୋଲିଛନ୍ତି। ୧୪୪ଟି ତହସିଲରେ ଅତିରିକ୍ତ ତହସିଲଦାରଙ୍କ ନେତୃତ୍ବରେ ବେଆଇନ ଉତ୍ତୋଳନ ଓ ଚୋରା ଚାଲାଣ ବନ୍ଦ ପାଇଁ ପଦକ୍ଷେପ ନିଆଯାଉଛି। ଏବର୍ଷ ସେପ୍ଟେମ୍ବର ୩୦ ସୁଦ୍ଧା ଲଘୁ ଖଣିଜରୁ ୭୫କୋଟି ୯୮ଲକ୍ଷ ଆଦାୟ ହୋଇଛି। ଲଘୁ ଖଣିଜ ପରିଚାଳନା ପାଇଁ ଜଣେ ଡେପୁଟି କଲେକ୍ଟରଙ୍କୁ ଦାୟିତ୍ବରେ ରଖିବା ପାଇଁ ବ୍ୟବସ୍ଥା ହୋଇଛି।

ଡଙ୍କାରୀ ପାହାଡ ସଂପର୍କରେ ମନ୍ତ୍ରୀକହିଥିଲେ ଯେ ଏଠାରୁ ଖଣିଜ ପଦାର୍ଥ ଉତ୍ତୋଳନ ବନ୍ଦ ରହିଛି। ଏନଜିଟି ନିର୍ଦେଶକ୍ରମେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପ୍ରତିନିଧି, ଯାଜପୁର ଜିଲ୍ଲାପାଳ ପ୍ରମୁଖଙ୍କୁ ନେଇ ଯୁଗ୍ମ ତଦନ୍ତ କମିଟି ୨୦୧୮ ଅକ୍ଟୋବର ୫ରେ ରିପୋର୍ଟ ଦେଇଥିଲେ। ସେହି ଅନୁସାରେ ଏଠାରୁ ଖଣି ଖନନ ନେଇ ପରିବେଶ ମଞ୍ଜୁରି ରଦ୍ଦ କରାଯାଇଥିଲା। ସେହି ସ୍ଥାନକୁ ବିଜୁଳି ସଂଯୋଗ କଟାଯାଇଛି ଓ ଵେ ବ୍ରିଜ ନଷ୍ଟ କରାଯାଇଛି। ପାହାଡକୁ ସଂଯୋଗ କରୁଥିବା ୧୬ଟି ରାସ୍ତାକୁ କାଟି ଦିଆଯାଇଛି। ଯାଜପୁର ଜିଲ୍ଲାପାଳ କର୍ତବ୍ୟରେ ଅବହେଳା କରିଥିବା ରାଜସ୍ବ ନିରୀକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ବରିଷ୍ଠ ରାଜସ୍ବ ଅଧିକାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ପଦକ୍ଷେପ ନିଆଯାଉଛି। ପରିବେଶ ସୁରକ୍ଷା ଆଇନ ଉଲ୍ଲଂଘନ କରିଥିବା ଅଧିକାରୀଙ୍କ ବିରୋଧରେ କୋର୍ଟରେ ମାମଲା ରୁଜୁ ହୋଇଛି। ବେଆଇନ ଚୋରା ଚାଲାଣ ରୋକିବାକୁ ସେଠାରେ ଏକ ଫାଣ୍ଡି କରିବା ପାଇଁ ନିଷ୍ପତ୍ତି ହୋଇଛି ଓ ଗୋଟିଏ ପ୍ଲାଟୁନ୍ ପୁଲିସ ଫୋର୍ସ ସେଠାରେ ମୁତୟନ ହେବେ।

ମନ୍ତ୍ରୀ କହିଥିଲେ ଯେ ଡଙ୍କାରୀ ବ୍ଲାକ୍ ଷ୍ଟୋନ୍ ଲିଜ ନେଇଥିବା ଶିବାସ ଜେନାଙ୍କୁ ବେଆଇନ ଖଣିଜ ପଦାର୍ଥ ଉତ୍ତୋଳନ ପାଇଁ ୫୮କୋଟି ୬୨ଲକ୍ଷ ଟଙ୍କା ଦାବି ହୋଇଥିଲା। ମାତ୍ର ହାଇକୋର୍ଟ ଏହାକୁ ରଦ୍ଦ କରିଛନ୍ତି। ଏହି ବିଷୟକୁ ତହସିଲଦାର ପୁଣି ଶୁଣାଣି କରୁଛନ୍ତି। ଶ୍ରୀ ଜେନା ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ସରକାର ପରିସ୍ଥିତି ଉପରେ ନଜର ରଖିଥିବା ମନ୍ତ୍ରୀ କହିଥିଲେ।

ତେବେ ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୋଷ ପ୍ରକାଶ କରି ବିଜେପି ସଭ୍ୟ କକ୍ଷତ୍ୟାଗ କରିଥିଲେ।

ସମ୍ବନ୍ଧିତ ଖବର