ବାଲେଶ୍ବର: ଗତ ସୋମବାର (୭ ତାରିଖ) ବିଳମ୍ବିତ ରାତିରେ ବାଲେଶ୍ବର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥର ସୋରରୁ ଖନ୍ତାପଡ଼ା ମଧ୍ୟରେ ଖଣି ବିଭାଗର ୩ ଜଣ ଅଧିକାରୀଙ୍କ ଗାଡ଼ି ଉପରକୁ ପଥରମାଡ଼, ଧମକଚମକ ଓ ଆକ୍ରମଣ କରିବା ଘଟଣାକୁ ନେଇ ଖନ୍ତାପଡ଼ା ଥାନାରେ ମାମଲା ରୁଜୁ ହୋଇଛି। ପୁଲିସ ଏହି ଘଟଣାରେ ଜବତ କରିଥିବା ଏକ ମୋବାଇଲରୁ ବେଆଇନ ଖଣି କାରବାର ନେଇ ଯେଉଁ ସନ୍ଦେହପୂର୍ଣ୍ଣ ହ୍ବାଟ୍ସଆପ୍ ଗ୍ରୁପ୍ ପାଇଥିଲା, ତା’ଉପରେ ବାଲେଶ୍ବର ସାଇବର ଥାନା ପୁଲିସ ତଦନ୍ତ କରିବ ବୋଲି ଆରକ୍ଷୀ ଅଧୀକ୍ଷକ ରାଜ ପ୍ରସାଦ ସୂଚନା ଦେଇଛନ୍ତି। ସେହିପରି ଏହି ଘଟଣା ପରେ ଥାନାରେ ହୋଇଥିବା ଅଭିଯୋଗକୁ ନେଇ କୁରୁଡ଼ାସ୍ଥିତ ଖଣି ଅଧିକାରୀଙ୍କ କାର୍ଯ୍ୟାଳୟରେ କିଛି ଯୁବକ ପଶି ହୋ-ହଲ୍ଲା କରିଥିବା ବେଳେ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ବେଆଇନ କାରବାର ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛନ୍ତି।
ଉକ୍ତ ହ୍ବାଟ୍ସଆପ୍ରେ ବେଆଇନ ଖଣି କାରବାରକୁ ନେଇ ‘ସୋର’ ନାମକ ଏକ ଗ୍ରୁପ୍ କରାଯାଇଥିବା ଖନ୍ତାପଡ଼ା ଥାନା ପୁଲିସ ଜାଣିବାକୁ ପାଇଥିଲା। ଖଣି ମାଫିଆମାନେ ସେହି ଗ୍ରୁପ୍ରେ ସୋର, ବାଗୁଡ଼ି, ସିମୁଳିଆ, ବାହାନଗା, ଖଇରା, ନୀଳଗିରି, ଖନ୍ତାପଡ଼ା, ରେମୁଣା ଅଞ୍ଚଳର ବେଆଇନ ଖଣି କାରବାର ସମ୍ପର୍କିତ ସମସ୍ତ ସୂଚନା ସଦସ୍ୟମାନେ ନିୟମିତ ଦେଉଥିବା ବେଳେ ପୁଲିସ ପାଟ୍ରୋଲିଂ, ପୁଲିସର କାର୍ଯ୍ୟ, ପ୍ରାଶାସନିକ ଅଧିକାରୀଙ୍କ ଗତିବିଧି, ଖଣି ଅଧିକାରୀଙ୍କ ବିଭିନ୍ନ ଅଞ୍ଚଳକୁ ଗସ୍ତ ସମ୍ପର୍କିତ ସୂଚନା ଦିଆଯାଉଥିଲା। ଉକ୍ତ ହ୍ବାଟ୍ସଆପ୍ ଗ୍ରୁପରେ ଜିଲ୍ଲାର ବିଭିନ୍ନ ଅଞ୍ଚଳର ଯୁବକମାନଙ୍କୁ ସାମିଲ କରାଯାଇଛି। ବେଆଇନ ଖଣିରୁ ଲଘୁଖଣିଜ ଉଠିବାଠାରୁ ବିଭିନ୍ନ ଗାଡ଼ିରେ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପର୍ଯ୍ୟନ୍ତ ଯୋଜନା ପ୍ରସ୍ତୁତ କରାଯିବା ସହିତ ସମସ୍ତ ସୂଚନା ଦିଆଯାଉଛି।
ବେଆଇନ କାରବାର ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ: ଜିଲ୍ଲାପାଳ
ସାଇବର୍ ପୁଲିସ ଜରିଆରେ ମାମଲାର ତଦନ୍ତ କରାଯିବ: ଏସ୍ପି
ତେବେ ୭ ତାରିଖ ରାତି ୯ଟା ୩୦ ମିନିଟ୍ ସମୟରେ ବାଲେଶ୍ବର ଜିଲ୍ଲା ବିଭାଗରୁ ୩ ଜଣ କନିଷ୍ଠ ଅଧିକାରୀ ଖନ୍ତାପଡ଼ାଠାରେ ଏକ ପଥରବୋଝେଇ ଡମ୍ପରକୁ ଅଟକାଇଥିବା ବେଳେ ତାକୁ ସୁରକ୍ଷା ଦେବାକୁ ଆସିଥିବା ୧୦ଟି ବାଇକ୍ ଓ ଗୋଟିଏ କାର୍ରେ ୨୫ରୁ ଅଧିକ ଯୁବକ ତାଙ୍କ ଚାରିପଟେ ଘେରିଯାଇଥିଲେ। ଏହାପରେ ଗୋଡ଼ାଇ ଗୋଡ଼ାଇ ଢେଲା ଫିଙ୍ଗିବା ସହ ଜୀବନରୁ ମାରିଦେବାକୁ ଉଦ୍ୟମ କରିଥିଲେ। ତେବେ ଜିଲ୍ଲା ଖଣି ଅଧିକାରୀ ସନ୍ତୋଷୀପ୍ରଭା ସେଠୀ ଏ ସମ୍ପର୍କରେ ଖବର ପାଇ ଖନ୍ତାପଡ଼ା ଥାନା ପୁଲିସର ସହାୟତା ନେଇଥିଲେ। ପୁଲିସ ୩ ଖଣି ଅଧିକାରୀଙ୍କୁ ମାଫିଆଙ୍କ କବଳରୁ ଉଦ୍ଧାର କରିବା ସହ ମାଫିଆଙ୍କ ଗୋଷ୍ଠୀରୁ ୪ ଜଣଙ୍କୁ ଧରି ଥାନାକୁ ଆଣିଥିଲା। ସେଠାରେ ଖଣି ଅଧିକାରୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ତେବେ ଖନ୍ତାପଡ଼ା ଥାନା ପୁଲିସ ଅଟକ ରଖିଥିବା ଅଭିଯୁକ୍ତମାନଙ୍କୁ ନୋଟିସ୍ କରି ଛାଡ଼ିଦେଇଥିବା ବେଳେ ଜବତ କରିଥିବା ମୋବାଇଲ କିମ୍ବା ସେଥିରେ ହ୍ବାଟ୍ସଆପ ଗ୍ରୁପ୍ରୁ ମିଳିଥିବା ଭିଡିଓ ଉପରେ ତଦନ୍ତ କେତେବାଟ ଆଗେଇଛି ଜଣାପଡ଼ିନାହିଁ। ଏ ନେଇ ଆଇଆଇସି ପ୍ରଫୁଲ୍ଲ କୁମାର ମଲ୍ଲିକ, ଏସ୍ଡିପିଓ କିମ୍ବା ସାଇବର ଥାନା ଆଇଆଇସି କିଛି ସୂଚନା ଦେଇପାରୁନଥିବା ବେଳେ ଏସ୍ପି ରାଜପ୍ରସାଦ ବେଆଇନ ଖଣି କାରବାର ବିରୋଧରେ ପୁଲିସ ପ୍ରଶାସନ ସବୁବେଳେ କାର୍ଯ୍ୟାନୁଷ୍ଠାନ ଜାରି ରଖିଛି ବୋଲି କହିଛନ୍ତି। ମିଳିଥିବା ଉକ୍ତ ଭିଡିଓ ଉପରେ ସାଇବର ପୁଲିସ ଦ୍ବାରା ତଦନ୍ତ କରାଯିବ ବୋଲି ସେ କହିଛନ୍ତି। ସେହିପରି ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶ କହିଛନ୍ତି, ବେଆଇନ ଖଣି କାରବାରରେ ସମ୍ପୃକ୍ତ ଥିବା ବ୍ୟକ୍ତି ଏବଂ ସେମାନଙ୍କୁ ସହଯୋଗ କରୁଥିବା ଯେକୌଣସି ବ୍ୟକ୍ତିବିଶେଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/post_attachments/wp-content/uploads/2022/12/coal-mines.jpg)