ବେଆଇନ ଖଣି ପ୍ରସଙ୍ଗ: ନବୀନଙ୍କ ଦୃଷ୍ଟିକୁ ଆଣିଥିଲା ବିଜେପି

ବାବୁଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରିବାକୁ ଦାବି କରିଥିଲେ ବିରୋଧୀ ଦଳ ନେତା

ଭୁବନେଶ୍ୱର : ରାଜ୍ୟରେ ବେଆଇନ ଖଣି ଖନନ ଓ ସେଥିରେ ହୋଇଥିବା ବ୍ୟାପକ ଦୁର୍ନୀତି ଓ ଷଡ଼ଯନ୍ତ୍ର ବିଷୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାୟକ। ଏକ ପାଞ୍ଚ ପୃଷ୍ଠାର ଚିଠି ଲେଖି ସେ ଷଡ଼ଯନ୍ତ୍ରକାରୀ ଓ ଅଭିଯୁକ୍ତମାନଙ୍କ ବିରୋଧରେ ଅପରାଧିକ ମାମମଲା ଆରମ୍ଭ କରିବାକୁ ଦାବି କରିଛନ୍ତି। ଇସ୍ପାତ ଓ ଖଣି ବିଭାଗର ପୂର୍ବତନ ପ୍ରମୁଖ ସଚିବ ଆର୍‌. କେ. ଶର୍ମାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଦାବି କରିଛନ୍ତି।

ଶ୍ରୀ ନାୟକ ଚିଠିରେ ଲେଖିଛନ୍ତି ଯେ କରୋନା ମହାମାରୀ ଦ୍ବାରା ଗୁରୁତର ଭାବେ ପ୍ରଭାବିତ ହୋଇଥିବା ରାଜ୍ୟ ଅର୍ଥନୀତିରେ ସୁଧାର ଆଣିବାର କ୍ଷମତା ଖଣି କ୍ଷେତ୍ର ପାଖରେ ରହିଛି। ମାତ୍ର ଅତୀତରେ ଏହି କ୍ଷେତ୍ର ବ୍ୟାପକ ଦୁର୍ନୀତି, ଜାଲିଆତି ଓ ପ୍ରଶାସନିକ ଷଡ଼ଯନ୍ତ୍ରର ଶିକାର ହୋଇଛି। ସେଥିପାଇଁ ଓଡ଼ିଶା ବିପୁଳ ପରିମାଣର ରାଜସ୍ବ ହରାଇଛି। ରୁଙ୍ଗଟା ମାଇନ୍ସର ଜାଜଙ୍ଗ ଖଣି ଲିଜ୍‌, ସିରାଜୁଦ୍ଦିନର ବାଲ୍‌ଦା ଖଣି ଏବଂ ଆର୍ଯ୍ୟନ ମାଇନିଂ ଆଣ୍ଡ ଟ୍ରେଡିଂ କଂପାନିର ନାରାୟଣପୋଷୀ ଖଣି ପ୍ରିମିୟମ୍ ମୂଲ୍ୟରେ ନିଲାମ ହୋଇଛି। ଏହି ଖଣିଗୁଡ଼ିକର ଲିଜ୍‌କୁ କିନ୍ତୁ ୨୦୧୫ ପରଠାରୁ ସମ୍ପ୍ରସାରିତ କରି ଖଣି କାର୍ଯ୍ୟ ଚାଲୁ ରଖିବାକୁ ଅନୁମତି ଦିଆଯାଇଥିଲା। ଖଣିଗୁଡ଼ିକର ନିଲାମ ହୋଇଥିବାରୁ ସେ ବାବଦରେ ରାଜସ୍ବ ୨୦୨୦-୨୧ ଠାରୁ ମିଳିବ। ଯଦି ସେହି ସମୟରେ ଖଣିଗୁଡ଼ିକର ଠିକ୍ ଭାବେ ନିଲାମ ହୋଇଥାନ୍ତା ତେବେ ରାଜ୍ୟ ସରକାର ହଜାର ହଜାର କୋଟି ଟଙ୍କାର ରାଜସ୍ବ ପାଇଥାନ୍ତେ। ଯଦିଓ ଏମ୍‌ଏମ୍‌ଡିଆର୍‌ ନିୟମରେ ସଂଶୋଧନ ୨୦୧୫‌ରୁ ହୋଇସାରିଥିଲା, ତେଣୁ ସେହି ଅନୁସାରେ ଲିଜ୍‌ ଅବଧି ଶେ‌ଷ ହୋଇଥିବା ଖଣିଗୁଡ଼ିକର ନିଲାମ କରାଯାଇ ପାରିଥାନ୍ତା। ମାତ୍ର ତାହା ନକରି ପ୍ରଶାସନିକ ଅଧିକାରୀମାନେ ଷଡ଼ଯନ୍ତ୍ରରେ ଲିପ୍ତ ରହି ଖଣି ଲିଜ୍‌ର ଅବଧିକୁ ବଢ଼ାଇଥିଲେ। ଏହି ବେଆଇନ କାର୍ଯ୍ୟରେ ଖଣି ବିଭାଗର ପୂର୍ବତନ ପ୍ରମୁଖ ସଚିବ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ତାଙ୍କୁ ଶ୍ରୀ ନାୟକ ମୁଖ୍ୟ ଅଭିଯୁକ୍ତ ଭାବେ ବର୍ଣ୍ଣନା କରିଛନ୍ତି। ୨୦୧୫ରୁ ୨୦୨୦ ମାର୍ଚ୍ଚ ମଧ୍ୟରେ ଏହି ଖଣିଗୁଡ଼ିକ ଠାରୁ କେବଳ ଖଣି ଡିଡ୍‌ ଖର୍ଚ୍ଚ ଏବଂ ରୟାଲଟି ଆଦାୟ କରାଯାଇଥିଲା। ଯଦି ୨୦୧୫ରେ ଖଣିଗୁଡ଼ିକୁ ପ୍ରିମିୟମ୍ ମୂଲ୍ୟରେ ନିଲାମ କରାଯାଇଥାନ୍ତା ତେବେ ରାଜ୍ୟ ରାଜକୋଷକୁ ହଜାର ହଜାର କୋଟି ଟଙ୍କା ଆସିପାରିଥାନ୍ତା ବୋଲି ଶ୍ରୀ ନାୟକ କହିଛନ୍ତି।

ଶ୍ରୀ ନାୟକ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି ଯେ ସିରାଜୁଦ୍ଦିନ ପାଇଁ ୬୨୫ କୋଟି ଟଙ୍କାର ରାଜସ୍ବ ହାନି ହୋଇଥିବା ଅଭିଯୋଗରେ ୨୦୦୯ରେ ଭିଜିଲାନ୍ସ ମାମଲା ଦାୟର ହୋଇଥିଲା। ଏହି କଂପାନି ଲିଜ୍‌ ଅଞ୍ଚଳରୁ ୩୨ କୋଟି ଟଙ୍କାର ଖଣିଜ ପଦାର୍ଥ ଚୋରି କରିବା ଅଭିଯୋଗ ଥିଲା। ଏହି ସବୁ ବିଷୟ ବିଚାରକୁ ନନେଇ ସିରାଜୁଦ୍ଦିନର ବାଲ୍‌ଦା ଖଣି ଲିଜ୍‌ ଅବଧିକୁ ୨୦୧୭ ନଭେମ୍ବରରୁ ୨୦୨୦ ମାର୍ଚ୍ଚ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। ସେଥିପାଇଁ ରାଜ୍ୟ ସରକାର ପ୍ରତିବର୍ଷ ହଜାର ହଜାର କୋଟି ଟଙ୍କାର ରାଜସ୍ବ ହରାଇଛନ୍ତି। ସେହିପରୁ, ରୁଙ୍ଗଟା ମାଇନ୍ସର ଜଜାଙ୍ଗ ଖଣିର ଲିଜ୍‌ ଅବଧିକୁ ରକାର ୨୦୧୬ ନଭେମ୍ବରୁ ୨୦୨୦ ମାର୍ଚ୍ଚ ପର୍ଯ୍ୟନ୍ତ ବଢ଼ାଇଥ‌ିଲେ। ଏହି କଂପାନି ନାମରେ ମଧ୍ୟ ଭିଜିଲାନ୍ସ ମାମଲା ରହିଥିଲା। ଆର୍ଯ୍ୟନ ମାଇନ୍ସ ଆଣ୍ଡ୍‌ ଟ୍ରେଡିଂ କୋ’ର ନାରାୟଣପୋଷୀ ଖଣିର ଲିଜ୍‌ ଅବଧିକୁ ସରକାର ପିଛିଲା ଭାବେ ୨୦୦୫ ଫେବ୍ରୁଆରିରୁ ୨୦୨୦ ମାର୍ଚ୍ଚ ପର୍ଯ୍ୟନ୍ତ ବଢ଼ାଇଥିଲେ। ଶ୍ରୀ ଶର୍ମା ଖଣି ବିଭାଗର ପ୍ରମୁଖ ସଚିବ ଭାବେ କାର୍ଯ୍ୟ କରୁଥିବା‌ ବେଳେ ଏହି ବେଆଇନ କାର୍ଯ୍ୟ ହୋଇଥିଲା। ବେଆଇନ ଖଣି କାରବାର ପାଇଁ ହୋଇଥିବା ଷଡ଼ଯନ୍ତ୍ରରେ ସାମିଲ ‌ଥିବା ବାବୁମାନଙ୍କ ବିରୋଧରେ ଅପରାଧିକ ମାମଲା ଆରମ୍ଭ କରିବା ଲାଗି ଶ୍ରୀ ନାୟକ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର