ଭୁବନେଶ୍ବର: ରାଜ୍ୟରେ ବେଆଇନ ଖଣି ଖନନ ଓ ପରିବହନ ରୋକିବାକୁ ପ୍ରବର୍ତ୍ତନ ଅଭିଯାନକୁ ବ୍ୟାପକ କରିବାକୁ ସବୁ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଳାସ୍ତରୀୟ ପଦାଧିକାରୀ ଓ କର୍ମଚାରୀଙ୍କ ସହଯୋଗରେ ବେଆଇନ ବାଲି ଓ ପଥର ଖାଦାନରେ ଚଢ଼ଉ କରିବା, ଉତ୍ସ ସ୍ଥଳରେ ବେଆଇନ ଖଣି ଖନନ ଉପରେ ରୋକ୍ ଲଗାଇବା ଓ ଅଭିଯୁକ୍ତଙ୍କ ବିରୋଧରେ ଆଇନ ଅନୁଯାୟୀ ମାମଲା ରୁଜୁ କରିବେ। ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବୈଠକରେ କୁହାଯାଇଛି ଯେ ଇ-ଟ୍ରାଞ୍ଜିଟ୍ ପାସ୍ ବିନା ବେଆଇନ ଖଣିଜ ପଦାର୍ଥ ପରିବହନ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଉପଖଣ୍ଡସ୍ତରୀୟ ଟିମ୍, ରାଜସ୍ବ, ଖଣି, ପୁଲିସ ଓ ଅନ୍ୟାନ୍ୟ ଅଧିକାରୀଙ୍କୁ ନେଇ ଗଠିତ ତହସିଲସ୍ତରୀୟ ଟିମ୍ ପ୍ରବର୍ତ୍ତନ କାର୍ଯ୍ୟ କରିବେ। ଜିଲ୍ଲାପାଳମାନେ ବାଲି, କଳାପଥର ଆଦିର ନୂତନ ଉତ୍ସଗୁଡ଼ିକର ସର୍ଭେ କରିବେ। ପ୍ରତ୍ୟେକ ଜିଲ୍ଲାକୁ ସେମାନଙ୍କର ବର୍ତ୍ତମାନର ଉତ୍ସର ୧୫୦ଗୁଣ ନୂତନ ଉତ୍ସ ଚିହ୍ନଟ କରିବାକୁ ପରାମର୍ଶ ଦିଆଯାଇଛି।
ବାଲି, କଳାପଥରର ନୂତନ ଉତ୍ସ ଚିହ୍ନଟ କରିବେ ଜିଲ୍ଲାପାଳ
ଗତବର୍ଷ ନଭେମ୍ବର-ଡିସେମ୍ବରରେ ଭୁବନେଶ୍ବରରେ ଅନୁଷ୍ଠିତ ୫୯ତମ ଡିଜିପି-ଆଇଜିପି ସମ୍ମିଳନୀରେ ପ୍ରସ୍ତାବିତ ୧୦୮ଟି ବିଭିନ୍ନ ପ୍ରସ୍ତାବର କାର୍ଯ୍ୟକାରିତା ସଂପର୍କରେ ବିସ୍ତୃତଭାବେ ଆଲୋଚନା ହୋଇଥିଲା। ବିକଶିତ ଓଡ଼ିଶାର ବିଭିନ୍ନ କାର୍ଯ୍ୟକ୍ରମ, ଅର୍ଥନୈତିକ ସର୍ଭେ ୨୦୨୪-୨୫ ବିବରଣୀ, କେନ୍ଦ୍ରୀୟ ଯୋଜନାର କାର୍ଯ୍ୟକାରିତା ତଥା ରାଜ୍ୟ ସମୃଦ୍ଧି ପାଇଁ ପ୍ରଶାସନିକ ବ୍ୟବସ୍ଥା, ଉଦ୍ୟୋଗ, ନିଯୁକ୍ତି ଓ ଦକ୍ଷତାକୁ ପ୍ରୋତ୍ସାହିତ କରିବା ଉପରେ ଗୁରୁତ୍ବ ଦିଆଯାଇଥିଲା। ‘ମିସନ କର୍ମଯୋଗୀ’ ଅଧୀନରେ ଆଇ-ଜିଓଟି ପ୍ଲାଟଫର୍ମରେ କର୍ମଚାରୀଙ୍କ ପ୍ରଶିକ୍ଷଣ ଅଗ୍ରଗତି ସଂପର୍କରେ ମଧ୍ୟ ଆଲୋଚନା ହୋଇଛି।
ସେହିପରି ରାଜ୍ୟରେ ନୂତନ ଅାପରାଧିକ ଆଇନର କାର୍ଯ୍ୟକାରିତା ସଂପର୍କରେ ମଧ୍ୟ ଆଲୋଚନା ହୋଇଥିଲା। ରାଜ୍ୟରେ ୨ହଜାର ଟ୍ରାଫିକ କର୍ମଚାରୀ ପଦବି ସୃଷ୍ଟି, ନାଗରିକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ୨୦ଟି ନୂଆ ସାଇବର ଥାନା ଗଠନ ଓ ବର୍ତ୍ତମାନର ୧୪ଟି ସାଇବର ଥାନାର ଉନ୍ନତୀକରଣ ହେବ। ମାଓବାଦୀ କାର୍ଯ୍ୟକଳାପକୁ ପ୍ରତିହତ କରିବା ଓ ସମ୍ଭାବ୍ୟ ଅନୁପ୍ରବେଶ ରୋକିବା ପାଇଁ ସଂପୃକ୍ତ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କୁ ଆଧୁନିକ ଜ୍ଞାନ କୌଶଳ ଓ ବୁଦ୍ଧିମତ୍ତାର ପ୍ରୟୋଗ କରିବାକୁ ପରାମର୍ଶ ଦିଆଯାଇଛି। ଗଞ୍ଜେଇ ଚୋରା ଚାଲାଣ ବିରୋଧରେ କାର୍ଯ୍ୟାନୁଷ୍ଠାନ ସମେତ ବ୍ୟାପକ ଗଞ୍ଜେଇ ଚାଷ ନଷ୍ଟ ସହ ପ୍ରଶାସନ ଓ ଅନ୍ୟ ନିର୍ବାଚିତ ପ୍ରତିନିଧିଙ୍କ ମିଳିତ ଉଦ୍ୟମରେ ଜନସାଧାରଣଙ୍କ ଭିତରେ ସଚେତନତା ସୃଷ୍ଟି ଉପରେ ଗୁରୁତ୍ବ ଦିଆଯାଇଛି।
ବୈଠକରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର, ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ୱାଇବି ଖୁରାନିଆ, ସୂଚନା ଓ ଲୋକସଂପର୍କ ବିଭାଗର ପ୍ରମୁଖ ସଚିବ ସଞ୍ଜୟ କୁମାର ସିଂହ, ଆଇନ ବିଭାଗର ପ୍ରମୁଖ ସଚିବ ମାନସ ରଂଜନ ବାରିକ, ପଞ୍ଚାୟତିରାଜ ବିଭାଗର ସ୍ବତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ଜ୍ୟୋତିପ୍ରକାଶ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ସମେତ ବିଭିନ୍ନ ରେଞ୍ଜ୍ର ଆଇଜି ଓ ଡିଆଇଜିମାନେ ଆଭାସୀ ଜରିଆରେ ବୈଠକରେ ଯୋଗ ଦେଇଥିଲେ।