ଖଣ୍ଡାଧାର ଜଳପ୍ରପାତରେ ବେଆଇନ ଚାନ୍ଦା ଆଦାୟ, ଜଣେ ଅଟକ

ବାଂଶପାଳ : ବାଂଶପାଳ ବ୍ଲକ ତଳ କାଦକଳା ପଞ୍ଚାୟତରେ ଅବସ୍ଥିତ ପ୍ରସିଦ୍ଧ ଖଣ୍ଡାଧାର ଜଳପ୍ରପାତରେ କିଛି ଅସମାଜିକ ଯୁବକ ପର୍ଯ୍ୟଟକମାନଙ୍କଠାରୁ ବେଆଇନ ଭାବରେ ଚାନ୍ଦା ଆଦାୟ କରୁଥିବା ଅଭିଯୋଗରେ ପୁଲିସ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

ପଞ୍ଚାୟତ କାର୍ଯ୍ୟାଳୟଠାରୁ ଅନୁମତି ମିଳିଛି କହି କେତେକ ଯୁୁବକ ବେଆଇନ ଭାବରେ ଶହଶହ ଟଙ୍କା ଚାନ୍ଦା ଆଦାୟ କରୁଛନ୍ତି। ଜଳପ୍ରପାତରେ ପ୍ରଶାସନ ତରଫରୁ ସେପରି କୌଣସି କଟକଣା କିମ୍ୱା ନିୟମ ନଥିଲେ ମଧ୍ୟ ଜଳପ୍ରପାତ ନିକଟକୁ ଗଲେ ବାହାରେ ଚପଲ ଖୋଲିବା ପାଇଁ ବାଧ୍ୟ କରାଯାଉଛି। ଲୋକ ପିଛା ଏବଂ ଚପଲ ପିଛା ୧୦ ଟଙ୍କା ଆଦାୟ କରାଯାଉଛି। ଏପରିକି ଗାଳିଗୁଲଜ କରିବା ସହିତ ଦୁର୍ବ୍ୟବହାର କରାଯାଉଥିବା ଅଭିଯୋଗ ହେଉଛି। ବର୍ଷ ତମାମ ବେଆଇନ ଚାନ୍ଦା ଆଦାୟ କରାଯାଉଥିଲେ ମଧ୍ୟ ବ୍ଲକ ପ୍ରଶାସନ, ପର୍ଯ୍ୟଟନ ବିଭାଗ, ସ୍ଥାନୀୟ ପୁଲିସ ଦୃଷ୍ଟି ଦେଉ ନ ଥିବା ଅଭିଯୋଗ ହେଉଛି। ଆଜି ଜଳପ୍ରପାତକୁ ବୁଲିବାକୁ ଆସିଥିବା କିଛି ପର୍ଯ୍ୟଟକଙ୍କଠାରରୁ ଚାନ୍ଦା ଆଦାୟ କରିବା ଅଭିଯୋଗରେ ପୁଲିସ ଜଣେ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି। ଖବର ପାଇ ଏଏସଆଇ ସୁଶାନ୍ତ ସେଠୀ ଘଟଣାସ୍ଥଳରେ ପହଞ୍ଚି ଚାନ୍ଦା ଆଦାୟ କରୁଥିବା ଯୁବକଙ୍କୁ କାବୁ କରି ଥାନାରେ ଅଟକ ରଖିଛନ୍ତି।

ସମ୍ବନ୍ଧିତ ଖବର