କୋରାପୁଟ : ଧରାପଡ଼ିଲା ବେଆଇନ ଟଙ୍କା ଚାଲାଣ, ସ୍କର୍ପିଓରୁ ଅଧା କୋଟିରୁ ଅଧିକ ଜବତ, ୨ ଜଣଙ୍କୁ ଅଟକ ରଖି ପୁଲିସ ତନାଘନା

କୋରାପୁଟ/ଲମତାପୁଟ : ବେଆଇନ ଭାବେ ଅଧ‌ା କୋଟିରୁ ଅଧିକ ଟଙ୍କା ଚୋରା ଚାଲାଣ ବେଳେ ବିଏସଏଫ ହାବୁଡ଼ରେ ପଡ଼ିଛି। କୋରାପୁଟ ଜିଲ୍ଲା ଲମତାପୁଟ ସ୍ଥିତ ୧୫ ବାଟାଲିଅନ ବିଏସଏଫ ଯବାନମାନେ ମୋଟରଯାନ ଯାଂଚ ସମୟରେ ଗୋଟିଏ ଟଙ୍କା ଭର୍ତି ସ୍କର୍ପିଓ ଗାଡ଼ି ଜବତ କରିଛନ୍ତି। ଟଙ୍କା ନେଇ ଯାଉଥିବା ୨ଜଣକୁ ବିଏସ୍‌ଏଫ୍‌ ଅଟକ ରଖି ମାଛକୁଣ୍ଡ ପୁଲିସକୁ ହସ୍ତାନ୍ତର କରିଛି। ଏମାନଙ୍କ ଘର ଆନ୍ଧ୍ରରେ ହୋଇଥିଲା ବେଳେ ସେମାନଙ୍କ ପାଖରୁ ୫୧ଲକ୍ଷ ୧୬ ହଜାର ୬୫୦ ଟଙ୍କା ଜବତ କରାଯାଇଛି। ତେବେ ଏହି ଟଙ୍କା କୁଆଡ଼େ ଯାଉଥିଲା, ତାହା ସ୍ପଷ୍ଟ ହୋଇନି।

ଓଡ଼ିଶା-ଆନ୍ଧ୍ର ସୀମାନ୍ତ କୋରାପୁଟ ଜିଲ୍ଲା ଲମତାପୁଟରେ ନିୟୋଜିତ ଥିବା ୧୫ ବାଟାଲିଅନ ବିଏସଏଫ ଯବାନମାନେ ଲମତାପୁଟ ନିକଟ କଡ୍ରିମାଳିପୁଟ ନିକଟରେ ଯାନବାହନ ଯାଂଚ କରୁଥିଲେ। ଅପରାହ୍ନରେ ଜୟପୁର ପଟୁ ଗୋଟିଏ ସ୍କର୍ପିଓ ଗାଡ଼ି (ଓଡି-୧୦-ବି-୧୪୩) ଦ୍ରୁତ ଗତିରେ ଆସିଥିଲା। ଏହାକୁ ଦେଖି ସନ୍ଦେହ ହେବାରୁ ଯବାନମାନେ ଗାଡ଼ିକୁ ଅଟକାଇ ଯାଂଚ କରିଥିଲେ। ଗାଡ଼ି ଯାଂଚ ସମୟରେ ସେଥିରେ ଟଙ୍କା ଭର୍ତ୍ତି ହୋଇ ରହିଥିଲା। ପରେ ଏଥିନେଇ ଲମତାପୁଟ ପୁଲିସକୁ ଖବର ଦିଆଯାଇଥିଲା। ଖବର ପାଇଁ ଲମତାପୁଟ ପୁଲିସ ଘଟଣାସ୍ଥଳରେ ପହଂଚି ଗାଡ଼ି ସହ ଟଙ୍କା ଏବଂ ୨ଜଣକୁ ଅଟକ ରଖି ଅଧିକ ପଚରା ଉଚରା କରିଥିଲେ। ଏମାନେ ହେଲେ ବିଶାଖପାଟଣା ଜିଲ୍ଲା ମୁଚିମପୁଟ ବ୍ଲକ ଅନ୍ତର୍ଗତ ଗତରମୁଣ୍ଡା ଗାଁର ଭଗବାନ ହନ୍ତାଳ (୨୬) ଓ ବିଜୟ ଖେମୁଣ୍ଡୁ(୨୭)। ପରେ ବିଏସଏଫ ଯବାନମାନେ ୨ଜଣଙ୍କୁ ଜୟପୁର ନେଇଯାଇଥିଲେ। ଏହି ଟଙ୍କା ନବରଙ୍ଗପୁରରୁ ଆନ୍ଧ୍ରପ୍ରଦେଶର ବିଶାଖପାଟଣା ଜିଲ୍ଲା ମୁଚିମପୁଟ ବ୍ଲକ ଅନ୍ତର୍ଗତ ଗତରମୁଣ୍ଡା ଗାଁକୁ ଯାଉଥିବା ସେମାନେ କହିଥିଲେ। ଲମତାପୁଟ-ମାଛକୁଣ୍ଡ ପୁଲିସ ଓ ବିଏସଫର ଉପସ୍ଥିତିରେ ଜବତ ଟଙ୍କା ଗଣତି କରାଯାଇଥିଲା। ଏଥିରେ ୫୧ଲକ୍ଷ ୧୬ ହଜାର ୬୫୦ ଟଙ୍କା ରହିଥିବା ଜଣାପଡିଥିଲା। ତେବେ ଏକକାଳୀନ ଏତେ ଟଙ୍କା କୁଆଡ଼େ ଓ କାହିଁକି ଯାଉଥିଲା ସେଥିନେଇ କିଛି ସ୍ପଷ୍ଟ ସୂଚନା ମିଳି ପାରିନାହିଁ। ଏନେଇ ନନ୍ଦପୁର ଏସଡିପିଓ ତପନ କୁମାର ମହାନନ୍ଦକୁ ପଚାରିବାରୁ ସେ କହିଛନ୍ତି ଯେ, ଏହି ଟଙ୍କା କୁଆଡ଼େ ଓ କଣ ପାଇଁ ଯାଉଥିଲା, ତାହାର ତଦନ୍ତ ଚାଲିଛି। ଅତିରିକ୍ତ ଏସପି ଉତ୍କଳ ରଂଜନ ଦାସ କହିଛନ୍ତି, ଗଂଜେଇ କାରବାର ପାଇଁ ଏହି ଟଙ୍କା ଯାଉଥିବା ପ୍ରାଥମିକ ତଦନ୍ତରୁ ସନ୍ଦେହ କରାଯାଉଛି। ତେବେ ତଦନ୍ତର ସବୁ ଦିଗ ଖୋଲା ରହିଥିବା ସେ କହିଛନ୍ତି।

ସମ୍ବନ୍ଧିତ ଖବର