ବ୍ରହ୍ମପୁର/ଛତ୍ରପୁର : ଏସିଆ ମହାଦେଶର ବୃହତ୍ତମ ହ୍ରଦ ଚିଲିକା ଏବେ ଅଣନିଃଶ୍ବାସୀ। ଗୋଟିଏ ପଟେ ପଟୁ ଓ ଆବର୍ଜନାରେ ଚିଲିକା ପୋତି ହୋଇ ଚାଲିଥିବାରୁ ଏହାର ଆୟତନ କମିବାରେ ଲାଗିଛି। ଅନ୍ୟପଟେ ଜଳରାଶିରେ ବାଉଁଶ ଓ ଜାଲର ଅସଂଖ୍ୟ ଚିଙ୍ଗୁଡ଼ି ଘେରି ଓ ହଜାର ହଜାର ହେକ୍ଟର ମାଟିବନ୍ଧ ଘେରି ରହିଛି। ଏହି ଘେରି ଯୋଗୁଁ ଚିଲିକା ପୋତି ହୋଇପଡ଼ିବା ସାଙ୍ଗକୁ ଚିଙ୍ଗୁଡ଼ି ଚାଷରେ ରାସାୟନିକ ସାମଗ୍ରୀ ବ୍ୟବହାର ଯୋଗୁଁ ଦୂଷିତ ହୋଇ ଏହାର ଜୈବବିବଧତା ନଷ୍ଟ ହେବାରେ ଲାଗିଛି।  ଚିଲିକା ମଧ୍ୟରେ ଥିବା ହଜାର ହଜାର ଘେରିକୁ ନେଇ ଓଡ଼ିଶା ଉଚ୍ଚ ନ୍ୟାୟାଳୟ(ହାଇକୋର୍ଟ) ବାରମ୍ବାର ଉଦ୍‌ବେଗ ପ୍ରକାଶ କଲେଣି। ଶେଷରେ ଚିଲିକାର ଗଞ୍ଜାମ ଜିଲ୍ଲା ଇଲାକାରେ ଥିବା ଘେରି ଉଚ୍ଛେଦ ଲାଗି ଅଣ୍ଟା ଭିଡ଼ିଛି ଜିଲ୍ଲା ପ୍ରଶାସନ। ପ୍ରଶାସନ ପକ୍ଷରୁ ଛତ୍ରପୁର ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ଟାସ୍କଫୋର୍ସ ଗଠନ ହୋଇଛି। ଆଜି ଟାସ୍କ୍‌ଫୋର୍ସର ପ୍ରଥମ ବୈଠକ ବସି ଏପ୍ରିଲ ଓ ମେ ଦୁଇ ମାସ ମଧ୍ୟରେ ଚିଲିକା ଭିତରେ ସବୁ ଚିଙ୍ଗୁଡ଼ି ଘେରି ଉଚ୍ଛେଦ ଶେଷ କରିବା ଲାଗି ବ୍ଲୁ-ପ୍ରିଣ୍ଟ୍‌ ପ୍ରସ୍ତୁତ ହୋଇଛି।
Advertisment

publive-image Wikimedia Commons

ମିଳିଥିବ ସୂଚନା ଅନୁଯାୟୀ, ଗଞ୍ଜାମ, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାକୁ ଚିଲିକା ପରିବ୍ୟାପ୍ତ। ପୂର୍ବରୁ ଏହାର ଆୟତନ ୧୧୬୫ ବର୍ଗ କିଲୋମିଟର ଥିଲା। କ୍ରମେ ସଙ୍କୁଚିତ ହୋଇ ଏବେ ୧୦୯୧.୧୦ ବର୍ଗ କିମି ରହିଛି। ଏଥିରୁ ଗଞ୍ଜାମ ଜିଲ୍ଲାରେ ପରିସୀମାରେ ୭୪.୩୩ ବର୍ଗକିମି, ଖୋର୍ଦ୍ଧା ଜିଲ୍ଲାରେ ୭୨.୯୯ ବର୍ଗକିମି ଏବ˚ ପୁରୀ ଜିଲ୍ଲାରେ ୮୮୪.୫୬ ବର୍ଗକିମି ଆସୁଛି। ଚିଲିକାରେ ୫୨ଟି ଛୋଟବଡ଼ ନଦୀ ମିଶିଛି। ନଦୀ ଗୁଡ଼ିକର ଜଳ ଚିଲିକାରେ ମିଶିଥାଏ। ଗ୍ରୀଷ୍ମ ଋତୁରେ ଚିଲିକାର ପରିସୀମା କମୁଥିବା ବେଳେ ବର୍ଷା ଋତୁ ପାଣି ଆସିଲେ ଏହାର ପରିସୀମା ବୃଦ୍ଧି ପାଇଥାଏ। ଗ୍ରୀଷ୍ମରେ ଏହା ୯୦୬ ବର୍ଗ କିମି ଏବ˚ ବର୍ଷା ଦିନରେ ୧୧ଶହ ୬୫ ବର୍ଗ କିମି ପର୍ଯ୍ୟନ୍ତ ବ୍ୟାପ୍ତ ହୋଇଥାଏ। ଛୋଟବଡ଼ ନଦୀ ଗୁଡ଼ିକରେ ମାଟିଗୁଡ଼ି, ପଟୁ ଆସି ଚିଲିକା ପୋତି ହେବାରେ ଲାଗିଛି।

publive-image tripoto.com

ଚିଲିକା ଉପକୂଳରେ ୩ଟି ଜିଲ୍ଲାରେ ୧୫୪୧ଟି ଗ୍ରାମ ରହିଛି। ଚିଲିକା ଠାରୁ ୨କିମି ଦୂରତା ମଧ୍ୟରେ ୪୨୫ଟି ଗାଁ ରହିଛି। ଚିଲିକା ଉପକୂଳ ଗ୍ରାମଗୁଡ଼ିକରେ ବସବାସ କରୁଥିବା ୨ଲକ୍ଷରୁ ଅଧିକ ଲୋକଙ୍କ ଜୀବନଜୀବିକା ଚିଲିକା। ତେବେ ଚିଲିକା ପାଇଁ ସବୁଠାରୁ ବଡ଼ ବିପଦ ସାଜିଛି ଚିଙ୍ଗୁଡ଼ି ଘେରି। ଚିଲିକାରେ ଦୁଇ ପ୍ରକାର ଘେରି ଦେଖାଯାଏ। ଚିଲିକା ମଧ୍ୟରେ ଜାଲ ଓ ବାଉଁଶ ଘେରି ତିଆରି କରି ଚିଙ୍ଗୁଡ଼ି ଚାଷ ହୋଇଥାଏ। ଚିଲିକା ଓ କୂଳବର୍ତ୍ତୀ ଇଲାକାରେ ମାଟିବନ୍ଧ ଘେରି କରି ଚିଙ୍ଗୁଡ଼ି ଚାଷ ହୋଇଥାଏ। ଏହି ବେଆଇନ୍‌ ଚିଙ୍ଗୁଡ଼ି ଘେରି ଯୋଗୁଁ ଚିଲିକା ସମ୍ପୂର୍ଣ୍ଣ ଅବରୋଧ ହେବା ସହ ପରିବେଶଗତ ସଙ୍କଟ ସୃଷ୍ଟି ହେଉଛି। ଚିଲିକା ଭିତରେ ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଏବେ ବି ୯୩୬୪ ହେକ୍ଟର ଇଲାକାରେ ମାଟିବନ୍ଧ ଘେରି ଥିବା ଜଣାପଡ଼ିଛି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା, ଏବେ ବି ଚିଲିକା ଭିତରେ ବାଉଁଶ ଓ ଜାଲ ଘେରି ମାଳ ମାଳ ରହିଛି। ବିଶେଷ କରି ଲକ୍‌ଡାଉନ୍‌ ସମୟରେ ଘେରି ସଂଖ୍ୟା ବୃଦ୍ଧି ପାଇଛି। ଚିଲିକା ଭିତରେ ଥିବା ଜାଲ ଓ ବାଉଁଶ ଘେରି ଉଚ୍ଛେଦ ଲାଗି ଗଞ୍ଜାମ ଜିଲ୍ଲା ପ୍ରଶାସନ ଅଣ୍ଟା ଭିଡ଼ିଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଛତ୍ରପୁର ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗଠିତ ଟାସ୍କ୍‌ଫୋର୍ସରେ ଗଞ୍ଜାମ ଓ ଖଲ୍ଲିକୋଟ ତହସିଲଦାର, ଜିଲ୍ଲା ମତ୍ସ୍ୟ ଅଧିକାରୀ, ଚିଲିକା ବନ୍ୟପ୍ରାଣୀ ଡିଭିଜନ୍‌ ଅଧୀନ ରମ୍ଭା ରେଞ୍ଜର୍‌, ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ପ୍ରତିନିଧି ଓ ଛତ୍ରପୁର ଏସ୍‌ଡିପିଓ ସଦସ୍ୟ ରହିଛନ୍ତି।
ଗୁରୁବାର ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଟାସ୍କ୍‌ଫୋର୍ସର ବୈଠକ ବସିଥିଲା। ଚିଲିକାର ଗଞ୍ଜାମ ଜିଲ୍ଲା ଇଲାକାରେ ୧୭୨୬ ଏକରରେ ଚିଙ୍ଗୁଡ଼ି ଘେରି ଥିଲା। ଜିଲ୍ଲା ପ୍ରଶାସନ ଓ ସିଡିଏର ମିଳିତ ଅଭିଯାନରେ ୧୪୬୦ ଏକର ଇଲକାରୁ ଘେରି ଉଚ୍ଛେଦ ସରିଛି। ବାକି ୨୬୬ ଏକର ଇଲାକାରୁ ଘେରି ଉଚ୍ଛେଦ ଲାଗି ନିଷ୍ପତ୍ତି ହୋଇଛି। ଟାସ୍କ୍‌ଫୋର୍ସ ପକ୍ଷରୁ ପ୍ରଥମେ ଘେରି କେତେ ଇଲାକରେ ଅଛି ଅନୁଧ୍ୟାନ ହେବ। ଏହାପରେ ଉଚ୍ଛେଦ ଲାଗି ପଦକ୍ଷେପ ନିଆଯିବ। ଏପ୍ରିଲ ପ୍ରଥମ ସପ୍ତାହରୁ ଘେରି ଉଚ୍ଛେଦ ଆରମ୍ଭ ହୋଇ ମେ ମାସ ମଧ୍ୟରେ ଶେଷ କରିବା ଲାଗି ବୈଠକରେ ସ୍ଥିର ହୋଇଛି। ବୈଠକରେ ଗଞ୍ଜାମ ତହସିଲଦାର ଅରୁଣ କୁମାର ନାୟକ, ଖଲ୍ଲିକୋଟ ତହସିଲଦାର ରାଜକିଶୋର ପଟ୍ଟନାୟକ, ଛତ୍ରପୁର ଏସ୍‌ଡିପିଓ ଗୌତମ କିଷାନ୍‌, ଆସି‌ଷ୍ଟାଣ୍ଟ୍‌ କଲେକ୍ଟର ଅଶୋକ କୁମାର ପ୍ରଧାନ, ଜିଲ୍ଲା ମତ୍ସ୍ୟ ଅଧିକାରୀ ପ୍ରମୋଦ କୁମାର ରାଉତରାୟ, ରମ୍ଭା ରେଞ୍ଜର୍‌ ରଶ୍ମିତା ଜେନା ଓ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ବରିଷ୍ଠ ରାଜସ୍ବ ସହକାରୀ ଅଖିଳ କୁମାର ସାବତ ଉପସ୍ଥିତ ଥିଲେ।