ବେଆଇନ ଭାବରେ ଚାଲିଛି ପବ୍ଲିକ୍‌ ସ୍କୁଲ: ସରକାର ପ୍ରକାଶ କଲେ ତାଲିକା

ଭୁବନେଶ୍ୱର : ସରକାରଙ୍କ ଠାରୁ ଉପଯୁକ୍ତ ଏନ୍‌ଓସି ନ ନେଇ ବେଆଇନ ଭାବରେ ଚାଲିଛି ପବ୍ଲିକ୍‌ ସ୍କୁଲ। ବାରମ୍ବାର ତାଗିଦ୍‌ ସତ୍ବେ ଏହି ପବ୍ଲିକ୍‌ ସ୍କୁଲର କର୍ତ୍ତୃପକ୍ଷ କର୍ଣ୍ଣପାତ ନ କରିବାରୁ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ସରକାର। ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଏକ ସ୍ବତନ୍ତ୍ର ବିଜ୍ଞପ୍ତି ଜରିଆରେ ରାଜ୍ୟରେ ଥିବା ସମସ୍ତ ଏନ୍‌ଓସି ପ୍ରାପ୍ତ ପବ୍ଲିକ୍‌ ସ୍କୁଲର ତାଲିକା ପ୍ରକାଶ କରିଛନ୍ତି। କେବଳ ତାଲିକା ପ୍ରକାଶ କରିନାହାନ୍ତି ବରଂ ସ୍ବୀକୃତି ପାଇନଥିବା ବେଆଇନ ସ୍କୁଲଗୁଡ଼ିକରେ ନିଜ ନିଜ ପିଲାଙ୍କୁ ନାମ ଲେଖାଇ ହଇରାଣରେ ନ ପଡ଼ିବାକୁ ପରାମର୍ଶ ଦେଇଛନ୍ତି। ଏହି ତାଲିକା ପ୍ରକାଶ ପାଇବା ପରେ ଅଭିଭାବକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି। ନିଜ ପିଲା ପଢ଼ୁଥିବା ସ୍କୁଲକୁ ତାଲିକାରେ ନ ପାଇ କେତେକ ଅଭିଭାବକ ଛାନିଆଁ ହୋଇଛନ୍ତି। ସରକାରୀ ସ୍ବୀକୃତିପ୍ରାପ୍ତ ତାଲିକା ମୁତାବକ କେନ୍ଦ୍ରପଡ଼ା, ଢେଙ୍କାନାଳରେ ଗୋଟିଏ ଲେଖାଏଁ ସର୍ବନିମ୍ନ ରହିଥିବା ବେଳେ ଖୋର୍ଦ୍ଧାରେ ସର୍ବାଧିକ ୪୮ଟି ରହିଛି। ସେହିଭଳି ଅନୁଗୁଳ ଜିଲ୍ଲା‌ରେ ୯ଟି ପବ୍ଲିକ ସ୍କୁଲ ଥିବା ବେଳେ ବାଲେଶ୍ବରରେ ୯ଟି, ଭଦ୍ରକରେ ୬ଟି, ବଲାଙ୍ଗୀରରେ ୧୦ଟି, ବରଗଡ଼ରେ ୧୧ଟି, କଟକରେ ୨୫ଟି, ଗଞ୍ଜାମରେ ୨୮ଟି, ଜଗତସିଂହପୁରରେ ୩ଟି, ଯାଜପୁରରେ ୯ଟି, ଝାରସୁଗୁଡ଼ାରେ ୧୦ଟି, କଳାହାଣ୍ଡିରେ ୭ଟି, କେଉଁଝରରେ ୮ଟି, କୋରାପୁଟରେ ୧୦ଟି, କନ୍ଧମାଳରେ ୪ଟି, ମୟୂରଭଞ୍ଜରେ ୧୦ଟି, ମାଲାକାନାଗିରିରେ ୨ଟି, ରାୟଗଡ଼ାରେ ୧୦ଟି, ନୟାଗଡ଼ରେ ୨ଟି, ନୂଆପଡ଼ାରେ ୪ଟି, ପୁରୀରେ ୧୧ଟି, ସମ୍ବଲପୁରରେ ୧୨ଟି, ସୁନ୍ଦରଗଡ଼ରେ ୩୪ଟି, ସୁବର୍ଣ୍ଣପୁରରେ ଗୋଟିଏ ରହିଛି।

ସମ୍ବନ୍ଧିତ ଖବର