ଧନିଆ ପାହାଡ଼ରୁ ବେଧଡ଼କ ମୋରମ, ମାଙ୍କଡ଼ା ଲୁଟ

ଛତିଆ : ପରିବେଶକୁ ସବୁଜମୟ କରିବା ପାଇଁ ଜଙ୍ଗଲ ବିଭାଗ ପକ୍ଷରୁ କୋଟିକୋଟି ଟଙ୍କା ବିନିଯୋଗ କରାଯାଉଛି। କିନ୍ତୁ କେତେକ ଅସାଧୁ ଅଧିକାରୀଙ୍କ ପାଇଁ ଜଙ୍ଗଲ କ୍ଷୟ ହେଉଛି। ମାଫିଆମାନେ ବେଧଡ଼କ ଭାବେ ଜଙ୍ଗଲରୁ ଗଛ କାଟି ମୋରମ ଓ ମାଙ୍କଡ଼ା ଚାଲାଣ କରୁଛନ୍ତି।  ଯାହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଯାଜପୁର ଜିଲା ବୈରୀ–ଡାଳିଯୋଡା ବନଖଣ୍ତରେ।

ବୈରୀ-ଡାଳିଯୋଡା ବନଖଣ୍ତ ରେଞ୍ଜ ଅଧୀନରେ ଯାଜପୁର ଜିଲା ବଡଚଣା ବ୍ଲକର ଚଣ୍ତିଖୋଲ, ବୈରୀ ଦୁଇଟି ବନ ଉପଖଣ୍ତ କାର୍ଯ୍ୟାଳୟ ସହିତ ଦୁଇଦୁଇ ଜଣ ବନଖଣ୍ତ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି। ସାଧାରଣତଃ ଦେଖିବାକୁ ଗଲେ ଏହି ବ୍ଲକର ପଶ୍ଚିମା‌ଞ୍ଚଳ ଅଧିକ ପାର୍ବତ୍ୟ ଅ‌ଞ୍ଚଳ ହୋଇଥିବାରୁ ସେଠାରେ ରେଞ୍ଜ କାର୍ଯ୍ୟାଳୟ ସହିତ ଏକ ଉପଖଣ୍ତ କାର୍ଯ୍ୟାଳୟ ଗଠନ କରାଯାଇଛି। ଦୁଇଦୁଇ ଜଣ ସରକାରୀ ବାବୁଙ୍କୁ ଥଇଥାନ କରାଯାଇଥିଲେ ମଧ୍ୟ ସେଠାକାର ଜଙ୍ଗଲ ଏବେ ଧ୍ବଂସାଭିମୁଖି ହେବାକୁ ବସିଲାଣି। ବୈରୀ ଉପଖଣ୍ତ ଅଧୀନରେ ଥିବା ଧନିଆ, ନଳିଦା ଓ ଢାମଣାତଳି ପାହାଡ ସହ ବିସ୍ତୀର୍ଣ୍ଣ ଜଙ୍ଗଲ ରହିଛି। ଏହି ଜଙ୍ଗଲ ଜମିରୁ ମୋରମ ଓ ମାଙ୍କଡା ପଥର ମାଫିଆମାନେ କେତେକ ଅସାଧୁ ଅଧିକାରୀଙ୍କୁ ହାତକରି ଜଙ୍ଗଲ ନଷ୍ଟ କରୁଛନ୍ତି। ମାଙ୍କଡା ମାଫିଆ ଜେସିବି ମେସିନ ଦ୍ବାରା ଜଙ୍ଗଲ ସଫା କରି ବେଧଡ଼କ ମୋରମ ଉତ୍ତୋଳନ ପରେ ମାଙ୍କଡା କାଟି ବିଭିନ୍ନ ସ୍ଥାନକୁ ଚାଲାଣ କରୁଛନ୍ତି।  ବିଭାଗ ପକ୍ଷରୁ ଲୋକ ଦେଖାଣିଆ ଭାବେ କାଁ ଭାଁ ସ୍ଥାନରେ ଚଢଉ କରି ବର୍ଷକୁ ମାତ୍ର ଗୋଟିଏ କିମ୍ବା ଦୁଇଟି କଟର ମେସିନ ଜବତ କରି ନିଜର ପାରିବା ପଣିଆ ଜାହିର କରୁଥିବା ସାଧାରଣରେ ଆଲୋଚନା ହେଉଛି।

ରାତିରେ ପଥର କଟା ମେସିନ ଚାଲୁଛି। ଦୈନିକ ଶହ ଶହ ଟ୍ରକ ମୋରମ ଏବଂ ମାଙ୍କଡ଼ା ଚାଲାଣ ହେଉଛି। ମେସିନ ଓ ଗାଡ଼ି ଶବ୍ଦରେ ବନ୍ୟଜନ୍ତୁ ଡରିଯାଉଛନ୍ତି। ଜଙ୍ଗଲ କ୍ଷୟ ‌ଯୋଗୁଁ ସେମାନେ ଖାଦ୍ୟ ଅନ୍ବେଷଣରେ ବିଭିନ୍ନ ସମୟରେ ଜଙ୍ଗଲ ଛାଡି ଜନବସତି ଆଡ଼କୁ ମାଡ଼ି ଆସୁଛନ୍ତି। କେତେବେଳେ ବନ୍ୟଜନ୍ତୁ ଶିକାରୀଙ୍କ ହାବୁଡ଼ରେ ପଡ଼ୁଛନ୍ତି ତ ଆଉ କେତେବେଳେ ଦୁର୍ଘଟଣାର ଶିକାର ହେଉଛନ୍ତି। ଏହି ରେଞ୍ଜର ପଛପାର୍ଶ୍ବରେ ଥିବା ଜଙ୍ଗଲର ପାହାଡ ତଳ ଜଙ୍ଗଲ ଜମିରେ କେତେକ ଘର ନିର୍ମାଣ ହେଉଥିଲେ ମଧ୍ୟ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ସେଥିପ୍ରତି ପଡ଼ୁ ନଥିବା ଅଭିଯୋଗ ହେଉଛି। ଜଙ୍ଗଲ ମଧ୍ୟରେ କ’ଣ ପାଇଁ ଗୃହ ନିର୍ମାଣ କରାଯାଉଛି ତାହା ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର